ସଳିତାର ଗାଥା
ସଳିତାର ଗାଥା
ପଚାରିଲି ଦିନେ ଦୀପ ସଳିତାକୁ,
ଛାଡି ଜୀବନର ମୋହ,
ଜଳି ଜଳି ତୁ ନିଃଶେଷ ହେଇକି,
କି ଲାଭ ପାଉଛୁ କହ ।
ମୋ କଥା ଶୁଣି ସେ ହସି ଦେଇ କହେ,
ବୁଝି ପାରିବନି ତମେ,
ଜୀବନଟା ମୋର ଜଳିବା ପାଇଁକି,
ସମର୍ପିତ କାହା ପ୍ରେମେ ।
ଜାଣିଛ କି ନାହିଁ କହି ପାରିବିନି,
ହେଲେ ବି କଥାଟି ସତ,
ନିଆଁ ସହ ମୋର ଭାବ ଦିଆ ନିଆ,
ସିଏ ମୋ ହୃଦୟ ମିତ ।
ଜାଳିବାକୁ ସେ ଆନନ୍ଦ ଯେ ପାଏ,
ଜଳିକି ହୁଏ ମୁଁ ଖୁସି,
ଆମରି ଭିତରେ ଏଇମିତି ପ୍ରେମ,
ଚାଲିଥାଏ ବାରମାସୀ ।
ପଚାରିଲି ତାକୁ ପ୍ରେମ ପାଇଁ କିବା,
ଜୀବନ ଦେବାକୁ ପଡେ
କେଉଁ ଲାଭ କୁହ ସେ ପ୍ରେମରେ ଯଦି,
ଆଖିଟା ଲୁହ ଅଜାଡ଼େ
ଓଠେ ହସ ଭାରି କହିଲା ସେ ମତେ,
ତୁମେ ତ ବାଳୁତ ପିଲା,
ପ୍ରେମ ଗଭୀରତା ମାପିବା ପାଇଁକି,
ବୟସ ହେଇନି ଭଲା ।
ପ୍ରାପ୍ତି ଠାରୁ ତ୍ୟାଗ ଅଧିକ ମହତ,
ଏଇ ପ୍ରେମ ପରିଭାଷା,
ଶାଶ୍ୱତ ପ୍ରେମରେ ହୃଦୟ ଚାହେଁନି ,
ପାଇବାକୁ କିଛି ଆଶା ।
ଭଲପାଏ ବୋଲି ଜଳି ମୁଁ ଯାଉଛି,
ନାହିଁ ମୋର ମନ ଦୁଃଖ,
ପ୍ରେମ ପାଇଁ ମୁଁ ଯେ କରେ ଦେହ ତ୍ୟାଗ,
ଏଇ ଯେ ମୋ ପାଇଁ ସୁଖ ।
ସଳିତା ଅଛି ତ ନିଆଁ ବି ରହିଛି,
ଦୁନିଆ ଦେଖୁଚି ତାକୁ,
ଜାଳି ଦେଇ ସାରି ସେ ନିଆଁ ଟା ପୁଣି,
ଭୁଲେ ନିଜ ଅସ୍ତିତ୍ଵକୁ ।