ସଂସାରରେ ଜୀବନର ପଥ
ସଂସାରରେ ଜୀବନର ପଥ
ସଂସାରରେ ଜୀବନ ଗଣିତ ପରି
କେତେ ପ୍ରଶ୍ନର ସମ୍ମିଶ୍ରଣ
ପୁଳା ପୁଳା ସ୍ବପ୍ନରେ ଜ୍ୟାମିତିର
ଅବୁଝା ତ୍ରିକୋଣ ।
ଭୂଗୋଳର ମନ୍ଦ ଛନ୍ଦରେ ପ୍ରଗଳ୍ଭା
ତଟିନୀ ସଦୃଶ ସିଏ
ପ୍ରଜାପତି ପରି ମୃତ୍ୟୁପରେ ଏ ଫୁଳରୁ
ସେ ଫୁଲକୁ ଉଡି ବୁଲେ ସିଏ ।
ବାହୁଡ଼ାର ଅନ୍ଧକାର ଦିନେ ତ ଦିନେ
ନିଶ୍ଚିତ ଆସିବ
ଜୀବନର ପଥ ଆଉ ଦିଶିବନି ସମୟର
କରାଳ ଗର୍ଭେ ଦିନେ ସରିଯିବ ।
ପଥଶ୍ରାନ୍ତ ପଥିକ ପରି କେତେ କେତେ
ମରୀଚିକା ଦିଶେ ,
ମାୟା ବଳେ ମଣିଷ ବିବେକ ହରାଇ
ଅନ୍ଧକାରେ ପଶେ ।
ଗରବ କରି କାହିଁ ପାଇଁ କାଳିମାରୁ
ମୁଠେ ବୋଳି ହେବା
ଯଦି ଆମେ ପାରିବା, ମଣିଷ ଜୀବନେ
ଆଲୋକ ଟିକିଏ ବୁଣିବା ।
ରହିଯାଏ ସ୍ମୃତି ଖାଲି ସମାଜର ଜନଗଣ
ମନର ଅଳିନ୍ଦରେ
ଆତ୍ମା ଚାହେଁନି କେବେ ଗଢ଼ା ହେବା ତାଜ୍
ମହଲ ପରି ମୂର୍ତ୍ତି ନିର୍ଜୀବ ମାର୍ବଲରେ ।