ସଂକଳ୍ପ
ସଂକଳ୍ପ
ଦେଖ , ଆଜି ମୁଁ ବାଜି ଲଗାଇ
ଚାଲି ପାରୁଛି ଆଗରେ
ଜିତିବାର ସଂକଳ୍ପ ନେଇ.....
ପଛରେ ଛାଡି ନୀଳ ଜହ୍ନର ମାୟା,
କିଛି ଶୁଖିଲା ଖାଦ୍ୟ
ପାଦତଳର ଅନ୍ତଃସ୍ରୋତ, ସୁଖଦୁଃଖର ପ୍ରବାହ ।
ହାରିବା ଆଗରୁ ଆଉ କେତେ ଡରିଥାନ୍ତି
କାଳେ ଧାଇଁ ନ ପାରିବି
ସମୟ ସହ ତାଳ ଦେଇ....
ଆଦରି ନେଇଥିଲି
ଦୁଃଖକୁ ସୁଖ ବୋଲି
ମନ୍ଦିର ବେଡାର ମାଟି ଘୋଡା ଭଳି
ପାଦରେ ବାନ୍ଧି ରଖିଥିଲି ମାୟାର
ଅଦୃଶ୍ୟ ବେଡି ।
ଡରି ଡରି ତ ହଜାଇ ଦେଇଛି କେବେଠାରୁ
ପିଲାଦିନ, ସାଙ୍ଗସାଥୀ, ବୟସ, ସବୁ କିଛି
ଜୀଇଁଛି ଜୀବନ ସଂଘର୍ଷର ଲୁହ ପିଇ ।
ମନେ ଅଛି ଜଣେ ସାଥୀର ରାଣ
ଚାଲନା ବାଜି ଲଗାଇ ଚାଲିବା,
ଜମା କାହାକୁ ଡରିବାନି
ଜୀବନ କି ମରଣକୁ ଚିରକାଳ ।
ଲଢିବା ଓ ଅ।ଶା ଦୁହେଁ ତ ଜୀବନ !!
ଏବେ ଦେଖ ...କେମିତି ଧାଇଁ ପାରୁଛି
ଏକାଏକା ମୁଁ...ହରାଇବାକୁ
ସମୟର କଠିନ କରୋନା ପ୍ରବାହ
ସାଥୀ ମୋର ଅବସନ୍ନ ଦେହହାତ,
ଭୋକର ମାନଚିତ୍ର ।
ବହୁଦୂରେ ଛାଡି ଅ।ସିଛି
ବରଗଛ ଓହଳରେ ଝୁଲୁଥିବା
ପିଲାଦିନର ମଧୁଝରା ସ୍ବପ୍ନ
ନିରିମାଖି ଗାଆଁ ମାଟିର ଶୁଖିଲା ମୁହଁ ।
ବହୁଛି ଅମାନିଅ। ପ୍ରତିକୂଳ
ଧୂମାଳ ପବନ
ଉଡାଇ ନେଉଛି ପଛକୁ ପଛ
ଟଳଟଳ ଅଥୟ ପାଦ
ଅ।ଗକୁ ଦିଶୁନି ରାସ୍ତା
ପ୍ରତିକ୍ଷଣ ହାରିଯିବା ଭୟ...
ତଥାପି ଚାଲିଛି ବାଟ
କାଳେ ଭେଟିବି ମରୁ ଉଦ୍ୟାନ
ମୋ ହଜିଲା ପ୍ରିୟାର ନୂଅ।ଠିକଣା
ତା' ନୂଅ। ଚାଳଘର ।
ଜୀଇଁବାର ରାହା, ଶେଷ ଥର ।
********

