ସମୟର ସନ୍ତାନ
ସମୟର ସନ୍ତାନ
ସମୟର ତିନି ସନ୍ତାନ, ଅତୀତ,
ବର୍ତ୍ତମାନ, ଭବିଷ୍ୟତ,
ଜ୍ୟେଷ୍ଠ ସନ୍ତାନ ତା', ଅତୀତ ମରିକି,
ପାଲଟି ଗଲାଣି ଭୁତ !
ମଧ୍ୟମ ସନ୍ତାନ, ବର୍ତ୍ତମାନ ସହ,
ରହିଅଛି ସିଏ ଏକା,
ଭବିଷ୍ୟତ ଅଛି, ମାଆର ପେଟରେ,
ଏ ଯାଏ ଦେଇନି ଦେଖା !
ପ୍ରଥମ ସନ୍ତାନ, ଅତୀତ କଥାକୁ,
ପାରିନି ସମୟ ଭୁଲି,
ଆଗକୁ ବଢ଼ି ବି, ମନେ ପକାଉଛି,
ଯାଇଅଛି ଯାହା ଚାଲି !
ଅତୀତ ଯେତିକି, କୁକର୍ମ କରିଛି,
ସେଥିପାଇଁ ଦଣ୍ଡ ପାଏ,
ସୁକର୍ମ ପାଇଁକି, ପୁରସ୍କାର ମଧ୍ୟ,
ସମୟକୁ ମିଳିଥାଏ !
ଏବେ ଏକା ତାର, ମଧ୍ୟମ ସନ୍ତାନ,
ବର୍ତ୍ତମାନ ଅଛି ପାଶେ,
ତାହା ନିର୍ଦ୍ଦେଶରେ, ସମୟ ସର୍ବଦା,
କର୍ତ୍ତବ୍ୟ ପଥରେ ଆସେ !
ବର୍ତ୍ତମାନ ତାର, ପିତା ସମୟକୁ,
ସଦାବେଳେ ଥାଏ ଜଗି,
ତା' କଥାକୁ ଯଦି, ସମୟ ମାନେନା,
ବହୁ ପୀଡା ଥାଏ ଭୋଗି !
ତୃତୀୟ ସନ୍ତାନ, ଭବିଷ୍ୟତ ତାର,
ଆଜିଯାଏ ଆସିନାହିଁ,
ତଥାପି ସମୟ, ବହୁତ ଯୋଜନା,
କରିଅଛି ତାହା ପାଇଁ !
ବୀମା କରିଅଛି, ସଞ୍ଚୟ କରିଛି,
ଗଢ଼ିଅଛି ନୂଆ ଘର,
ଭବିଷ୍ୟତ ପାଇଁ, କରୁଅଛି ସିନା,
ବର୍ତ୍ତମାନକୁ ତା' ଡର !
ଭବିଷ୍ୟତ ଯେବେ, ଜନମ ଲଭିବ,
ହୋଇବ ସେ ବର୍ତ୍ତମାନ
ଏବେ ଯାହା ନାମ ବର୍ତ୍ତମାନ ଅଛି,
ଅତୀତେ ନେବ ସେ ସ୍ଥାନ !
