ସ୍ପନ୍ଦନ ବନ୍ଧନରେ
ସ୍ପନ୍ଦନ ବନ୍ଧନରେ
କବିତା - ସ୍ପନ୍ଦନ ବନ୍ଧନରେ
ରଚନା - ପଞ୍ଚାନନ ଜେନା
ତାରିଖ -୨୧-୦୨-୨୦୨୬
+++++++++++++++++
ଆରେ ଶୁଣିବ କି !
ଯଦି ବାଲିଯାତ୍ରାରେ ମୁଁ ହଜିଯାଏ
ତୁମେ କ'ଣ କରିବ?
ଯଦି ଯୋରନ୍ଦା ମେଳାରେ ମୁଁ ହଜିଯାଏ
ମୋତେ କେମିତି ଖୋଜିବ?
ମୋ ନାଁ ମାଇକରେ ଡକେଇବ
ଫୋନ ଫାନରେ ପଚାରି ବୁଝିବ ବ୍ୟସ୍ତ ହେବ
ଇତ୍ୟାଦି ଇତ୍ୟାଦି ଅବଶ୍ୟ କରିବ
ମୋର ଗୋଟେ ଛୋଟ ଅନୁରୋଧ ରଖିବ କି?
ମୋତେ ଯମାରୁ ଖୋଜିବନି
ନାଁ ଧରି ଆଦୌ ଚିଲ୍ଲେଇ ବନି
ମୃଣ୍ମୟୀ ଚିନ୍ମୟୀ ପରିଧିରେ ବାହୁନି ଡାକିବନି
ଛୋଟ ବକଟେ ପିଲାଟେ ମୁଁ ଜମାରୁ ନୁହଁ
ମୋର ରହିଲା ରାଣ
ମୋତେ ଖୋଜୁ ଖୋଜୁ ହେବନି ହଇରାଣ
ମୋତେ ଖୋଜି ବସିବ
ଅସ୍ତାଚଳ ଲାଲିମାରେ ଗାରିମାରେ
ମୋତେ ଖୋଜି ପାଇବ
ଦିଶାହୀନ ଦିଗନ୍ତ ଅର୍ଚ୍ଚନାରେ ମୂର୍ଚ୍ଛନାରେ
ଯଉଁଠି ଅହଂକାର ବିସର୍ଜି
ଆଲୋକ ଅନ୍ଧାରକୁ କୋଳେଇ ନିଏ
ଯେଉଁଠି ପରାଜୟ ବିତର୍କି
ଜ୍ଞାନ ଅଜ୍ଞାନକୁ ଆବୋରି ଯାବୋଡ଼ି ନିଏ
ହେଇଟି ! ଶୁଣୁଛ ଟି !
ମୋତେ ଖୋଜି ବାହାର କରିବ
ତୁମ ଛାତିତଳ ସ୍ପନ୍ଦନ ବନ୍ଧନରେ
ଯହିଁ ଅନୁଭବର ଆଇନାରେ ଇତିହାସ ଝଲସି ଯାଏ

