ସମ୍ପର୍କର ନୂଆଁ ମୁହଁ
ସମ୍ପର୍କର ନୂଆଁ ମୁହଁ
କଳାମେଘ ଢେଉ ପାହାଡ଼ ସଦୃଶ
ଆକାଶରେ ଯେବେ ଦିଶେ
ଜଙ୍ଗଲ ପାହାଡ଼ ନଦୀ ନାଳ ଘେରା
ଏଇ ଆମ ଦେବଗଡ଼ ହସେ ।
ଅସ୍ତଗାମୀ ସୂର୍ଯ୍ୟର ସୁନେଲି କିରଣ
ବିଛେଇ ହୋଇ ଯାଇଛି
ମହାଦୃମ ପରି କଳା କଳା ବାଦଲ
ଆକାଶ ଦେଶେ ଖେଳୁଛି ।
ଆକାଶର ଦିଶେ ସୁନ୍ଦର ଶୋଭା
ବର୍ଷିବାକୁ ଢଳ ଢଳ
ଆଖି ଦୁଇ ତୋର ଉଚ୍ଛୁଳା ନଇ
ବହିଯାଏ କଳ କଳ ।
ଆକାଶରେ ମେଘ ଟୁପୁରୁ ଟୁପୁରୁ
ବରଷେ ତୁହାକୁ ତୁହା
ଧୂଆଁ ଧୂଆଁ ଦିଶେ ପାହାଡ଼ ଶିଖର
ବହୁଛି ଶୀତଳ ବାଆ ।
ଇନ୍ଦ୍ର ଧନୁର ସପ୍ତ ରଙ୍ଗ ଆଜି
ମୋ ଦେହେ ଯାଇଛି ଛୁଇଁ
ଆକାଶେ ମନ ଉଡ଼ିବୁଲେ ପୁଣି
ସପନର ସୁନା ଭୁଇଁ ।
ବାଦଲ ଫାଙ୍କରୁ ସୁନେଲୀ କିରଣ
ମୋ ଦେହେ ଚ଼ମକ ଦିଏ
ମୋ ମନ କଳିକା ଅଦିନରେ ଫୁଟି
ଚଉଦିଗ ମହକାଏ ।
ବିଜନ ଆକାଶ ତଳେ ମୁଁ ପଥିକ
ନିଃସଙ୍ଗତା ମୋର ସାଥି
ଚାଲି ଚାଲି ଯିବି ପ୍ରସସ୍ଥ ବିଥିରେ
ଯିବି ନାହିଁ ତିଳେ ଥକି ।
ସମ୍ପର୍କର ନୂଆଁ ମୁହଁ ଋତୁ ପରି
ବଦଳି ଯାଆନ୍ତି ଯେବେ
ମୋ ଆଖିରୁ ରୁଧିର ହୋଇ ସବୁ ସ୍ବପ୍ନ
ମନରେ ମଉଳେ ତେବେ ।
ମୋ ମନ ଆକାଶର ବାଆଁରା ପକ୍ଷୀ
ପାଏ ନାହିଁ ଥଳ କୁଳ
ତଥାପି ଉଡ଼େ ଅମାନିଆ ହୋଇ
ତୋ ସାଥେ ଗଢ଼ିବାକୁ ନିଡ଼ ।
