ସଞ୍ଜ ପରେ ଆସେ ରାତି
ସଞ୍ଜ ପରେ ଆସେ ରାତି
ସଞ୍ଜ ନଇଁ ଗଲେ ରାତିଟିଏ ଆସେ
ଅନ୍ଧାର ବିରାଜେ ଧରାରେ,
ଅପସରି ଯାଏ ସୁରୁଜ ଆଲୁଅ
ଆକାଶ ହସଇ ତରାରେ ।
ପକ୍ଷୀ କଳରବ ଥମିଯାଏ ଧୀରେ
ଦୂର ଆକାଶର ବୁକୁରେ,
ଜହ୍ନ ଆଲୁଅରେ ମୁହଁ ଦେଖେ ବସି
ଆକାଶଟା ନଈ ମୁକୁରେ ।
କି ସୁନ୍ଦର ଆହା ଜହ୍ନ ହସିଦେଲେ
ବୁଣିହୋଇ ପଡେ ଜୋଛନା,
କଢି ମାନଙ୍କର ବଡ ହେବା ଲାଗି
ମନରେ ନଥାଏ ଶୋଚନା ।
ବିଲ ବେଣାପାଟେ ଶୁଭୁଥାଏ ଦୂରେ
ଶୃଗାଳ ମାନଙ୍କ ସଙ୍ଗୀତ,
ଗାଆଁ ଜନପଥ ଶୋଇବାକୁ ନିଦେ
ଦୂରୁ କରୁଥାଏ ଇଙ୍ଗିତ ।
ନିରିଜନ ରାତି ବଢୁଥାଏ ଧିରେ
ଚପଳ କିଶୋରୀ ପରିକା ,
ଯେମିତି ବଢ଼ନ୍ତି ଲତାମାନେ ସବୁ
ପାଦ ଥାପି ଥିରି ଥିରିକା।
ରାତି ସରମରେ ମୁହଁକୁ ଲୁଚାଏ
ଆଲୁଅକୁ ଦେଖି ଯେମିତି,
ନବବଧୂ ଟିଏ ମୁହଁକୁ ଲୁଚାଏ
ଝରକା ଫାଙ୍କରେ ସେମିତି ।
ଦିବସ ଶେଷରେ ସଞ୍ଜ ଆସିଥାଏ
ସଂଜ ପରେ ଆସେ ରାତି,
ଏଇ ନିୟମରେ ଯୁଗ ପରେ ଯୁଗ
ଚାଲୁ ଥିବ ସଦା ନିତି ।