STORYMIRROR

Barsha Laxmi

Abstract Drama Romance

4  

Barsha Laxmi

Abstract Drama Romance

ସମ୍ପର୍କର ନଈତିରେ

ସମ୍ପର୍କର ନଈତିରେ

1 min
266

ସତ ଚେଷ୍ଟା କରିଛି ହେଲେ ବି

ତୁମକୁ ତ' ଲେଖିନାହିଁ,

କାରଣ ଟି ତା'ର ପଚାରିଲେ ଯେତେ

ଉତ୍ତରରେ କିଏ କାହିଁ ।


ମନ ଉପବନେ ସପନ କାନନେ

କେତେ ଆଙ୍କେ ତୁମ ଛବି,

ତୁମକୁ ଯଦି ମୁଁ ଲେଖିନପାରିଲି

କି ଲାଭ ହେଇ ମୁଁ କବି।


କିପରି କରିବି ତୁମକୁ ବର୍ଣ୍ଣନା

ଭାଳି ଭାଳି ଦିନ ସରେ,

ବାରମ୍ବାର ଢେଉ ମାଡି ତ' ଆସଇ

ହୃଦୟର ନଈତିରେ l


ପଦ ଚି଼ହ୍ନ ସବୁ ଲିଭେଇ ସେ ଦିଏ

କିଛି ରହେନାହିଁ ବାକି,

କାହିଁକି କେଜାଣି ତା' ନିଜ ଗର୍ଭକୁ

ନେଉଥାଏ ମୋତେ ଡାକି l


ସାତ ତାଳ ପାଣି ସିନ୍ଦୂକରୁ ବୋଧେ

ଦେବ ମୋତେ ସିଏ ମୋତି,

ବୁଝିପାରେ ନାହିଁ ମୋତି ଯିଏ ଦିଏ

କାହିଁ ସେ ଆଣେ ବିପତ୍ତି!


କାରଣ ଟି ତା'ର ତାକୁ ହିଁତ ଜଣା

ଜାଣିଛି ଆଉ ବା କିଏ

ଯେତେ ଯାହାକୁ ମୁଁ ପଚାରିବୁଝିଲେ

ଉତ୍ତର କେହି ନ ଦିଏ l


ଇଚ୍ଛା ହୁଏ ଭାରି ହୋଇ ବିଭାବରୀ

ଯାଆନ୍ତି କି ତୋ'ଠି ହଜି,

ଯେତେ ଯେଉଁଠାରେ ଖୋଜିଲେ ବି ମୋତେ

ନ ପାଆନ୍ତେ କେହି ଖୋଜି l


ଠିକଣା ହଜାନ୍ତି ସ୍ୱପ୍ନରେ ଭିଜନ୍ତି

ନିଃସଙ୍ଗତ ରାଜପଥେ,

ଏକା ଏକା ପୁଣି ନିଜକୁ ଖୋଜନ୍ତି

କେହି ନ ରୁହନ୍ତେ ସାଥେ l


ଭୟ ସୀମାନ୍ତର ପାରି ହୋଇଯାନ୍ତି

ନଥାନ୍ତା କାମନା ବାସ,

ବୁଝି ମୁଁ ପାରୁନି କେଉଁଠୁ ଆସୁଛି

ଏ ନିରିମାଖି ମିଠା ହସ l


କିଏ କେଉଁଠାରେ ଡାକୁଛିରେ ମୋତେ

ଉତ୍ତର ପଦିଏ ଦିଅ!

ପବନରେ ଯାହା ଭାସି ଆସୁଥିଲା

ତୁମେ ଖାଲି ମୋର ହୁଅ l


କବିତା ଏଇଠି ଅଧାରେ ରଖୁଛି

ଆଉ ନ ପାରଇ ଲେଖି,

ଭବିଷ୍ୟତ ମୋର ଲେଖି ନ ପାରଇ

ଛଳ ଛଳ ଦୁଇ ଆଖି l


ବୁଝି ଯେ ପାରିବ ନିଶ୍ଚୟ କହିବ

କାହା ହୃଦର ଏ ବ୍ୟଥା

ଅବୁଝା ହୋଇଲେ ପଚାରି ବୁଝିବ

ସତ୍ୟତା ଅଛି କି ମିଥ୍ୟା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract