ସଞ୍ଜ ଯେବେ ନଇଁ ଆସେ
ସଞ୍ଜ ଯେବେ ନଇଁ ଆସେ
ସଞ୍ଜ ଯେବେ ନଇଁ ଆସେ
ମନଟି ଉଚ୍ଚାଟ ହୁଏ
ତର ତର ହେଇ ସିଏ
କାର୍ଯ୍ୟ ସାରି ଦେଉଥାଏ ।
ବ୍ୟସ୍ତତା ଲାଗେ ବହୁତ
ଯେବେ ଡେରି ହେଇଯାଏ
ମନେ ଏକ ପ୍ରକାର ବି
ଭୟ ଭାବ ସୃଷ୍ଟି ହୁଏ ।
ଛାତି ଦକ ଦକ ଲାଗେ
ଚଞ୍ଚଳ ଆଖିଟି ହୁଏ
ଇତଃସ୍ତତ ହେଇ ସିଏ
ଚାରି ଆଡେ ଚାହୁଁ ଥାଏ ।
ପାଖ ଦେଶେ ଥିଲେ ମନ
ଟିକେ ହେଲେ ଥୟ ହୁଏ
ଦୂର ଦେଶୁ ଫେରିବାଟା
ମନେ ଭୟ ଖାଇ ଯାଏ ।
ସଞ୍ଜ ଯେବେ ନଇଁ ଆସେ
ସୂର୍ଯ୍ୟ ଅସ୍ତ୍ରଗାମୀ ହୁଏ
ଆକାଶଟି ଲୋହିତ ବର୍ଣ୍ଣ
ଧାରଣ ସେ କରିଥାଏ ।
କୋଳାହଳ ଶବଦରେ
ଆକାଶଟି ଗର୍ଜୁଥାଏ
ବାହୁଡନ୍ତି ବିହଙ୍ଗମ
ଆଖି ଝଲସାଇ ଦିଏ ।
ଦଳ ଦଳ ପକ୍ଷୀ ରାବେ
ମନଟି ବିଭୋର ହୁଏ
ନଭୁ ସପ୍ତ ରଙ୍ଗ ଝରେ
ତନୁ ମନ ହଜି ଯାଏ ।
ବାହୁଡନ୍ତି ଗୋଗୋଷ୍ଠରୁ
ଦାଣ୍ଡେ ଧୂଳି ଉଡୁ ଥାଏ
ଖେଳ କୁଦ ଛାଡି ପିଲା
ଘର ଲେଉଟାଣି ହୁଏ ।
ମନ୍ଦିରରୁ ଶଙ୍ଖ ଘଣ୍ଟ
ଶବ୍ଦ ଝରି ଆସୁ ଥାଏ
ଚଉରାରେ କୁଳବଧୂ
ସଞ୍ଜବତୀ ଜାଳି ଦିଏ ।
ସନ୍ଧ୍ୟା ଆକାଶରେ ସନ୍ଧ୍ୟା
ତାରା ଉଙ୍କି ମାରୁଥାଏ
ସଞ୍ଜ ଯେବେ ନଇଁ ଆସେ
ନୀରବତା ଧରା ହୁଏ ।
ସଞ୍ଜ ଯେବେ ନଇଁ ଆସେ
କେତେ ଶାନ୍ତି ଲାଗି ଯାଏ
ଅଭୁଲା ଏ ସନ୍ଧ୍ୟାକାଶ
ଅନେକ ଯେ ସ୍ମୃତି ଦିଏ ।
ସନ୍ଧ୍ୟା ଯେବେ ନଇଁ ଆସେ
ମନଟି ପ୍ରଶାନ୍ତ ଥାଏ
ଅଭୁଲା ଅନେକ ସ୍ମୃତି
ନା ତାକୁ ଭୁଲେ କିଏ ?
