ସମୟ ଅନ୍ତରାଳେ
ସମୟ ଅନ୍ତରାଳେ
ସକଳ ସୃଷ୍ଟିର ଆଧାର ଆଦ୍ୟ ଉପକ୍ରମଣିକା,
ପରମ କାରୁଣିକ ସୂର୍ଯ୍ୟ ଦେବ ଓ ତାର ନିତ୍ୟ
ନୈମିତ୍ତିକ ସ୍ୱୟଂକ୍ରିୟ କ୍ରିୟା ଓ ପ୍ରକ୍ରିୟା,
ସମୟର ତାଳେ ତାଳେ ସ୍ୱୀୟ ଚଳତ ମାନ,
ଦୂର ଅସ୍ତାଚଳର ଦୂର ଦିଗବଳୟ ପର୍ଯ୍ୟନ୍ତ,
ସିନ୍ଦୁରା ଫୁଟିବା ଠାରୁ ଆରମ୍ଭ କରି
ସାୟଂକାଳର ଅସ୍ତଗାମୀ ଅରୁଣିମା ପର୍ଯ୍ୟନ୍ତ,
ଅହରହ କିରଣ ପ୍ରଦାନ ଓ ତାର କ୍ରମିକ
ଉପସଂହାର, ଧୀରେ ଧୀରେ ତାର ତୀର୍ଯକ
ରଶ୍ମୀ, କେତେବେଳେ ମଥାନ ଛୁଇଁ ସଳଖ ହୁଏ,
ସଳଖରୁ ପୁଣି ବକ୍ର, ସଳଖ ପୁନଃ ପୁନଃ,
ଏ ସମୟ ବି କେତେବେଳେ ସମତାଳରେ
ଠିକ ସେଇ ସୂର୍ଯ୍ୟ କିରଣ ସହିତ ଆତଯାତ,
ସମୟାନୁବର୍ତ୍ତୀତାର ପରିବର୍ତ୍ତିତ ପରିସ୍ଥିତି
ଓ ଅଖଣ୍ଡ ସମୟ ସାରଣୀରେ.. !
ସେ ନିତ୍ୟ ଅପାରମ୍ପର, ଅବଶ୍ୟମ୍ଭାବୀ,ଯେମିତି
ପ୍ୟୁପା, ପ୍ୟୁପାରୁ ଶୈଶବ, ଶୈଶବରୁ ବାଲ୍ୟ,
ପୋୖଗଣ୍ଡ କୈଶୋର, କୈଶୋରର ସେଇ
ତାରୁଣ୍ୟ ଚପଳତା ଓ ତାର ଖରା ଛାଇ ଖେଳ
ଭିତରେ କେତେବେଳେ ଯେ ଯୁବାବସ୍ଥା ଅତିକ୍ରମି
ସ୍ମୃତି ସୌଧର ଅମରାବତୀ ପାଲଟି ଯାଏ,
ସମୟର ଖେଳରେ, ନିତ୍ୟ ନୈମିକତାରେ..!
ବାର୍ଦ୍ଧକ୍ୟର ବାସ୍ତବତା ଦସ୍ତକ ଦେଇଯାଏ ମନରେ,
ଅସରନ୍ତି ଉଦ୍ବେଳନରେ, ସମୟର ରଥ ଚକ,
ସମୟ ସୁଅରେ ଚଳତବତ, ଧାବମାନ, ପୁଣି
ଘୁର୍ଣ୍ଣାୟ ମାନ ଅବସ୍ଥା, ଆଉ ପୁନଃରପି ଜନନଂ,
ପୁନଃରପି ମରଣମ, ଜନନୀ ଜଠରେ ଶୟନଂ,
ସ୍ୱତଃସ୍ଫୁର୍ତ୍ତ ପ୍ରକ୍ରିୟା, ପୁନଃରପି ବାଳୁତ ଅବସ୍ଥା ପ୍ରାପ୍ତ,
ଯେଉଁଠୁ ଆରମ୍ଭ ପୁଣି ସେଇଠି ଶେଷର ପୁନରାବୃତ୍ତି,
ଋତୁ ଚକ୍ରର ପର୍ଯ୍ୟାୟ ସାରଣୀ, ସମୟ ସୁଅରେ,
ଏଇ ଜୀବନ ଚକ୍ରରେ..! ସୃଷ୍ଟି ଓ ବିବର୍ତ୍ତନରେ..!
ସବୁ ଅନାହତ ପ୍ରାଣ ସ୍ପନ୍ଦନର ଦ୍ୱାର ଦେଶରୁ
ପୁଣି ସେଇ ଆହତ ପରିସମାପ୍ତିର ଭୁଲୁଣ୍ଠିତ ଚେତନା,
ନିୟତିର ଧରାବନ୍ଧା ନିୟମ ଓ ତାର ଲବ୍ଧ ଶିକୁଳିରେ..!
ସବୁ ସମୟକୁ ଖଣ୍ଡ ଖଣ୍ଡ କରି ଦର୍ଘ୍ୟ, ପ୍ରସ୍ତରେ ବିଭକ୍ତ
ସେ ଅନାହତ ପ୍ରାଣ କେବେ ଯେ ହାର ମାନିବାକୁ
ପ୍ରସ୍ତୁତ ନଥାଏ, ସମୟର ଏ କ୍ରୁର ବାସ୍ତବତାରେ,
ଆଉ ସମୟ, ଏଇ ଅବସ୍ଥାର ନାମାଙ୍କିତ କରେ,
ବୟୋବୃଦ୍ଧ, ସବୁ ଯନ୍ତ୍ରଣା, ବେଦନାକୁ ପଦାଘାତ କରି,
ବିକ୍ଷିପ୍ତ, ବିକ୍ଷୁବ୍ଧ ବାସ୍ତବତାକୁ କୁଠାରଘାତ କରି କୂଳ
କିନାରା ପ୍ରାପ୍ତ ଅତୃପ୍ତ ଆତ୍ମାର ଅଭିନନ୍ଦନୀୟ ରୂପକୁ
ଏ ସମାଜ ଉପଢୌକନରେ ଆପ୍ୟାୟିତ କରେ,
କୁଳ ବୁଦ୍ଧ, ସର୍ବୋପରି, ନିତି ନିୟତିର ନିଷ୍ପତ୍ତିରେ
ଯିଏ ଅଟଳ,ଅକ୍ଷୟ ହୋଇ ବିବର୍ତ୍ତନ ଧାରାର
ମୂକ ସାକ୍ଷୀ ସେ ହୁଏ ଜ୍ଞାନ ବୁଦ୍ଧ..!
ଏଇ ଅସାର ସଂସାରେ, ଧରା ବକ୍ଷର ଏ ବିସ୍ତୀର୍ଣ୍ଣ
ଚଲା ପଥରେ, ନିରାଟ ବାସ୍ତବିକତାରେ..!
ଇନ୍ଦ୍ରଧନୁର ରଙ୍ଗ ।
