ସ୍ମୃତିତୁମେ
ସ୍ମୃତିତୁମେ
ସ୍ମୃତି ତୁମେ ପରା ମନ ଅଗଣାର
ସାଉଁଟା ମୋତି ମାଣିକ୍ୟ,
ମଧୁର ଭାବନା ପ୍ରୀତିର ଝରଣା
ଜୀବନର ଚାକଚକ୍ୟ ।
ସାଗର ବୁକୁରେ ଶାମୁକାର ମୋତି
ଚେତନାରେ ସ୍ମୃତି ଭରା,
ପ୍ରତିଫଳିତ ସେ ମନ ଆଇନାରେ
ବିସ୍ମୃତି ଗର୍ଭର ହୀରା ।
ବଞ୍ଚିବା ସାହାରା ଖୁସିର ପସରା
ଭାବନାର ଗନ୍ତାଘରେ,
ମୁଦ୍ରିତ ନୟନେ ମଧୁର ସପନ
ଭରିଦିଅ ଜୀବନରେ ।
ନାହିଁ ରୂପରେଖ ଖାଲି ଅନୁଭବେ
ସୁରଭିତ ବାସ ଖେଳେ,
ଭଲଲାଗେ ଭାରି ହଜିଯିବାପାଇଁ
ତୁମରି ପଣତ ତଳେ ।
ପୁଲକିତ କରି ଉନ୍ମାଦ ଜଗାଇ
ଚାଲି ଆସ ନୀରବରେ,
ପ୍ରେମର କୋଣାର୍କ ତୁମ
େ ଆଙ୍କିପାର
ସାଦା କାଗଜ ଉପରେ ।
କେତେବେଳେ ସ୍ମୃତି ଦହନ କରୁଛ
ରଡ ନିଆଁ ତାତି ହୋଇ,
କ୍ଷତାକ୍ତ ମନକୁ ରକ୍ତାକ୍ତ କରୁଛ
କ୍ଷତରେ ଲବଣ ଦେଇ ।
ବିଗତ ମୁହୂର୍ତ୍ତ ଝୁରିହେବା ପାଇଁ
ସ୍ମୃତି ତୁମେ ସେତୁ ପରି,
ସ୍ମୃତି ଖୋଜୁଥାଏ ଚେନାଏ ଆକାଶ
ରାତି ବିତେ ଝୁରି ଝୁରି ।
ସୁଖ ଦୁଃଖ ଭରା ବିସ୍ମୃତି ଗର୍ଭର
ବାଲିଘର ଏ ଜୀବନ,
ସ୍ୱପ୍ନିଳ ଅନ୍ଧାର ସ୍ମୃତିର ଚାରଣ
ମାନସେ ସ୍ୱଚ୍ଛ ଫଳନ ।
ଭାବନାରେ ହଜେ ସ୍ମୃତିର ଇଲାକା
ଦୂର ଦିଗ୍ ବଳୟ ତଳେ,
ଓହ୍ଲାଇ ଆସନ୍ତି ମୁହୂର୍ତ୍ତ ଗୁଡିକ
ପ୍ରତୀକ୍ଷାର ଅନ୍ତରାଳେ ।