ସ୍ମୃତି
ସ୍ମୃତି
ତୁମେ ଫିଙ୍ଗିଥିବା ପଥରକୁ ନେଇ
ତୋଳିଛି କେତେ ମୁଁ ନଅର
ବଞ୍ଚିବାର କଳା ଶିଖିଛି ବୋଲି ତ
ଆଜି ବଞ୍ଚିଛି ପିଇକି ଜହର ।
ସାଗର ବେଳାରେ ଗଢିଥିଲେ
ଦୁହେଁ ସପନର ବାଲିଘର
ନିଜ ହାତେ ତୁମେ ଭାଙ୍ଗିଦେଇ
ତାକୁ ମୋତେ କରିଦେଲ ପର ।
ମୋତେ ପର କରିବାରେ
ଦୁଃଖ ନାହିଁ ତିଳେ ମୋର
ତୁମ ଚଲାପଥେ ଫୁଟିଉଠୁ ପଦ୍ମ
ଭାଳୁଥାଏ ମୁହିଁ ନିରନ୍ତର ।
ଅତୀତର କଥା ଯେ ତୁମର
ହେବଣି ପାଶୋର ଏବେ
ତୁମ ସ୍ମୃତି ସବୁ ଆଜିବି
ସାଇତା ହୋଇଛି ମୋ ହୃଦେ ।
ହୃଦୟ ମୋହର ତୁମ ସ୍ମୃତିରାଜିର
ଅଲୋଡ଼ା ଗୋଦାମ ଘର
ତୁମ ଆଗୋଚରେ ଝରାଉଥାଏ
ସେ ଅବିଶ୍ରାନ୍ତ ଲୁହଧାର ।
ଯଦି ଥରେ କେବେ ଚାହିଁବ
ପଛକୁ ସମୟର ଚକାପଥେ
ନିଶ୍ଚୟ ଦେଖିବ ତୁମ ପ୍ରତିବିମ୍ବ
ଅଙ୍କିତ ମୋ ସାମ୍ରାଜ୍ଯର ଚଉଦିଗେ ।
ଦିନ ବିତିଯାଏ ସ୍ମୃତି ହଜିଯାଏ
ଏଇତ ବେଭାର ଦୁନିଆର
ମାତ୍ର ତୁମ ସ୍ମୃତରାଜି ଚିର ଅମର
ମୁହିଁ ଯେ ତୁମ ପ୍ରେମିକ ପ୍ରବର ।