ସମ୍ପର୍କ ନଦୀର ତୀରେ
ସମ୍ପର୍କ ନଦୀର ତୀରେ
ବିଶ୍ୱାସେ ସମ୍ପର୍କ ଅତ୍ମୀୟତା ଅର୍କ
ନିବିଡତା ହୃଦବନେ,
ଭିଜା ସ୍ନେହସ୍ମୃତି ଅସରା ସେ ପ୍ରୀତି
ନୀଳଉର୍ମି ସମ୍ମୋହନେ ।
ସ୍ୱାର୍ଥ,ଇର୍ଷାନେଇ ସମ୍ପର୍କ ଉଜୁଡେ
ଦୁନିଆ ଲାଗଇ ପର,
ଦି ଦିନ କୁଣିଆ ବିଚିତ୍ରତା ବାଢେ
ଏଇ ସେ ସମ୍ପର୍କ ସ୍ବର ।
ନିଜଠୁ ନିଜର ଅତି ଆପଣାର
ଏଇ ଯେ ଗହନ ବନ,
କିଏ ଜାଣେ ଏଠି କେତେବେଳେ କାର
ହଜିବ ଯତ୍ନ ଜୀବନ ।
ମୋହଗ୍ରସ୍ତ ହୋଇ ଭରସା ହଜାଇ
ଆତ୍ମଚିନ୍ତା ଅଭିମୁଖୀ,
ଘନ ଅନ୍ଧକାରୀ ସ୍ୱାର୍ଥମୟ ଶାରୀ
ନୁହେଁ କେବେ ଦିନେ ସୁଖୀ ।
ଦୁର୍ଲ୍ଲଭ ଜୀବନ ହୁଏ ହୀନିମାନ
ନିଜ ତ୍ରୁଟି ଲୁଚେକ୍ଷଣେ,
ସ୍ୱାର୍ଥର ସାରଥୀ ଆନ ଦୋଷ ସାଥି
ଜଳେ ଇର୍ଷାର ଇନ୍ଧନେ ।
ସ୍ୱର୍ଗସୁଖ ନରେ ହାତ ପାହାନ୍ତାରେ
ଶାନ୍ତହୁଏ ଅଳ୍ପକରେ,
ଭବ ପାରାବାରେ ଇଶ୍ୱର ହୃଦରେ
ନିର୍ମଳ ଚେତନା ଭରେ ।
ନିଜେ ଠିକଥିଲେ ଦୁନିଆ ସୁନ୍ଦର
ଚିନ୍ତନରୁ ହିଁ ଚରିତ୍ର,
ବ୍ୟକ୍ତିତ୍ୱ କାରଣ ଗୁଣ, କର୍ମଧାର
ସ୍ୱୟଂ ନିର୍ମଳ ପବିତ୍ର ।
ଭଲଯିଏ ପରା ଝଟକୁଣ ଥାଏ
ଖାଦ ନ,ଥାଏ ଲୋ ସେଠି,
ପରନିନ୍ଦା,ଚର୍ଚ୍ଚା ନକରଇ କେବେ
ଆଦର ହୃଦୟେ ବାଣ୍ଟି ।
ଜନ୍ମଠାରୁ ପରା ମଶାଣି ସତ୍ୟରେ
ଦିନକୁ ଦିନ ଯେ ସରେ,
ବାସ୍ତବତା ହଜେ ସ୍ବପ୍ନର ସାଗରେ
ରଙ୍ଗହୀନ ଜୀବନରେ ।
ତଥାପି ସମୟ ନୁହେଁ ଅପଚୟ
ଜ୍ଞାନଅଟେ ଯାର ସିଦ୍ଧ,
ଶୁଦ୍ଧ ଭାବନାରେ ପଦ୍ମପତ୍ରେ ସ୍ୱୟଂ
ନିର୍ବାଣତାରେ ସେ ବୁଦ୍ଧ ।
କ୍ଷଣ ଭଙ୍ଗୁର ଏ ଜୀବନ ପାହାଚ
ପବିତ୍ରତା ପରମାର୍ଥୀ,
ବିଶ୍ୱାସ, ଭରସା ସମ୍ପର୍କର କାଚ
ପଶ୍ଚାତାପ ଭୋଗେ ସ୍ଵାର୍ଥୀ ।
ନିଜ ବିଶ୍ୱାସରେ ଘୋଡା ଚଢିହୁଏ
ମମତାର ବଳୟରେ,
ଆପଣା, ପରର ଭେଦ ଅଭେଦଏ
ଶବ୍ଦହିଁ ଅଭିଧାନରେ ।
ଥରେ ଭାଙ୍ଗିଗଲେ ଯୋଡିବା ବୃଥାରେ
ଅଗ୍ନିସମ ସେ,ଦହନ,
ଶବ୍ଦ ହୁଏନାହିଁ ଯନ୍ତ୍ରଣା ହୃଦରେ
ନ ରୁହେ ସମ୍ପର୍କ ମାନ ।
ପରିସ୍ଥିତି ସାଥେ ଶାନ୍ତି ସ୍ଵଭାଵରେ
ଆଦର ଶିଖିଛି ଯିଏ,
ହାରିବା ଜାଣିନି ଜିତିବା ପଣରେ
ମହାନ ଆତ୍ମାଟି ସିଏ ।
