ସୋରିଷ କ୍ଷେତରେ ଆଲୁଅ ଢେଉ
ସୋରିଷ କ୍ଷେତରେ ଆଲୁଅ ଢେଉ
ଫାଟି ଫାଟି ଯାଏ ପୂରୁବ ଆକାଶ
ଦୂରେ ଦୂରେ ଯାଏ ଅନ୍ଧାର ରାହୁ,
ଚିକିମିକି ବାଳ ସୂରୁଯ କିରଣ
ଢାଳି ଢାଳି ଯାଏ ସିନ୍ଦୁରି ମହୁ। [୧]
ମନ୍ଦ ମନ୍ଦ ବହେ ଫୁଲେଇ ସମୀର
ବିନ୍ଦୁ ବିନ୍ଦୁ ଝରେ କାକର ତେହୁଁ,
ଝିଲିମିଲି ଶୋଭା କେଡେ ମନୋହର
ସୋରିଷ କ୍ଷେତରେ ଆଲୁଅ ଢେଉ। [୨]
କାଆ କାଆ ରାବି ଚତୁର କୁଆଟି
ନିଦରୁ କୁନିକୁ ଦିଏ ଜଗେଇ,
ଝଅଟ ଝଅଟ ନିତ୍ୟକର୍ମ ସାରି
ବିଦ୍ୟାଳୟ ଯିବ ପଢିବା ପାଇଁ । [୩]
ଫୁରୁଫୁରୁ ଉଡେ କୁନିର କୁନ୍ତଳ
ଭୁରୁଭୁରୁ ତାରେ ମହକେ ବାସ,
ରୁଣୁଝୁଣୁ ସୂର ପାଉଁଜ ଶବଦ
ଶୁଣୁଶୁଣୁ ମନ ହୁଅଇ ତୋଷ । [୪]
ଖିଲିଖିଲି ତାର ମନଖୋଲା ହସ
ଚହଚହ ଦିଶେ କାଉଁରୀ ମୁହଁ,
ଫୁଲିଫୁଲି କାନ୍ଦେ ଅଝଟ ହୋଇଲେ
ଧାରଧାର ବୁହେ ଆଖିରୁ ଲୁହ। [୫
]
ଟିକିଟିକି କାଠି ଏକାଠି ଜମେଇ
ଧୁନି ଜଳଉଛି ସପନି ଭୋଇ,
କୁଟିକୁଟି ପାନ ପାକୁଆ ପାଟିରେ
ଖାଇଖାଇ ଡାକେ ରଜିଆ ଭାଇ । [୬]
ଝରଝର ଝରେ ଟିକି ଝରଣାଟି
କଳକଳ ଗାଇ ମଧୁର ଗୀତି,
ଧୋବ ଫରଫର କାଚକେନ୍ଦୁ ଜଳ
ଛଳଛଳ ଛନ୍ଦେ ଚପଳମତି। [୭]
ଟିକ୍ ଟିକ୍ ଚାଲେ ଘଣ୍ଟା କଣ୍ଟା ଆମ
ଠିକ୍ ଠିକ୍ ଯାଏ ସମୟ କହି,
ଫକଫକ ଡେଇଁ ଟିକି ଚଢେଇଟି
ଟୁକୁଟୁକୁ ଦାନା ଖୁଣ୍ଟିକି ଖାଇ । [୮]
କିଟିକିଟି କଳା ଅନ୍ଧାର ରାତିରେ
ମିଟିମିଟି ଚାହେଁ ଟିକି ତାରାଟି,
କିରିକିରି ହସି ଫୁଲେଇ ଜହ୍ନଟି
ଧୀରେ ଧୀରେ ଯାଏ ବଉଦେ ଲୁଚି। [୯]
ଝିପିଝିପି ମେଘ ଶୁଖିଲା ଭୂଇଁରେ
ଭିନିଭିନି ବାସେ ମାଟିର ବାସ,
ଚୁପିଚୁପି ହସେ ବିରହୀ ଚାତକ
ଝୁମିଝୁମି ନାଚେ ମୟୁର ଦେଖ। [୧୦]