ସମୟ
ସମୟ
ଏବେ ଧୀର ମନ୍ଥର ଗତିରେ
ସରି ସରି ଯାଉଛି ବୟସ,
ଆଉ ସମୟର ପରିଧି ଭିତରେ
ପ୍ରତି ମୁହୂର୍ତ୍ତରେ ଜୀବନ ଭିତରକୁ
ଲମ୍ୱି ଆସୁଛି ଅବଶୋଷର ତାଲିକା ,
ଆଉ ତାରି ମାୟାରେ
ମୋ ଦେହ ମନରେ ଭରିଛି
ଭୟ ଜୁଡୂବୁଡ କୋହ,
ମୋ ଆଡ଼କୁ ନିବିଡ଼ ଭାବରେ
ଜଡେଇ ଆସି ମତେ
କରୁଛନ୍ତି କ୍ଷତ ବିକ୍ଷତ !
ଆଜି ଇଛା ହେଉଛି
ଅଙ୍କା ବଙ୍କା ଜୀବନ ରାସ୍ତାରେ
ମନରେ ଅଦମ୍ୟ ପିପାସା ଭରି
ହାତମୁଠାରେ ଧରି ରଖିବାକୁ-
ଇନ୍ଦ୍ରଧନୁର ସପ୍ତ ତରଙ୍ଗକୁ
ଜହ୍ନ ଆଲୁଅର ଜୋଛନାକୁ
ରସାଳ ତରୁରେ କୋଇଲିର ପଞ୍ଚମକୁ
ଶ୍ରାବଣୀର ବ
ାରିଧାରାକୁ
ଫଗୁଣର ଅବିର ରଙ୍କୁକୁ
ଆହୁରି ଅନେକ ଯାହା ଖାଲି ସ୍ମୃତି !
ଗାଁ ମୁଣ୍ଡର ମଶାଣିରେ ଆଜି
ନିରବତାର ଅକୁହା ଆନନ୍ଦ
ପବନର ଶୀତଳ ପରଶ,
ସତେଜ ଯୌବନର ସବୁ ଟାଣପଣ,
ଅଥଚ ହାତ ମୁଠାରୁ
ଖସି ଖସି ଆସୁଛି
ଆଶା ଆକାଂକ୍ଷାର ସରୁବାଲି ସବୁ !
ସମୟର ଅବୟବରେ
ବର୍ଷ, ମାସ, ପକ୍ଷ, ସପ୍ତାହ,
ଦିନ, ଘଣ୍ଟା, ମିନିଟ୍ ପୁଣି ସେକେଣ୍ଡ
ସବୁ ଯେମିତି ମତେ ବନ୍ଦୀ କରିଛନ୍ତି
ଆଉ ମୁଁ ହୋଇ ଯାଇଛି
ପରିକଳ୍ପିତ ପୁରୁଷ,
ଆଶା ଆଉ ପ୍ରତ୍ୟାଶାର
ନିରାଶ, ନିବିଡ, ନିବୁଜ କୋଠୀରେ !!