STORYMIRROR

Abhiram Mandal

Classics Others

4  

Abhiram Mandal

Classics Others

ବାଆ ସୁଲୁ ସୁଲୁ ବହିଲା

ବାଆ ସୁଲୁ ସୁଲୁ ବହିଲା

2 mins
108

ନାଲି ଟୁକୁ ଟୁକୁ ସୁରୁଜ ବାପୁଡ଼ା 

ପୂରୁବ ଆକାଶେ ଉଇଁଲା,

ତୋଟା ମାଳ ଆମ୍ବ ଗଛର ଡାଳରେ 

କୋଇଲି କି ସୁରେ ଗାଇଲା,

ରାତି ପରା ଏବେ ପାହିଲା,

ନଡ଼ିଆ ଗଛର ବାହୁଙ୍ଗା ଫାଙ୍କରେ 

ବାଆ ସୁଲୁ ସୁଲୁ ବୋହିଲା ।

ଘର ପାଖ ଆମ ମାଳତୀ ଦେଠେଇ

ହାତେ ଲୁଣ୍ଡାକନା ଧଇଲା,

ଦାଣ୍ଡ ବାଡ଼ି ପିଣ୍ଡା ଲିପା ପୋଛା ସାରି 

ଅଗଣାକୁ ସିଏ ଆଇଲା,

ଗୋବରରେ ପାଣି ଘୋଳିଲା,

ଘର ଚାରିପାଖ ଅସନା ଠାଆକୁ 

ପବିତ୍ର ପାଣିରେ ଧୋଇଲା ।

ନୂଆବୋଉ ଆମ ତରବର ହେଇ 

ନଈକୁ ଗାଧେଇ ଧାଇଁଲା,

ଛମ ଛମ ତାର ପାଦର ଶବଦ 

ମନକୁ କି ରୂପେ ମୋହିଲା,

ଶାଶୁ ଗାଳି କରେ ଘାଇଲା,

ତର ନାଇଁ ତାକୁ ଶୁଖିଲା ପିନ୍ଧିବ 

ଓଦା ସରସର ଅଇଲା ।

ଏଇ ଦେଖ ଆମ ନିଧିଆ ଅଜା ସେ 

ଗୁଡ଼ାଖୁରେ ଦାନ୍ତ ଘଷିଲା,

ଶଉଚ ହେବାକୁ ପାହୁଲ ପକେଇ 

ବାଡ଼ି ତଳ ଆଡେ ଖସିଲା,

ଢାଳଟାକୁ ପାଶେ ରଖିଲା,

ହାତ ବାଜି ଢାଳ ଗଡିଗଲା ଏବେ 

ପାଣି ଯେ ମାଟିରେ ମିଶିଲା ।

ନଈକୂଳ ଘାଟ ଗାଧୁଆ ତୁଠରେ 

ମାଇପି ମହଲ ବସିଲା,

ଢେଙ୍କିଶାଳ ଠାରୁ ଢେଙ୍କାନାଳ ଯାଏ 

କିଏ କେତେ କଥା ଘୋଷିଲା,

କଥା ସବୁ ମନେ ପଶିଲା,

ଗାଧୁଆ ଶେଷରେ ଥୋକେ କହୁଥିଲେ 

ପର ଛିଦ୍ର ବଂଶ ନାଶିଲା   ।

ହଳୁଆ ଭାଇ ଯେ ବଳଦ କାନ୍ଧରେ 

ଜୁଆଳି ପକେଇ ଜୋଚିଲା,

ଗହିରି ବିଲରେ ଚାଷ ଆଜି ହେବ 

ମନେ ମନେ ସିଏ ପାଞ୍ଚିଲା,

ଘରଣୀଟି ଭାତ ଯାଚିଲା,

ଗାମୁଛା କାନିରେ ବନ୍ଧାବନ୍ଧି  କରି 

ହଳ ବଳଦକୁ ଖାଞ୍ଚିଲା ।

ଗାଈଆଳ ଟୋକା ଗୋରୁ ଗୋଠ ଧରି 

ଗାଆଁ ବାହାରକୁ ଘୁଞ୍ଚିଲା,

କପିଳା ପରିକା ରାଜା ହେଇଯିବ 

ମନରେ ସେ କେତେ କାଞ୍ଚିଲା, 

ଆଖିରେ ତା' ସ୍ୱପ୍ନ ନାଚିଲା,

ଗୋରୁଙ୍କୁ ଅଡ଼େଇ କଛା ଖୋଲି ଗଲା ତା

କୁ ଧରି ସିଏ କୁଞ୍ଚିଲା ।

ଗାଆଁ ମୁଣ୍ଡର ସେ ଚାଟଶାଳୀ ଘରେ 

ଅବଧାନ ପାଟି ଶୁଭିଲା,

ପଣିକିଆ ଡାକି ପାରିଲାନି ବୋଲି 

ବେତର ଆଘାତ ଲଭିଲା,

ପିଲାର କପାଳ ଫାଟିଲା,

ବେତ ପାହାରକୁ ପ୍ରାଣେ ଭୟ ତାର 

ପେଏଣ୍ଟରେ ସିଏ ମୁତିଲା ।

ସୁରୁଜ ଉଠିଲା ମୁଣ୍ଡ ଉପରକୁ 

ଦି ପହର ବେଳ ଆଇଲା,

ରୋଷ ବାସ ସାରି ଖାଇବା ବାଢିଲେ 

ଗାଆଁର ଯେତକ ତିରିଲା,

ଝାଂଜି ପବନ ଯେ ବୋହିଲା,

ସପ ମଶିଣାରେ ବିଶିରାମ ନେଇ 

ଖରା ବେଳଟା ଯେ ସଇଲା ।

ଖରା କମିଗଲା ଛାଇ ଲେଉଟିଲା 

ଗୋଧୂଳି ଲଗନ ବିତିଲା,

ଗୋରୁ ଫେରୁଥିଲେ ପକ୍ଷୀ ଲେଉଟିଲେ 

ଶୀତଳାଇ ଭୂଇଁ ତାତିଲା,

ରଜନୀ ଏବେ ଯେ ମାତିଲା,

ବଧୁଟିଏ ଦେଖ ଚଉରା ମୂଳରେ 

ସଂଜ ଦେଇ ହାତ ପାତିଲା ।

ଗାଆଁ ମଝି ଦେଖ ଭାଗବତ ଘରେ 

ଭାଗବତ ପଢ଼ା ହୋଇଲା,

ଦାସେ ପହଞ୍ଚିଲେ ଟିକେ ଡେରିକରି 

ନନା ଯେ ମୂଳରୁ ଗାଇଲା,

ସବୁଦିନେ ଚାଲେ ଏ ପାଲା,

ଦାସେ ମୁହଁରେ ଜବାବ କେ ଦେବ 

ଗାଆଁରେ ଜନମ ହୋଇଲା ?

ରାତି ବଢିଗଲା ଗାଆଁ ଗୋଟା ଯାକ 

ଏବେ ଯେ ନିଶୁନ ହୋଇଲା,

କିଆବୁଦା ମୂଳେ ବିଲୁଆଟା ପରା 

ହୁକେ ହୁକେ ହୋ ବୋବେଇଲା,

ତାଟିକବାଟ ଯେ ପଇଲା,

ଗାଆଁ ଠାକୁରାଣୀ ସୁମରଣା କରି 

ଯିଏ ଯାହା ଘରେ ଶୋଇଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics