ସ୍ମୃତି
ସ୍ମୃତି


ସ୍ମୃତି କେବେ ଏକ ହଜିଲା ଅତୀତ
କେବେ ସେ ମଳୟ ବାଆ
କେବେ ମଧୁମତି ପ୍ରିୟାର ପୀରତି
ଅଭୁଲା ତାଆର ଛୁଆଁ ।
ସ୍ମୃତି କେବେ ଅଟେ ସକାଳ ସୂରଜ
ବିଛଉଥିବା କିରଣ
କେବେ ପଶ୍ଚିମ ଆକାଶେ ତୋଳୁଥିବା
ରକ୍ତିମ ଛବି ତୋରଣ ।
ସ୍ମୃତି କେବେ ସାଜେ ସାଗର ଲହରୀ
ଧୋଇଯାଏ ଦୁଃଖକଷ୍ଟ
କେବେ ଜୀବନରେ ଭରି ଯନ୍ତ୍ରଣା
କରିଥାଏ ପଥଭ୍ରଷ୍ଟ ।
ସ୍ମୃତି କେବେ ଅଟେ ପିଲାଦିନ ମନ
ଖୋଜୁଥିବା ପିଳାଖେଳ
କେବେ ସିଏ ବୟସର ଯଉଘରେ
ନୃତ୍ୟରଙ୍ଗା ପ୍ରେମକାଳ ।
ସ୍ମୃତି କେବେ ଅଟେ ନୀଳ ଆକାଶର
ଜୋଛନାରେ ଭରା ରାତି
କେବେ ପାଗଳ ଭଅଁର ଖୋଜୁଥିବା
ପ୍ରିୟାର ଉଷୁମ ତାତି ।
ସ୍ମୃତି କେବେ ଲାଗେ ସବୁଜ ସୀମାରେ
ପ୍ରହରୀ ସଜା ସୈନିକ
କେବେ ଯାଯାବର ଦିନ ଅନ୍ଧକାର
ପେଟ ଖୋଜୁଥିବା ଭୋକ ।
ସ୍ମୃତି କେବେ ପଳାଶ ଫୁଲର ବାସ
ଦୂରରୁ କିଣଇ ମନ
କେବେ ପାଶେ ଥାଇ ଭ୍ରମିତ ବଦନେ
ଚାହୁଁଥିବା ରୂପା ଜହ୍ନ ।
ସ୍ମୃତି କେବେ ଅଟେ ହାଡ଼ଭଙ୍ଗା ଶୀତ
ଗ୍ରୀଷ୍ମେ ବୋହୁଥିବା ଝାଳ
ବସନ୍ତର ରାଗ ବରଷା ଋତୁର
ପୋଖରୀ ଗାଡ଼ିଆ ଜଳ ।
ସ୍ମୃତି ଅସରନ୍ତି ଭାବନା ସମ୍ଭାର
ଭିଜାଏ ଅତୀତ ରାଗେ
ସ୍ମୃତି ଇତିହାସ ମାନସପଟର
ହୃଦୟରେ ଛବି ଆଙ୍କେ ।।