ସମୟ କୁହେ
ସମୟ କୁହେ
ବିଶ୍ଵାସ ହେଉ ନାହିଁ ହେ ବନ୍ଧୁ
କେମିତି ବଦଳିଲ
ଆମ ସଂସ୍କୃତି ଐତିହ୍ୟ ସବୁ
ପୋଡ଼ିକି ଖାଇଦେଲ ।
ଭୁଲିଲ ପିତା ମାତାଙ୍କୁ ପୁଣି
ଭୁଲିଲ ଗୁରୁଜନ
ସ୍ଵାର୍ଥରେ ଅନ୍ଧ ହୋଇ ଭୁଲିଲ
ସ୍ନେହ,ଶରଧା,ପ୍ରେମ।
ବାର୍ଦ୍ଧକ୍ୟେ ପିତା ମାତାଙ୍କୁ ନେଇ
ଛାଡ଼ିଲ ଜରାଶ୍ରମେ
ପାଶ୍ଚାତ୍ୟ ରୀତି ଆଦରି ନିତି
ବୁଡିଲ ଅପକର୍ମେ।
ନାରୀ ମୁଣ୍ଡରୁ ଓଢ଼ଣା ଖସେ
ନାଇଟ୍ ପିନ୍ଧିହସେ,
ଚପଲ ମାଡ଼ି ଦେଇପିଣ୍ଡିରେ
ନିର୍ଦ୍ଵନ୍ଦେ ପୁଣି ପଶେ।
ଧର୍ମ ଅଧର୍ମ ନ୍ୟାୟ ଅନ୍ଯାୟ
ବିଚାର ଗଲ ଭୁଲି
ଜିତି ଯାଉଛି ମିଛ ଏଇଠି
ସତଟା ପଡେ ବଳି।
ତେଣୁ ସଂସାରେ ୟା ପାଇଁ ଯଦି
ବିତ୍ପତ୍ତି ଆସୁଅଛି
ବେଳ ଖରାପ ସମୟ ମନ୍ଦ
କଥାଟି ଉଠୁଅଛି।
ସମୟ,ବେଳ,ଏ କଳିକାଳ
ଦୋଷ ଦେଇ କି ଲାଭ,
ଅର୍ଜିତ କର୍ମଫଳ ଏ ବାବୁ
ଭୋଗିବା ପରାଭବ।
ସେଦିନ ଥିଲା ଆଜି ବି ଅଛି
ସୁରୂଜ ପୂର୍ବେ ଉଠେ,
ମଣିଷ ଭାବ ବଦଳି ଯାଏ
ଆଜି ସଂସାର ହାଟେ।
ଯାଏ ତ ଘୂରି ସମୟଚକ
କହେ ଅନେକ କଥା
କେତେ ଭାବନା କେତେ ଠିକଣା
ଜୀବନେ ହୁଏ ଲେଖା।
କାହାର ଘର ଯାଏ ଉଜୁଡି
କିଏ ପାଉଛି ପୂଜା
କିଏ ଶୋଉଛି ଫୁଲର ଶେଯେ
କିଏ ପାଏନା ଜାଗା।
ସମୟ ସାକ୍ଷୀ ହୋଇ ଦେଖୁଛି
ସମସ୍ତ ଲୀଳା ଖେଳା
ନିଜ ଛାତିରେ ଲେଖି ରଖୁଛି
ସ୍ମୃତି କବିତା ପରା।
ବଦଳି ଯାଏ ଯଦି ସମୟ
କିଛି ଘଟଣା ନେଇ
ତା'ପଛେ ଉଗ୍ର ଆଧୁନିକତା
ବୋଧେ ୟା ପାଇଁ ଦାୟୀ l
ଘଷିତଳର ଘାସ ସଦୃଶ
ସଂସ୍କୃତି ପଡ଼ି ରହେ
ଗାଆଁ ଦାଣ୍ଡରେ ସହରୀ ଆଜି
ଗରବେ ନାଚୁଥାଏ।
କଂକ୍ରିଟ୍ ମାୟା ମାଟି ମାଆକୁ
ଘୋଡେଇ ରଖେ ଆଜି
ସୁଉଚ୍ଚ କୋଠା ଆକାଶ ଛୁଏଁ
ବିଜ୍ଞାନ ମାରେ ବାଜି।
ପୃଥ୍ବୀର ଭାର ରହୁନି ସ୍ଥିର
ଅବେଳେ ଆସେ ଝଡ
ହ୍ରାସ ପାଉଛି ବଣ ଜଙ୍ଗଲ
ଲଘୁଚାପର ଖେଳ।
ସ୍ନେହ ସମ୍ପର୍କ ମମତା ଡୋର
ଆଜି ତ ଛିଡିଯାଏ
ପ୍ରେମରେ ଅନ୍ଯ ମନକୁ କିଣ
ସମୟ କହୁଥାଏ।
