ତୋ-ମୋ-ଭିତରେ ଥାଉ
ତୋ-ମୋ-ଭିତରେ ଥାଉ
ରତନି ଅପାଟି ଯାଇଥିଲା ଦିନେ ପରିବା ବିକି ,
ଛକ ଆଗୁଁ ଟିକେ ବୁଲି ପଡ଼ିଲା ସେ ଆର ସାଇକି ।
"ପରିବା ନିଅ ଗୋ ସଜ ପରିବା"ସେ ଡାକ ପକେଇ ,
ଯାଉ ଯାଉ ପୁଣି ବିକି ଚାଲିଥିଲା ରଖି ଟୋକେଇ ।
ସାଇ ମଝାମଝି ହୋଇଛି କି ନାହିଁ ଶୁଭିଲା ପାଟି ,
ଚିହ୍ନା କଣ୍ଠ ଯେଣୁ ଲାଗିଲା ,ଚାହିଁଲା ସେ ଲେଉଟି ।
ତାଙ୍କ ଗାଆଁ ରଘୁ ବେହେରା-ଝିଅ କଚାଡ଼ି ଗୋଡ଼ ,
ଦୁମୁ ଦୁମୁ ହୋଇ ନାଚୁଛି ହେଉଛି ଭଡ଼ ଭଡ଼ ।
"ୟା ହାତ ଧରିବା ଦିନରୁ ,ମୋର ସୁଖ ସରିଲା ,
ଚାକରାଣୀ ପରି ଖଟେଇ-ଇଏ ମୋତେ ମାରିଲା ।
ବାପ ଘରେ ବଢ଼ିଥିଲି ମୁଁ ବଡ଼ ଅଲିଅଳରେ ,
କରମ ଫାଟିଲା ,ହେଉଛି ଦହଗଞ୍ଜ ଏଠାରେ ।"
ତା' କଥା ସରିନି ତୁଣ୍ଡରୁ ଜୋଇଁ ଉତ୍ତର ଦେଲା ,
"ଏଠିକି ଆସିବା ଦିନରୁ ଖାଲି କରୁଛୁ ପାଲା ।
କହୁନାହିଁ କିଛି ବୋଲି ମୁଁ-ମୁହଁ ଯାଉଛି ବଢ଼ି ,
ସକାଳଟା ପାହୁ ନ ପାହୁ ତୋର ଶୁଭୁଛି ରଡ଼ି ।
ପାଦ ଦେଉ ଦେଉ ଏ ଘରେ ଚୁନା କଲୁ ସଂସାର ,
ବୁଢ଼ାକାଳେ ବାପା ,ମାଆଙ୍କୁ ଘରୁ କଲୁ ବାହାର ।
ଭାଉଜ ସାଙ୍ଗରେ ଯୁଝିକି ତୁ ଲୋ ଅଲଗା ହେଲୁ ,
ତା' ପରଠୁ ପରା ତୁ ମୋତେ ପୂରା ଚାକର କଲୁ
ଖରାତରାରେ ମୁଁ ଖଟିକି ଯାହା ଆଣିଲି ଧନ ,
ରାନ୍ଧିକି ତ ଗଣ୍ଡେ ଦେଲୁନି କେବେ ବୁଝିକି ମନ ।
ଓଲଟି ଫୁଲେଇ ହୋଇ ତୁ ଖାଲି କୁନ୍ଥେଇ ହେଲୁ ,
ଦେହ ଅସକତ ଲାଗୁଛି କହି ବାହାନା କଲୁ ।
ଦିନ ରାତି ଖଟାଇଲୁ ଲୋ ସଦା ପାଦରେ ତୋର ,
ରନ୍ଧାବଢ଼ା ଘର ଓଳାରେ ଦିନ ବିତିଲା ମୋର ।
ଛୁଆ ଧନ୍ଦା ପୁଣି ତହିଁରେ ସବୁ ବୁଝିଲି ମୁହିଁ ,
ଏଣେ ତେଣେ ଖାଲି ବୁଲିଲୁ ସଜବାଜ ତୁ ହୋଇ ।
ଝାଳବୁହା ଧନ ସାଇଲୁ ଶାଢ଼ି ଗହଣା କିଣି ,
ବାପଘରୁ ଯାହା ଆଣିଛୁ କିଏ ନାହାଁନ୍ତି ଜାଣି
ହାତଧରି ଆଣିଥିଲି ଲୋ କରି ବହୁତ ଆଶା ,
ବୃଦ୍ଧକାଳେ ବାପ ,ମାଆଙ୍କ ହେବୁ ବୋଲି ଭରସା ।
ଭାଉଜ ସଙ୍ଗରେ ମିଶିକି ସମ୍ଭାଳିବୁ ତୁ ଘର ,
ଆସୁ ଆସୁ ଘର ଭାଙ୍ଗିଲୁ କଲୁ ସଭିଙ୍କୁ ପର ।
ଯେତେ ଯାହା କଲେ-ଦେଲେ ବି ନାହିଁ ତୋ ମନେ ସୁଖ ,
ଜାଣିନି କି ଖୁସି ପାଉଛୁ ମୋତେ ଦେଇ ତୁ ଦୁଃଖ ।"
ଜୋଇଁ କଥା ଶୁଣି ରତନି ଅପା ଭାବିଲା ମନେ ,
ଯେଡ଼େ ଅଲିଅଳି ଥିଲା ଏ ସବୁ ଜାଣନ୍ତି ଜନେ ।
ମାଆ ଝିଅଙ୍କର ଦାଉରେ ବାପ ରହେନି ଘରେ ,
ମୂଲ ଲାଗି ନିତି ଯା' ଆଣେ ସ
ବୁ ନିଶାରେ ସାରେ ।
ତୋରାଣି ମୁନ୍ଦାଏ ପିଇ ଏ ଯାଏ ଛେଳି ଚରେଇ ,
ଆମ୍ବ,ଜାମୁ ଆଣି ବିକିଲେ ୟାଙ୍କ ଚୁଲି ଜଳଇ ।
ନୁଖୁରା ମୁଣ୍ଡରେ କେବେବି ଇଏ ତେଲ ମାଖିନି ,
ପୁନିଅଁ ପରବ ଦିନରେ ଭଲ ମନ୍ଦ ଚାଖିନି ।
ମୁହଁ ଟାଣ କରି ଏଇଠି କେତେ କଥା କହୁଛି ,
ତା' କଥା ଶୁଣିକି ମୋହର ମୁଣ୍ଡ ଘୂରି ଯାଉଛି ।
ମାଆଟା ବି କହି ବୁଲୁଛି 'ଝିଅ ପାଇଲା ଦୁଃଖ ,
କି ବେଳାରେ ଜୋଇଁ କଲି ଯେ ଦିନେ ଦେଲାନି ସୁଖ '।
ଏତେ କଥା ଅଛି ଭିତରେ ଜମା ନ ଥିଲି ଜାଣି ,
ଚିନ୍ତାକରି ଟିକେ ରତନି ଅପା ଭାଷିଲା ବାଣୀ ,
"ଆଲୋ ଝିଅ ଇଏ କି କଥା ଏଠି ଶୁଣୁଛି ମୁହିଁ ,
ଦିନ ରାତି ତୋର ସେବାରେ ଖଟୁ ଅଛନ୍ତି ଜୋଇଁ
ଶୁଣିଲି ସେ ସବୁ ଯାହା ତୁ ଏବେ ଏଠି କହିଲୁ ,
ତୋତେ-ମୋତେ ଜଣା ଗାଆଁରେ ଯୋଉ ସୁଖରେ ଥିଲୁ
ବୁଝିବା ଶୁଝିବା ଝିଅ ତୁ କିସ କହିବି ତୋତେ ,
ମାଆ ବୁଦ୍ଧି ଶିଖି ଏଇଠି ଧନ୍ଦା କରନା ଏତେ ।
ଜୋଇଁଟାକୁ ତୁହି ରାନ୍ଧିକି ଦେଏ ଶାନ୍ତିରେ ମୁଠେ ,
ତା' ହେଲେ ସେ ସୁସ୍ଥ ରହିବ ବାହାରେ ଏତେ ଖଟେ ।
ସୁଖ ,ଶାନ୍ତି ଘରେ ପୂରିବ କଥା ମାନିବୁ ଯଦି ,
ଦୋଷ ମାଗି ବୁଢ଼ା ବୁଢ଼ୀଙ୍କୁ ନେଇ ଆ' ତୁ ଜଲଦି ।
ଧରିନେ ଏମାନେ ତୋହର ନିଜର ବାପ-ମାଆ ,
ଦୁଃଖେ ସୁଖେ ଥିଲେ ପାଖରେ ଆପେ ହୋଇବେ ସାହା ।
ଗାଆଁ ସୁଖ ତୋର ଦେଖିଛି ଶାଶୁଘର ଦେଖିଲି ,
ଗୋଟି ଗୋଟି କରି ଏ କଥା କାନିରେ ମୁଁ ବାନ୍ଧିଲି ।
ନ ହେଲେ ଗାଆଁରେ କହିବି ଏଠି ଦେଖିଲି ଯାହା ,
ମୁହଁକୁ ଦେଖାଇ ଦାଣ୍ଡରେ କେହ୍ନେ ଚାଲିବ ମାଆ
ଗରଜିବ ବାପ ଜାଣିଲେ ଏଇ ଅସଲ କଥା ,
ଭାବିଦେଖ୍ ଯାହା କରିବ ମାଆ ,ଝିଅ ଅବସ୍ଥା ।"
ସବୁ ଶୁଣି ରେବ କହିଲା-"ଅପା କହନି ଆଉ ,
ଶୁଣିଲୁ ଯା' ଆଜି ସେ ସବୁ-ତୋ-ମୋ ଭିତରେ ଥାଉ ।
କହିବୁନି କିଛି ଗାଆଁରେ ତୋର କଥା ମାନିବି ,
ଶାଶୁ ଶ୍ୱଶୁରଙ୍କୁ ମୋହର ରାନ୍ଧିବାଢ଼ି ମୁଁ ଦେବି ।
ୟାଙ୍କ କଥା ବି ମୁଁ ବୁଝିବି କଳି କରିବି ନାହିଁ ,
ନେହୁରା ହେଉଛି ଅପା ଲୋ, କହିବୁନି ତୁ କାହିଁ ।"
"ଝିଅ ଲୋ ତୋ କଥା ରଖିବି ମୋର ମାନିଲେ କଥା ,
ନ ହେଲେ ମୁଁ କହି ବୁଲିବି ଗାଆଁ ସାରା ଜାଣିଥା' ।"
ସେଇଦିନୁ ରେବ ସତରେ ପୂରା ବଦଳିଗଲା ,
ଶାଶୁ ,ଶ୍ବଶୁର ଓ ସ୍ୱାମୀଙ୍କୁ ଗଣ୍ଡେ ଶାନ୍ତିରେ ଦେଲା ।