ସମାଜ ଶଗଡ଼
ସମାଜ ଶଗଡ଼
ସମାଜ ଶଗଡ଼ ଘୂରୁଥାଏ ନିତି
ନାରୀ ପୁରଷ ଚକରେ
ଯା' ବୁଦ୍ଧି ପ୍ରଖର ସୁନାର ସଂସାର
ତୋଳି ରହେ ଆନନ୍ଦରେ
ନଥାଏ ଦୁଃଖ ସ୍ପର୍ଶ
ନିଜର ମହତ୍ତ୍ବ ବୁଝି ଲକ୍ଷ୍ୟ ପଥେ
ଧାଏଁ ସଦା କର୍ମ ବଶ
ଆନ ମୁଖରେ ଫୁଟାଏ ହସ ।
ପ୍ରତ୍ୟେକ ନିଜର ସୃଷ୍ଟି ସ୍ଥିତି ସଂଜ୍ଞା
ବୁଝି ପରିବାର ପାଇଁ
ସୂଚାରୁ ରୂପରେ ଦାୟିତ୍ବ କର୍ତ୍ତବ୍ୟ
ନିତି ଥାଆନ୍ତି ତୁଲାଇ
ନୀତି ଆଦରଶରେ
ନାରୀ ବି ଲଭେ ଉପଯୁକ୍ତ ସମ୍ମାନ
ତାହାର ଗୁଣ କର୍ମରେ
ଭେଦାଭେଦ ନଥାଏ ମନରେ ।
ପରସ୍ପରଠାରେ ସେନେହ ମମତା
ବଡ଼ସାନେ ଭକ୍ତି ପ୍ରେମ
ରହିଥାଏ ସଦା ହୋଇ ଉଜ୍ଜୀବିତ
ନହୁଏ ମନ ବିଭ୍ରମ
ଏମିତି ପରିବାର
ସମାଜ ବୁକୁରେ ଆଣଇ ନିଶ୍ଚୟ
ପରିବର୍ତ୍ତନ ସଂସ୍କାର
ଯାହା ସର୍ବ ପାଇଁ ଶୁଭଙ୍କର ।
ଈର୍ଷା ଦ୍ବେଷ ହିଂସା ଲୋଭ ଅହଂକାର
ଅନ୍ୟାୟ ଅନୀତି ଭାବ
ଯଦି ହୃଦୟେ ଜମାଇଲା ଆସ୍ଥାନ
ସୁସମ୍ପର୍କ ନରହିବ
କିଏ ସାଲିସ କରି
ଅଶାନ୍ତି ଦ୍ବନ୍ଦରେ ବିତାଏ ଜୀବନ
କିଏ ଆସେ ଅପସରି
ଯାଏ ସମାଜ ଶଗଡ଼ ହାରି ।
ଯୁଗେଯୁଗେ ଥିଲା ଏବେ ବି ରହିଛି
ସମାଜରେ ବ୍ୟଭିଚାର
ତଥାପି ଘୂର୍ଣ୍ଣନୁ ହୋଇନି ବିଚ୍ୟୁତ
ତା' ଶଗଡ଼େ ନାରୀ ନର
ଏତ ନିୟତି ଖେଳ
ଅଟକି ଯିବନି ଚାହିଁଲେ ବି କିଏ
ଗଡ଼ୁଥିବ ଚିରକାଳ
ହେଉଥିଲେ ବି ମେଳ ଅମେଳ ।
