STORYMIRROR

Satyabati Swain

Romance

3  

Satyabati Swain

Romance

ସଖୀ

ସଖୀ

1 min
218

ମୁଁ ମଧ୍ୟାହ୍ନର ସୂର୍ଯ୍ୟ

ଦର୍ପଣ ସଂଗେ କଥା ହେଉଥିଲି

ନିଜ ସହ

କଅଁଳ ଖରା ଧାସକୁ ଖୋଜି

କେଜାଣି ତା ମୁହଁଟି ହଠାତ

ଦିଶିଗଲା ମୋ ଦର୍ପଣରେ ।

 

ତୋଫା କୁମାର ପୁନେଇ ଜହ୍ନ ପରି ତା ଦେହ

ପିନ୍ଧିଥିଲା ଗାଢ଼ ନୀଳ ଚୁଡ଼ିଦାର

ଦିଶୁଥିଲା ନୀଳ ପ୍ରଜାପତି ଟିଏ

ସାଥୀଗହଣେ ହସର ଫୁଲ ଫୁଟେଇ ଆସୁଥିଲେ ସେ

 ପି.ଏଲ୍.ଟି. ଟପି

ତାଙ୍କ ନୀଳ ପରି ବେଶ ଦେଖି ମୁଁ କମେଣ୍ଟ୍ ଦେଲି

ଆକାଶ କଣ ଧରାରେ!!!


ସେ ପଛକୁ ଟିକେ ଚାହିଁଲେ

ଖିଲି ଖିଲି ହସିଲେ

ହସରେ କରେଣ୍ଟ ଥିଲା

ଯେମିତି କଳା ମେଘ ଦେହରେ 

ତଡିତ୍ ବିଜୁଳି ଚମକି ଗଲା

ମୋ ଦେହ ଗଗନରେ

ବେହୋସ୍ ମୋ ଚିନ୍ତା ଚେତନାକୁ

ଗ୍ରାସ କଲା ସେ ନୀଳ ପ୍ରଜାପତି ହସ।


ବାସ୍ ! ଏତିକି କଥା

ତାପରେ ସେ ମୋତେ 

ପ୍ରେମର ଗଙ୍ଗଶିଉଳି ବାସ୍ନାରେ 

ପୁରା ଓଦା କଲେ

ଦେବ ଦାରୁ ଗଛ ତଳେ 

ନିଇତି ବସିଲେ ହଳେ ପ୍ରେମ ପକ୍ଷୀ

ପିଠି କରି ସହସ୍ର ଆଖିକୁ।


ଦିନେ ସେ କହିଲେ ସଖା!!

ଚମକି ପଡିଲି

ରଙ୍ଗରେ ମୁଁ କୃଷ୍ଣ

ତୁମେ କଣ ଦ୍ରୌପଦୀ କି !

କୃଷ୍ଣର କୃଷ୍ଣା !

ପ୍ରିୟ ସଖୀ ମୋର !!


ସୁଦୁ ରଙ୍କୁଣା ଟା

ସ୍ନେହ ଶ୍ରଦ୍ଧା, ସଫା ହୃଦୟର ମଣିଷଟେ ମୁଁ

ଗୋଡ଼ା କି ଦୌଡା

ରେସ୍  ମୁଁ ନଥାଏ

ଆପଣାପଣ ଟିକେ ମିଳିଲେ

ଢଳି ପଡେ।


କିନ୍ତୁ ନୀଳ ପ୍ରଜା ପତିଟା

ମୋ ଦେହକୁ ନେଇ ଖେଳିଲା

ତା ଦେହର ସବୁ ତାତି ମୋତେ ଦେଇ

ମୁଁ କୁରୁଳି ଉଠିଲି

ତା ପ୍ରେମ ଅକାତ ପାଣିରେ ଡୁବି

କଥା ଥିଲା ଆମେ ଆଜୀବନ 

ସାଙ୍ଗ ହୋଇ ଉଡିବୁ

ବସାଟିଏ କରି।


ହେଲେ କଣ ହେଲା କେଜାଣି

ସଖୀ ମୋର ହଠାତ୍ ନିଖୋଜ

ଭେଟିଥିଲି ଥରେ 

ଆଉ ଏକ ପକ୍ଷୀ ସହ

ଚଞ୍ଚୁ ଘଷୁଥିଲା ସେ

ଯୋବ୍ରା ବ୍ରିଜ୍ ପାଖରେ।


ତାପରେ ହଜି ଗଲା ତା ଠିକଣା

ନିରୁଦ୍ଦିଷ୍ଟ ସେ ସେଇ ଦିନୁ

ମୋ ବଗିଚାରୁ

ଦୀର୍ଘଶ୍ବାସ ବେଳେ ବେଳେ କଷ୍ଟ ଦିଏ

ସଖୀ କଥା ଭାବି

ପ୍ରତାରିତ କଲା କିଆଁ ପଳାତକ ସାଜି ?

କଣ ବୋଲି ମୁଁ ଅଭାବୀ ?


ସଖା ଓ ସଖୀ !!

ମହୁ ଥୋପା ଖସି ପଡେ

ନିର୍ମଳ ପ୍ରେମ ଏ ସମ୍ବୋଧନେ

ମର୍ତ୍ତ୍ୟର ସବୁ ସମ୍ପଦ ଠୁଳ ହୋଇ ଯାଏ

ନିର୍ମୋହ ଏ ପବିତ୍ର ଶବ୍ଦରେ।


ଜାଣିନି ତୁମେ ଏବେ କେଉଁଠି ସଖୀ ?

କିନ୍ତୁ ଯେଉଁଠି ଥାଅ

ସେମିତି ହସୁଥିବ

ଶାନ୍ତି ସୁସ୍ଥତା ମହୁ ଝରୁ ଥିବ 

ତୁମ ସୁସ୍ଥ ସୁରକ୍ଷିତ ପୃଥିବୀରେ

 ଖୁସି କପୋତ ତୁମ ଅଗଣାରେ

ଘୁମୁରୁ ଥିବରେ ସଖୀ 

ମୋ ସବୁତକ ପ୍ରେମ ତୁମ ପାଇଁ ଜାଣିବ

ସାଇତି ରଖିଛି।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance