STORYMIRROR

Kali Kumar

Abstract

2  

Kali Kumar

Abstract

ସ୍ମୃତି ବେଳାଭୂମି

ସ୍ମୃତି ବେଳାଭୂମି

1 min
441

ଚାହିଁ ଦେଖେ ଯେବେ ଅତୀତ ପଥକୁ

ତୁମ ମୁହଁ ଦିଶିଯାଏ,

ସ୍ମୃତି ବେଳାଭୂମେ ପ୍ରୀତିର ସହିତେ

ତୁମ ପାଦଚିହ୍ନ ପାଏ

ଅଫେରା ସେ ଚିହ୍ନ ଲେଉଟିଲା ନାହିଁ

ଚିହ୍ନ ଛାଡ଼ି ଗଲା ଖାଲି,

ପଡ଼ି ରହିଛି ମୁଁ ସନ୍ତକଟେ ଭାନ୍ତି

ସୂର୍ଯ୍ୟ ଅସ୍ତ ପର ବାଲି

ସୂର୍ଯ୍ୟ ଅସ୍ତ ପରେ ଛାଇ ଅନ୍ଧକାରେ

ବେଳାଭୂମି ଖାଲି ହେଲେ,

ତୁମ ଅନ୍ୱେଷଣେ ତୁମରି ବୁହୁନେ

ସ୍ମୃତିର ଗଣ୍ଠୁଲି ଖୋଲେ

ଦିବସର ବ୍ୟଥା କହିବି ବୋଲି ମୁଁ

ଏକାନ୍ତକୁ ଚାହିଁ ବସେ,

ସୁଯୋଗ ସାଉଁଟେ ଉତ୍ତର ଆକାଶେ

ଧ୍ରୁବତାରା ଯେବେ ହସେ

ଛାଇ ଅନ୍ଧକାର ମିଞ୍ଜିମିଞ୍ଜି ତାରା

ନିଝୁମ ଶୂନ୍ୟତା ପାଇ,

ଅନ୍ତରର ବ୍ୟଥା ବୁହାଇ ଦିଏ ମୁଁ

ପ୍ରଗ୍ଲଭା ନଦୀଟି ହୋଇ

ଏହି ବେଳାଭୂମି ମୂକ ସାକ୍ଷୀ ଥିଲା

ଆମରି ପ୍ରେମର ଦିନେ,

ଉଡୁଥିଲେ ଯେବେ ପ୍ରେମ ପକ୍ଷୀ ସାଜି

ତା'ର ଉନ୍ମୁକ୍ତ ଗଗନେ

ନୀଳ ଆକାଶକୁ ଛୁଇଁ ଦେଇ ଆମେ

ଫେରୁଥିଲେ ତା' ର କୋଳେ,

ଭାସି ବୁଲୁଥିଲେ ମେଘମାଳ ସହ

ସମୟର ଅନ୍ତରାଳେ

ବାଲିର ଚଟାଣେ ଶାମୁକା ଗହଣେ

ଯେଉଁ ସ୍ମୃତି ସବୁ ଥୁଆ,

ସମୟ ସାଥିରେ ପୁରୁଣା ହେଲେ ବି

ସବୁ ଲାଗେ ପୁଣି ନୂଆଁ

କ୍ଳାନ୍ତି ମେଣ୍ଟାଇଛୁ ସ୍ମୃତି ସାଉଁଟିଛୁ

ଏହି ବେଳାଭୂମି କୋଳେ,

ଆଜି ସ୍ମୃତି ସବୁ ମିଶି ଯାଉଅଛି

ସମୁଦ୍ରର କଳା ଜଳେ

ସ୍ମୃତି ଗୋଟିକ ଯେ ସାଇତା ହୋଇଛି

ତାକୁ ଛାଡ଼ି କିଛି ନାହିଁ,

ପ୍ରତୀକ୍ଷା ପଥରେ ନୟନ ବିସ୍ଫାରି

ଦିନ କାଟୁଅଛି ମୁହିଁ

ସଞ୍ଜ ବଢ଼ି ପୁଣି ରାତି ହୋଇଗଲେ

ସ୍ମୃତି ଜୀବନ୍ୟାସ ପାଏ,

ରାତିର ଅନ୍ଧାରେ ସ୍ମୃତି ଝରିଯାଏ

ସୂର୍ଯ୍ୟ ଯେବେ ଧରା ଦିଏ

ସକାଳ ସ୍ପର୍ଶରେ ପୂର୍ବ ଆକାଶରେ

ସୁରୁଜଟି ଯେବେ ଉଏଁ,

ବିରହ ପ୍ରେମର କାହାଣୀ ଯେତକ

ସ୍ମୃତିର କୋଳରେ ଶୁଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract