ସତସଙ୍ଗ
ସତସଙ୍ଗ
ମନରେ ପରସ୍ତ ପରସ୍ତ ଲାଗେ ଅଳନ୍ଧୁ
ଜୀବନ ସରିଯାଏ
କାମନାର ସପ୍ତରଙ୍ଗୀ ମଠା ପିନ୍ଧୁ ପିନ୍ଧୁ
କେମିତି ଉଇଁବ ହୃଦୟରେ
ବିବେକର ନବ ଇନ୍ଦୁ !
ମୋହଗ୍ରସ୍ତ ଏ ମନକୁ କୁହ ହେ ବନ୍ଧୁ
ସତସଂଗରେ ନିଜକୁ ବାନ୍ଧୁ
ଅଚିରେ ପାରିହେବ ଏ ଭବସିନ୍ଧୁ ।।
ଅନେକ୍ ହଜେଇଲଣି ପଥ
କେତେଥର ଆତ୍ମା ପକ୍ଷୀ
ଉଡିବାକୁ ଦେଲାଣି ଇଂଗିତ
ତଥାପି ବନ୍ଧନରୁ ହୁଅନାହିଁ ମୁକ୍ତ
କିଏ ଦେଖାଇବ ପଥ !
କିଏ ବୁଝେଇଦେବ ଏ ସଂସାର ଅନିତ୍ୟ !!
ବନ୍ଧୁହେ ବେଳ ଥାଉ ଥାଉ
ସତସଂଗରେ ହୁଅ ଶରଣାଗତ
ତେବେ ଦୂରହେବ ମନରୁ
ଲୋଭ ମୋହ କାମ କ୍ରୋଧ ରୂପି
ଯେତେ ଅବସାଦ
ବୁଝିପାରିବ ଜନ୍ମ ଆଉ ଜୀବନର
ସୁମହାନ୍ ଅର୍ଥ ।।
ଦେଖ ହୁଗୁଳି ହୁଗୁଳି ଯାଏ କେମିତି
ଆତ୍ମା ସହ ପରମାତ୍ମାଙ୍କର ବନ୍ଧନର ସୂତ୍ର
<p>ସୂର୍ଯ୍ୟ ଉଦୟରୁ ଅସ୍ତ,
ଅସ୍ତବ୍ୟସ୍ତ ହୋଇ ଆଙ୍କୁଛ କେମିତି
ଯାବତୀୟ ସାଂସାରିକ ଜଞ୍ଜାଳର ଚିତ୍ର
କିଏ ହେବ ପରମ ମିତ୍ର !
ଭରିଦେବ ଏ ଜୀବନର ଶୂନ୍ୟ ପାତ୍ର !!
ହେ ବନ୍ଧୁ ! ସତସଂଗ ହିଁ ଅମୋଘ ଅସ୍ତ୍ର
ସକଳ ଆବିଳତା ଦୂରକରି
ଶୁଦ୍ଧ କରିବାକୁ ବିକ୍ଷିପ୍ତ ଅନ୍ତର୍ଚିତ୍ତ ।।
ଅମୂଲ୍ୟ ଏ ସମୟର ସୁଅ
ଅବିରତ ଯାଉଥାଏ ବହି
ନାହିଁ ନାହିଁକୁ କାହିଁକି ବ୍ରତ କରି ଚାଲ
କର୍ତ୍ତବ୍ୟର ଦ୍ବାହି ଦେଇ ଦେଇ !
ଏବେଠୁ ପୁଣ୍ଯ ସତସଂଗକୁ ଆଶ୍ରୟ କରି
ଭବସିନ୍ଧୁରେ ଜୀବନର ନାଆ ନେଇଯାଅ ବାହି
ଥରେ ମଥାକୁ ତାପାଶରେ ଦିଅହେ ନୁଆଁଇ
ବେଳୁହୁଁ ସଜାଗ ନହେଲେ ବନ୍ଧୁ
ଜାଣିପାରିବନି କେତେବେଳେ
ସକାଳ ହେବା ଆଗରୁ ହୁଏତ
ଜୀବନର ରାତି ଯାଇଥିବ ପାହି ।।