ସପନ ବଣିକ
ସପନ ବଣିକ
ପ୍ରଥମ ପ୍ରେମର ରାଗ ଅନୁରାଗ
ଦେହେ ତୋଳେ ଶିହରଣ
ସେ ପ୍ରେମ ପୁଲକ ତା ମିଠା ମହକ
ଭୂଲି ପାରେ ନାହିଁ ମନ ।
ସପନ ବଣିକ ସପନ ରେ ଆସି
ସପନେ ହଜେଇ ଦିଅ
ଗହନ ନିଦରେ ଆଖି ମୁଦି ହେଲେ
ଚୁପି ଚୁପି କଥା କୁହ ।
ସପନେ ହସାଇ ସପନେ କନ୍ଦାଇ
ନିମିଷେ ନିଜର କର
ପକ୍ଷୀରାଜ ଚଢ଼ି ଉଡ଼ିବୁଲେ ମନ
କାହିଁ ଅବା କେତେ ଦୂର।
ସ୍ବପ୍ନ ଆକାଶର କୁହୁକ ଚାନ୍ଦ ଗୋ
ମଧୁଜ୍ୟୋତ୍ସ୍ନା ଢାଳିଦିଅ
ମନର ମରୁରେ ମରୀଚିକା ସମ
ଦେଖାଦେଇ ଲୁଚିଯାଅ ।
ସ୍ୱପ୍ନର ସାଗର କୂଳେ ବସି ନିତି
ବାଲିଘର ଗଢ଼ୁଥାଏ
ସମୟ ଜୁଆର ନିର୍ଦ୍ଦୟ ନିଷ୍ଠୁର
ସେ ଘରକୁ ଭାଙ୍ଗିଦିଏ।
ନିଦ ଭାଙ୍ଗି ଗଲେ ସ୍ବପ୍ନ ଭାଙ୍ଗିଯାଏ
କାହାଣୀ ରହେ ଯେ ଅଧା
ଅଧା ଲେଖା ସେହି କାହାଣୀର ସ୍ମୃତି
ମନେ ଭରିଦିଏ ବ୍ୟଥା।।