ସ୍ମୃତି
ସ୍ମୃତି
ସ୍ମୃତି ସେ ତ ଅଭୁଲା ଅତୀତ ଗୀତି
ଭରଇ ମନରେ ପ୍ରୀତି,
ସ୍ମୃତି କେବେ ଜଗାଏ ମନରେ ଭୀତି
ଭୁଲି ହୁଏନା ସେ ସ୍ମୃତି।
ଭୁଲିବାକୁ ଯେତେ ଚାହିଁଲେ ବି ମନ
ପାରେ ନାହିଁ ତାକୁ ଭୁଲି,
ଯେତେ ବୁଝେଇଲେ ବୁଝେ ନାହିଁ ମନ
ଭାବନାରେ ଆସେ ଚାଲି।
ବିଜନ ବେଳାରେ ବସିଥିଲେ ଏକା
ଅତୀତକୁ ଯାଏ ଫେରି,
ମନ ତ ରହେନା ନିଜ ଆୟତରେ
ହୁଏ ଖାଲି ତାକୁ ଝୁରି।
ଶୀତୁଆ ସକାଳେ କୁହୁଡି ଅନ୍ଧାରେ
ମୁହଁ ତାର ଯାଏ ଦିଶି,
ପାଖକୁ ଗଲେ ତା ଦୂରେଇ ଯାଇ ସେ
କୁହୁଡିରେ ଯାଏ ମିଶି।
ସହର ଗଳିରେ ସଞ୍ଜର ଅନ୍ଧାରେ
ଚାଲୁଥାଏ ହାତ ଧରି,
ଦେଖୁ ଦେଖୁ ପୁଣି ଚାଲି ଯାଏ ସିଏ
ପଛକୁ ଚାହେଁନା ଫେରି।
ତାର ସେ ନିରୀହ ଚାହାଣୀରେ ଥିଲା
କଥା କେତେ ଅସରନ୍ତି,
ଓଠ ଧାରେ ତାର ଦେଖି ମିଠା ହସ
ମିଳୁଥିଲା କେତେ ତୃପ୍ତି।
ଜାଣେ ମୋ ଜୀବନ ପାନ୍ଥଶାଳାର
ଅଫେରା ସେ ଯେ ଅତିଥି,
ଫେରି ଆସିବନି କେବେ ମୋ ଜୀବନେ
ମନେ ପଡେ ସିନା ସ୍ମୃତି।