ସନ୍ୟାସ ନେଇଯିବି
ସନ୍ୟାସ ନେଇଯିବି


ସନ୍ୟାସ ନେଇଯିବି
ବାର ବାର ଆଉ କରନା ତିରସ୍କାର
ଯୁଝନାହିଁ ପ୍ରତିଟି କଥାରେ
ମୁଁ ଘୋଡା ନୁହଁ ଯେ ଦୌଡ଼ରେ ସବୁଥର
ବୋହି ଚାଲିଥିବି ତୁମକୁ ପିଠିରେ ମୋହର
ଅବିରାମ ଜୀବନର ଗୋଲକ ଧନ୍ଦାରେ
କେଉଁ ବଜାରୁଣୀ ତୁଲେ ନାହିଁ ମୋ ସମ୍ପର୍କ
ବରଂ ତୁମେ ହିଁ କରୁଛ ମୋର କଣ୍ଠରୋଧ ।
ଦେଖ ବାବାଜୀ କେତେ ମାତାଜୀ ରଖିଲେ
ବିଳାସର ବାଟିକାରେ ରାସଲୀଳା ରଚିଲେ
ଅପରାଧୀ ଆଜି ସନ୍ନ୍ୟାସୀ ହୋଇଲେ
ସାଧ୍ଵୀ ସାଜି ଯୌବନର ପ୍ରଥମ ପାହାଚେ
ଦେହରକ୍ଷୀ ଗହଣରେ ପ୍ରବଚନ ଦେଲେ ।
କାନ୍ଧରେ ନାହିଁ ମୋର ତୋପ ଓ କମାଣ
ଲଢୁନାହିଁ ସୀମାନ୍ତରେ କରିନାହିଁ ପଣ
ରଖିବାକୁ ଜନନୀ ଜନ୍ମଭୂମି ମାନ
ବୁହାଇ ପାରିବିନି ରକ୍ତର ତରଣୀ
ମାନବତା କରେ ଯହିଁ ମୃତ୍ୟୁ ଆଲିଙ୍ଗନ ।
ପାରୁନି ଦେଇ ସମୟ ତୁମ ସାନିଧ୍ୟରେ
କେମିତି ସହିବି କହ ଦୁଃଖୀଙ୍କ ମଧ୍ୟରେ
କଣ୍ଠରୁଦ୍ଧ ଜନତାଙ୍କ ପାଇଁ ମୁଁ ଯଥାସାଧ୍ୟରେ
କରିଛି ତ ସଂକଳ୍ପ ଲେଖିବି ପଧ୍ୟରେ ।
ଶୁଭୁନି ତୁମକୁ ଯଦି ଆକୁଳ ନିବେଦନ
ମାଆ ଓ ମାଟି ପାଇଁ ରକ୍ତମୁଖା ରଣ
ଚାଲିଲି ମୁଁ ଆଚରି ସନ୍ୟାସ ଧରମ
ପୁତ୍ର କଳତ୍ରେ ନାହିଁ ଆଉ ସମ୍ମୋହନ
ହୋଇ ତ ଗଲାଣି ମୋର ହୃଦ ବିଦାରଣ
ସାଥିରେ ନେଉଛି ଖାଲି ଗୋଟିକ କଲମ
କବିତା ଧାଡିରେ ଦେଖ ଫୁଟାଇବି ଜହ୍ନ ।