ସାବିତ୍ରୀ
ସାବିତ୍ରୀ
ଅରଣା ମଇଁଷି କରୋନା ଚଢିକି
ଯମରାଜ ଆସି ଧାଇଁକି
କହନ୍ତି ସାବିତ୍ରୀ ନ କର ମା ଜିଦି
ଛାଡ଼ି ଦେ ତୋ ସ୍ୱ।ମୀକି ।
ନାହିଁ ତା ଜୀବନ ସିଏ ଜଡ଼ ପିଣ୍ଡ
ନୀୟମ ବଡ଼ କଠୋର
ମାତା ପିତା ସ୍ୱ।ମୀ ପୁତ୍ର କନ୍ୟା କେହି
ନୁହେଁ ଏଠି ଆପଣାର ।
ଅସାର ସଂସାରେ ସବୁ ତ ଅଳୀକ
ମୃତ୍ୟୁ ଏକା ଧ୍ରୁବ ସତ୍ୟ
ଲୋକ ଦେଖାଣିଆ ଭଣ୍ଡାମି କେବଳ
ବାରମାସେ ତେର ବ୍ରତ ।
ଦୁଇ ହାତ ଯୋଡ଼ି କହନ୍ତି ସାବିତ୍ରୀ
ଶୁଣ ଆହେ ଜନ୍ତୁରାଣ
ମଥାରେ ପିନ୍ଧିଛି ଦେଖ ମୁଁ ସିନ୍ଦୂର
ଚୂଡି ଶଙ୍ଖା ରୁଣଝୁଣ ।
ଧର୍ମ ମୋ ଜୀବନ ସୃଜନ ପାଳନ
ଗାଏ ମୁଁ ଜୀବନ ଗୀତ
ଜୀଉଛି ଜୀବନ ଜିଣୁଛି ଜୀବନ
ମୃତ୍ୟୁର ନାହିଁ ଅସ୍ତିତ୍ବ ।
ତୁମେ କାଳ ଯମ ଛାୟାର ସଦୃଶ
ମୁଁ ଆଲୋକ ଜ୍ୟୋତି ରାଶି
ସ୍ନେହ ମମତାର 
; ଅମୃତ ବରଷି
ପାରିବନି ତୁମେ ହସି ।
ସହକର୍ମୀ ମୁଁ ଯେ ଅଟେ ସହଧର୍ମୀ
ସହଚରୀ ପତ୍ନୀ ଭାର୍ଯ୍ୟା
ସୁସାହିତ୍ୟେ ମୋର ଉନ୍ମେଷେ ପ୍ରକୃତି
ମଧୁକ୍ଷରା ମଧୁଛନ୍ଦା ।
ରୋଗ ମହାମାରୀ ଭୟ ଆତଙ୍କର
ସୂତ୍ରଧର ବିଭୀଷିକା
କରି ଜାଣ ତୁମେ ଖଳ ଅଭିନୟ
ବଜାଅ ନିଜର ଡଙ୍କା ।
ମୁଁ ନାରୀ ସାବିତ୍ରୀ ସେବା ତ୍ୟାଗ ମୂର୍ତ୍ତି
ଜୀବନର ଜୟ ଗୀତି
ପତ୍ନୀ ହୋଇ ଜଣେ ପାଳିବା ଧରମ
ମାମୁଲି ନୁହେଁ ଏମିତି ।
ନେଇଯିବା ପାଇଁ ସୁନ୍ଦର ଜୀବନ
ଦେଉଛ ଯଦି ଆହ୍ୱାନ
ସୃଜି ଦୂବ ତୃଣ ଦିଅ ହେ ପ୍ରମାଣ
ସମର୍ପିବି ସତ୍ୟବାନ ।
ଯୋଡ଼ି ଦୁଇ ହସ୍ତ କହନ୍ତି ଦଣ୍ଡେଶ
ପ୍ରଣାମ ଘେନ ଜନନୀ
ନିମିତ୍ତ ମୁଁ ମାତ୍ର ପ୍ରକୃତି ସେବକ
ମାତା ତୁମେ ବିଜୟିନୀ ।