ସମ୍ପର୍କର ନଈ ତୀରେ
ସମ୍ପର୍କର ନଈ ତୀରେ
ଅତୀତର କିଛି ପୃଷ୍ଠା ମେଲେଇଲେ
କେତେ କଥା ପଡେ ମନେ,
ଫୁଲ ଫୁଟିଗଲା ଅତର ବାସିଲା
ମୋ ମନ ଚନ୍ଦନ ବନେ l
ସ୍ମୃତି ସବୁ ଆଜି ମହୁ ଛିଟା ପରି
ଜୀବନରେ ଭରେ ମଧୁ,
ଆଖି ଦିନେ ମୋର ସ୍ୱପ୍ନ ଦେଖିଥିଲା
କେବେ ହେବି ତୁମ ବଧୂ ।
ସ୍ୱପ୍ନ ଅସୁମାରୀ ମଧେ ବିଭାବରୀ
କେଉଁଠି ହଜିଲା ସିଏ
ସରଗର ଚାନ୍ଦ ଏ ଶୂନ୍ୟ ଅମ୍ବରେ
ଲୁଚିଗଲା କାହିଁ ହାଏ ।
ସ୍ୱପ୍ନ ସବୁ ମୋର ଅମା ଅନ୍ଧକାର
କେଉଁଠି ଯାଇଛି ହଜି,
ଜିତିବା ହାରିବା ପ୍ରୟାସ ମଧ୍ୟରେ
ଜୀବନ ଲାଗିଛି ବାଜି l
ଦେହ ମନ ସବୁ ଯନ୍ତ୍ରଣାରେ ପୂର୍ଣ୍ଣ
ଭାବି ବସେ ପଛଦିନ,
ବିଶ୍ୱାସ ଆଜି ମୋ ବଇରୀ ସାଜିଛି
ନେବାକୁ ଚାହେଁ ଜୀବନ l
ଜୀବନ ଯମୁନା କରେ ଆନମନା
ଆଉ ମୁଁ ପାରୁନି ଲେଖି,
ଏତିକିରେ କ୍ଳେଶ ସମାପ୍ତ ହୋଇନି
ଆହୁରି ଅନେକ ବାକି l
ଲେଖି ବସିଲେ ମୁଁ କାହାଣୀ ହୋଇବ
କବିତାରେ କିବା ସରେ,
ଭାବିଦେଲେ ଆମ ଅତୀତର ବ୍ୟଥା
ନିତି ଜିଇଁ ନିତି ମରେ l

