ସିଧାକଥା-109 :ବ୍ୟଙ୍ଗ କବିତା: ତୁଣ୍ଡିକୁ ଡର -ଡକ୍ଟର କୃତ୍ତିବାସ ନାୟକ
ସିଧାକଥା-109 :ବ୍ୟଙ୍ଗ କବିତା: ତୁଣ୍ଡିକୁ ଡର -ଡକ୍ଟର କୃତ୍ତିବାସ ନାୟକ
ମୁଖେ ତୁଣ୍ଡିଦେଇ ଯାଉଥିଲି ମୁହିଁ ଅଛି କରୋନା ବିପଦ,
ଚରାବୁଲା ସାରି ଆସୁଥଲା ଫେରି ଆମରି ଧଳା ବଳଦ |
ମୋ ତୁଣ୍ଡିକୁ ଦେଖି ଗଲା ସେ ତରକି ଲାଞ୍ଜକୁ ଟେକି ଧାଇଁଲା,
ଫେରିଆସି ପୁଣି ମୋତେ ଚିହ୍ନିପାରି ଦଣ୍ଡେ ମୁହଁକୁ ଚାହିଁଲା |
କହିଲା ବଳଦ ହଇରେ ମଣିଷ ! ଏତେସରି କିଏ କଲା ?
ବାଛୁରୀ ନୁହଁ କି ବଳଦ ନୁହଁ ତୁ କିଏ ତୁଣ୍ଡି ବାନ୍ଧିଦେଲା ?
ଛୋଟବେଳେ ମୁହିଁ ଓଟେଇରେ ରହେ ମାଆକୋଳ ପାଏନାହିଁ,
ବାହାରିଲେ ପୁଣି ତୁଣ୍ଡି ବାନ୍ଧିଦେଉ କାଳେ କ୍ଷୀର ଦେବିପିଇ |
ବଡ଼ହେଲି ମୋତେ ଜୁଆଳିରେ ବାନ୍ଧି ହଳକରି ନେଇଯାଉ,
ହିଡ଼ଘାସ କିବା ପାଖବିଲ ଧାନ କାଳେ ଖାଇଯିବି କହୁ |
ତୁଣ୍ଡି ବାନ୍ଧି ମୋତେ ହଳକରୁ ସିନା ପିଠିରେ ଦେଉ ପାହାର,
ବେଙ୍ଗଳାରେ ଧାନ ମଳିବା ବେଳରେ ତୁଣ୍ଡି ବାନ୍ଧୁ ତୁଣ୍ଡେ ମୋର |
ସେଦିନର ଦୁଃଖ ଭୁଲି ହୁଏନାହିଁ ମୁକହେଇ ସବୁ ସହେ,
କହିପାରେ ନାହିଁ କର୍ମକୁ ଆଦରି ମନଇଚ୍ଛା ଗାଳିଦିଏ |
ମନେ ମନେ କେତେ ଅଭିଶାପ ଦିଏ-ତୁଣ୍ଡି ଲାଗୁ ତୋ' ତୁଣ୍ଡରେ,
ତୁଣ୍ଡି ଖସିଗଲେ ପୁଲିସର ଠେଙ୍ଗା ପଡ଼ିଯାଉ ତୋ' ମୁଣ୍ଡରେ |
ମୋର ଅଭିଶାପ ଲାଗିଲା କି ତୋତେ ମୁଁ ଏବେ ଖୋଲାରେ ବୁଲେ,
ହଳ କି ବେଙ୍ଗଳା ଝମେଲା ଯାଇଛି ଟ୍ରାକ୍ଟର ବିଲରେ ଚାଲେ |
ବଳଦର କଥା ବାଧିଲା ବହୁତ କି' ଉତ୍ତର ତାକୁ ଦେବି ?
ଭାବିଲି ଏଥର ଠାକୁରଙ୍କୁ ଡାକି ବଳଦ ଜନମ ନେବି |
ଲାଗିବନି ତୁଣ୍ଡି ଧୋଇବିନି ହାତ ବୁଲୁଥିବି ଷଣ୍ଢ ପରି,
ପୁଲିସର ଡର ନଥିବ ମୋହର ଡେଇଁବି ହେଲେ ବାଛୁରୀ |
