ସ୍ମୃତିରେ କପିଳାସ
ସ୍ମୃତିରେ କପିଳାସ
ନବ କଳି ଆଉ କଳିକାକୁ ନେଇ
ବାହାରିଲୁ ଦୂର ପଥ
ଅଫୁରନ୍ତ ଖୁସି ସ୍ବଚ୍ଛ ମୁଖ ଶଶୀ
ସାହା ଜଗତର ନାଥ।
ଢେଙ୍କାନାଳ ଜିଲ୍ଲା କପିଳାସ ପୀଠ
ଚନ୍ଦ୍ରଶେଖରଙ୍କ ବାସ
ନବ ଶତ ଅନେ -ଶ୍ବତଟି ପାବଛ
ପଥଶ୍ରମ ପୀଡ଼ା ଶେଷ।
ସାଙ୍ଗସାଥୀ ମେଳ ହସଖୁସି ବେଳ
ଜୀବନର କେତେ ରଙ୍ଗ
ହୃଦ ଜାହ୍ନବୀର ଅମୃତ ନିର୍ଝର
ରହିଥାଏ ସଦା ସଙ୍ଗ।
ହରିଣଙ୍କ ବାସ ହେଲା ଭୋଜି ସ୍ଥାନ
ପାଦରେ ପାହାଚ ଚଢି
ଆନନ୍ଦ ମନରେ ଭକତି ଅନ୍ତରେ
ଆଗକୁ ଚାଲିଲୁ ବଢି।
ଶତେକ ପାହାଚ ଚଢ଼ିଗଲା ପରେ
ଲାଗୁଥିଲା ଟିକେ ଥକା
ମାଧ୍ୟାକର୍ଷଣର ବିପରୀତ ଦିଗେ
ଏହି ଫଳ ଥିଲା ପକ୍କା।
ସାହସ ସଞ୍ଚରି ହୃଦେ ଚିନ୍ତି ହରି
ପହଞ୍ଚି ମନ୍ଦିର ପାଶେ
ଭୋଳାବାବାଙ୍କର ଲଭି ଦରଶନ
ପ୍ରଫୁଲ୍ଲିତ ମନ ଶେଷେ।
ବିଷ୍ଣୁଙ୍କର ବାମ ପାଦ ଅଙ୍ଗୁଳିରୁ
ନିର୍ଝରଣୀ ଯାଏ ବହି
ସତେ କି ବିଚିତ୍ର ଅଟେ ଏ ସଂସାର
ଗଢିଅଛି ଯାହା ବିହି।
ମନ ଦୃଢ଼ କରି ସୁଧର୍ମା ସଭାରେ
ଯାଇ ପହଞ୍ଚିବା ପରେ
ପ୍ରକୃତିର ଶୋଭା ହୃଦୟେ ବିରାଜେ
ଅସ୍ଥିର ଚିତ୍ତ ଦେଶରେ।
ସେହି ସ୍ମୃତି ଆଜି ମନେ ଖେଳିଯାଏ
ଆଶାର ସଞ୍ଚାର କରି
ଜୀବନଟା ଏକ ସଂଘର୍ଷ ମହୀରେ
ଫଳ ତା'ର ମିଠା ଭାରି।
