ରହି ଯା' ରଘୁ
ରହି ଯା' ରଘୁ
ରହିଯା ରଘୁ...କରନା ତୁ ମନ ଊଣା
ଜୀବନ ଜଞ୍ଜାଳ ତ ସବୁରି ପାଇଁ
ଅଭିମାନେ ହୁଅନାରେ ବାଟବଣା,
ସଂପର୍କ ଗଢିଛୁଁ ଭାବ ଦିଆନିଆ କରିବାକୁ
ପରସ୍ପର ମଧ୍ୟେ ଦୁଃଖ ସୁଖ ବାଣ୍ଟି
ହଜାଇବା ନାହିଁ କେହି କା'ର ଠିକଣା।
କେଇଟା ଦିନର ଜୀବନେ ମୋହକୁ ଜାବୁଡି
ପର ଆପଣାର ସଂକୀର୍ଣ୍ଣତା ଭାବ
ମନେ ବାନ୍ଧି ଆଣ୍ଟ ହେୟ ମାରିବା କାହିଁକି କହ,
ଜୀବ ଯିବାବେଳେ ନେଇଯିବା କଅଣ
ସାଥୀରେ ଅରଜି ଥିବା ଧନ ସମ୍ପତ୍ତି...
ଯା' ଲାଗି ବ୍ୟସ୍ତ ବିବ୍ରତ ହେଉ ଅହରହ ?
ରହିଯା ରଘୁ...ମନକୁ କରୁ ତୁ ଥୟ
ଶଙ୍କା ସନ୍ଦେହ ଅବିଶ୍ୱାସ ଥିଲେ ହୃଦେ ଭରି
ଅମୃତ ବି ଲାଗିବ ହଳାହଳ ବିଷ ପରି,
ନିରିମଳ ଭାବ ପବିତ୍ର ଭାବନା
ଶକ୍ତି ସାମର୍ଥ୍ୟର ଏକ ଚିରନ୍ତନ ଉତ୍ସ
ଧ୍ୟାନ ଧାରଣାରେ ସତ୍ୟ ଅହିଂସାକୁ ରଖ ଧରି।
ଅନ୍ୟ ସାଥେ କେବେ ନିଜକୁ ତଉଲି
ଛୋଟ ବଡ ମନୋଭାବ ତୁ ମନକୁ ଆଣନା
ପ୍ରତିଟି ମଣିଷ ଅନନ୍ୟ ପ୍ରତିଭାର ଅଧିକାରୀ,
ନିଜ ନିଜ ଦକ୍ଷତା ସାଧନା ଶକତି ବଳେ
କରେ ବିକଶିତ ସଂସାରର ମଙ୍ଗଳ ଲାଗି
ସୃଷ୍ଟି ନିୟମ ନୀତିକୁ ଏକାଗ୍ରେ ଅନୁସରି।
ରହିଯା ରଘୁ...ନିଜକୁ ନିଜେ ତୁ ଚିହ୍ନି
ମହାପ୍ରଭୁଙ୍କର ମହାଶକ୍ତିର ମଣିଷ ଏକ ଅଂଶ
ଜଗତର ସେବା ଲାଗି ତା ଆବିର୍ଭାବ,
ନିଜପାଇଁ ଏଠି ବଞ୍ଚିବାର କି ମୂଲ୍ୟ ଅଛି...
ମାନବ କଲ୍ୟାଣେ ନହେଲେ ନିୟୋଜିତ
ଆସେନା ତୃପ୍ତି ଥିଲେ ଥାଉ ଯେତେ ବିଭବ।
ନିଜ ଭିତରର ଅହଂଭାବ ଏଡି ଦେଇ ସବୁ
ପରମାତ୍ମାଙ୍କ ପଦେ ହେବାକୁ ଲୀନ
କାମନା ଶୂନ୍ୟ ହୋଇ ନିଜକୁ କର ସମର୍ପଣ,
ରହିବ ନାହିଁ ଅଶାନ୍ତି କି କ୍ଳେଶ କିଛି
'ବସୁଧୈବ କୁଟୁମ୍ଵକମ୍'ର ଚିନ୍ତାଧାରାରେ
ଜୀବନ ଯନ୍ତ୍ରଣାରୁ ପାଇବୁ ପରିତ୍ରାଣ।
ରହିଯା ରଘୁ....
