ସେପଟ ଏପଟ
ସେପଟ ଏପଟ
ନଈ ସେପଟରେ ଗୋରୀର ଘର ଯେ,
ଏପଟରେ ମୋର ଘର,
ଆମ ଦୁହିଁଙ୍କର ମିଳନ ପଥରେ,
କଣ୍ଟା ଯେ ନଈର ଧାର ।
ସେପଟରେ ଗୋରୀ ଦେହ ପଖାଳିଲେ,
ଏପଟ ପାଣିରେ ଗୋଳି,
ସେଇ ପାଣି ଆଣି ଦେହେ ହାତେ ଦିଏ,
ଚନ୍ଦନ ପରିକା ବୋଳି ।
ସେପଟରେ ଗୋରୀ ପାଉଁଜି ନାଇଲେ,
ଏପଟେ ହୁଏ ଶବଦ,
ସେଇ ଶବଦରେ ହୃଦୟଟା ନାଚେ,
ମନ ହୁଏ ଗଦଗଦ ।
ସେପଟରେ ଗୋରୀ ମାଖିଲେ ଅତର,
ଏପଟରେ ବାସ ଛୁଟେ,
ମନ ବଗିଚାରେ ମଳୟ ବହେ ଯେ,
ପାରିଜାତ ଫୁଲ ଫୁଟେ ।
ସେପଟରେ ଗୋରୀ ଅଳତା ନାଇଲେ,
ଏପଟେ ସୁରୁଜ ଉଏଁ,
ପ୍ରିୟାର ଅଳତା ସୁରୁଜ ଦେହରେ,
ମନକୁ ମୋ ଛୁଇଁ ଯାଏ ।
ସେପ
ଟରେ ଗୋରୀ କବରୀ ଖୋଲିଲେ,
ଏପଟ ଆକାଶେ ମେଘ,
ଝିପି ଝିପି ବର୍ଷା ଦେହକୁ ଭିଜାଏ ,
ଶେଷ ଯେ ହୁଏ ନିଦାଘ ।
ସେପଟରେ ଗୋରୀ ଗାଇଦେଲେ ଗୀତ,
ଏପଟେ କୋଇଲି ତାନ,
କୁହୁ କୁହୁ ସୁରେ ହଜାଏ ନିଜକୁ,
ଶିହରୀତ ହୁଏ ମନ ।
ସେପଟରେ ଗୋରୀ ହସିଦେଲେ ଟିକେ,
ଏପଟେ ବିଜୁଳି ଆଭା,
ଅନ୍ଧାରି ମୁଲକେ ଆଲୋକ ସର୍ଜନା,
ଆହା କେଡେ ମନଲୋଭା ।
ସେପଟରେ ଗୋରୀ କଜ୍ଵଳ ନାଇଲେ,
ଏପଟେ ହୁଏ ଯେ ରାତି,
ବିଛଣାରେ ପଡି ଭାବୁଥାଏ ତାକୁ,
ମନରେ ଧରି ତା' ସ୍ମୃତି ।
ଏପଟେ ସିନା ଯେ ଦେହଟା ମୋହର,
ସେପଟେ ହୃଦୟ ଥାଏ,
କିଏ ଗଢିଦେବ ନଈରେ ଯେ ପୋଲ,
ମନ ବ୍ୟାକୁଳିତ ହୁଏ ।