ସମ୍ଭାବନାର ସିଲଟ
ସମ୍ଭାବନାର ସିଲଟ
ସମ୍ଭାବନାର ସିଲଟରେ
ଗାରେଇ ଆଶା ଖଡିକୁ
ଲେଖୁଚି ନିଇତି ସ୍ଵପ୍ନକୁ
ଦୃଷ୍ଟି କେବେ ତ ପଡିବ ପ୍ରଭୁ
ସଜାଡିବ ମୋର ଭାଗ୍ୟକୁ ।
ବୃକ୍ଷ ପରି ଛିଡା ତୁମରି ସଂସାରେ
ସ୍ଵାଭିମାନର ମାଟିକୁ ଜାବୁଡି
ନିର୍ମୁଳି ଲତା ପରି
ସ୍ଵାର୍ଥ ଗୁଡେ଼ଇ ହୋଇଛି
ମୋ ଭିତରୁ ଟାଣୁଚି ମୋ ପଣକୁ
ଅନ୍ଧକାରକୁ ଠେଲୁଛି କି ଭବିଷ୍ୟତକୁ ?
କେତେ ବର୍ଷା କେତେ ଝାଞ୍ଜି
ସହୁଚି ସହୁଥିବି
ଜନମ ଦେଇଚ ଯେବେ
ଜୀଉଁଚି ଜୀଉଁଥିବି
ତୁମରି କିରଣ ଚେତନା ପବନ
ଯାହା ହେଉଛି ସାହା
ନହେଲେ କେଉଁ କାଳୁ
ଯାଆନ୍ତିଣି ଝାଉଁଳି
ଆଶ୍ଵାସନାର ଡେଉଁରିଆ
ସାଜିଛି ସଙ୍ଖାଳି
କ୍ରୋଧ ଲୋଭ ମୋହ
ଟାଣୁଛନ୍ତି ଚତୁର୍ଦ୍ଦିଗେ
ପାଉଣା ଦିଅନ୍ତି ସପନ ଠୁ ଆଗେ
ଖାଲି ଯାହା ତୁମରି ଭରସାରେ
ମେଲିଛି ପସରା ସଂସାର ହାଟରେ
ହୁଏ ପଛେ ହଟହଟା ନେଇ ସ୍ଵାଭିମାନକୁ
ଗାରେଇ ଚାଲୁଥିବି ସମ୍ଭାବନାର ସିଲଟକୁ ।।