ସ୍ମୃତି
ସ୍ମୃତି


ସ୍ମୃତି ତୁମେ ପାରିବକି କେବେ କୋଉଦିନ କହି ,
କାଇଁ ତୁମେ ଆସ ସ୍ବପ୍ନ ଭଳି ରାତିଦିନ ନଇଁ ନଇଁ ।
ତୁମେ ଆସିଲେ କେବେକେବେ ଦୁଃଖ ଯାଏ ମିଳେଇ,
କେବେ ସୁଖର ପାହାଡ଼ରେ ପଡେ ଦୁଃଖର ଛାଇ ।
ଜହ୍ନତ ବୁଲୁଥିଲା ଇଆଡେ ସିଆଡେ ଗୀତ ଗାଇ ଗାଇ,
ତୁମେ କାହିଁ ନାଇଥିଲ ପାଦରେ ତୁମର ତା ଘୁଙ୍ଗୁର ନେଇ ।
ମନେପକାଇଲ, ତୁମ ଆଗେ କେତେ ମିନତୀ କରିଥିଲା ନୀଳକଇଁ,
ତୁମେ କିନ୍ତୁ ନାଚୁଥିଲ ଏକା ଏକା ଶ୍ରାବଣ ର ଗୀତ ଗାଇ ଗାଇ ।
ସେହିଦିନୁ ମୁଁ ରହିଗଲି ନିରବରେ ଚାନ୍ଦର ଚକୋର ହୋଇ ,
ଦେଖ ଆଜି ଉଜାଣି ବହୁଛି ତୁମ ପ୍ରେମର ସେ ଶୁଖିଲା ନଈ।
ଅନ୍ୟର ସୁଖ ଚୋରାଇ ତାର ପ୍ରବାହ ଯାଇଛି ଶୁଷ୍କ ହୋଇ ,
ତଥାପି ଶେଷ ଆଶାରେ ଚାହିଁଛ ମୋ ଆଡେ ଆନମନା ହୋଇ ।
କେବେ ହୁଏତ ମୋତେ ପାଇଯିବ ସେଇ ପୁରୁଣା ସ୍ମୃତି ହୋଇ ,
ମାଗିନେବ ମୋଠୁ ଜାଗାଖଣ୍ଡେ ଘର ଖଣ୍ଡେ କରିବା ପାଇଁ ।
କାଳେ ଆଉଥରେ ମାୟାରେ ଜଳିବ ପ୍ରେମର ବହ୍ନିଟିଏ ହୋଇ ,
କିନ୍ତୁ କିଛି ହେବନି କେବଳ ତୁମେ ରହିବ ଆଗକୁ ସ୍ମୃତିଟିଏ ହୋଇ ।।