STORYMIRROR

Kali Kumar

Comedy Drama Tragedy

4  

Kali Kumar

Comedy Drama Tragedy

ଦ୍ରୁତ ଗତି ମହା ବିପତ୍ତି

ଦ୍ରୁତ ଗତି ମହା ବିପତ୍ତି

3 mins
172

ଆପଣଙ୍କୁ ମିଛ, ମତେ ସତ

କେତେବେଳେ, କେମିତି, କେଉଁ ରୂପେ ଆସେ ବିପଦ

ଶିଖିଛି ମୁଁ ଏଇ ଏବେ ଏବେ ଯାହା

ଧର୍ଯ୍ୟ ଧର !

ଗୋଟି ଗୋଟି କରି କହିବି ତାହା

କିନ୍ତୁ ମଝିରେ ମଝିରେ କରୁଥିବ

ଚୁଉଁ ଚୁଆଁ, ଉହୁଃ !ଆହାଃ !

ଚୁଉଁ ଚୁଆଁ, ଉହୁଃ !ଆହାଃ !

ଅନେକ ଦିନର ବିରତି ପରେ

କଲେଜ ବାହାରିଲି ଦିନେ ସାଢ଼େ ନଅରେ

ପ୍ରିନ୍ସିପାଲ ଆମ ଦେଇଛନ୍ତି ଏକ କଡ଼ା ନିର୍ଦ୍ଦେଶ

କାଳି ବାବୁ ! ଆପଣଙ୍କୁ,

ପହଞ୍ଚିବାକୁ ହେବ ଏଠି, ଘଣ୍ଟାରେ ବାଜିଲେ ଦଶ

ଆଗରୁ ପହଞ୍ଚି ଏଠି ଅବା କରିବ କିସ

ତେଣୁ ଆପଣ ଦଶଟା ବେଳେ ହିଁ ଆସ ।।

ତେଣୁ ସାଢ଼େ ନଅରେ ବାହାରିଲେ ଚଳିବ

କୋଡ଼ିଏ କିଲୋମିଟର କ'ଣ

୩୦ମିନିଟ୍ ରୁ ଅଧିକ ଲାଗିବ !

ଏମନ୍ତ କଥା ମନେ ଚିନ୍ତି

ଝିପିଝିପି ବର୍ଷାରେ ଘରୁ ବାହାରିଲି ତିନ୍ତି ତିନ୍ତି ।।

ଆରେ, କୋଡ଼ିଏ କିଲୋମିଟର ଯଦି ଅଧାରୁ ଅଧିକ ଲାଗେ ଘଣ୍ଟା

ଯୌବନ ପାଇଁ ପରିହାସ ପୁଣି,

ଲାଗିବ; ଯୁବା ରକ୍ତରେ ପଡ଼ିଯାଇଅଛି ବୋଧେ ଭଟ୍ଟା

ଯୁବା ରକ୍ତରେ ପଡ଼ିଯାଇଅଛି ବୋଧେ ଭଟ୍ଟା;

ତେଣୁ ମୁଣ୍ଡରୁ ଅଳିଆ ହଟା

ମାଡ଼ି ଚାଲ୍ ଆଗକୁ ଆଗକୁ, ସମ୍ମୁଖେ ଫାଙ୍କା ରାସ୍ତା ।।

ମୋଡ଼ିଲି ଏକ୍ସିଲିଟର

ଗାଡ଼ି ମୋ ଧାଇଁଲା ୮୦ , ୮୦ ରେ

କରି ସେ ଫଟର ଫଟର

କରି ସେ ଫଟର ଫଟର ।।

ଦଶ କିଲୋମିଟର ଯାଇଛି କି ନାହିଁ

ଗଞ୍ଜାଟେ ଏକ, ଆସିଲା ଧାଇଁ

ଦମ୍ଭେ ଛାଡ଼ି ଏକ ଉଚ୍ଚ ସ୍ୱର

ତା' ନଳିଶ୍ରୀ ବେକକୁ ସଯତ୍ନେ ଥୋଇଲା

ମୋହରି ଗାଡ଼ି ଆଗର

ମୋହରି ଗାଡ଼ି ଆଗର ।

କିଛି କ୍ଷଣରେ ରକ୍ତରଞ୍ଜିତ ହେଲା

ପିଚରାସ୍ତାର କଳା ମଚମଚ ଶରୀର

ଲାଗୁଥିଲା ସେ ଜାଲିଆନ୍ ୱାଲା ବାଗ୍

ଆଉ ସତେ ଯେମିତି ମୁଁ ଜେନେରାଲ ଡାୟାର

ସତେ ଯେମିତି ମୁଁ ଜେନେରାଲ ଡାୟାର ।।

ତା' ଶେଷ ଉଚ୍ଚ ସ୍ୱରରେ,

କେଇ ମୁହୂର୍ତ୍ତରେ

ଲୋକ ଯେତେ ହୋଇଥିଲା ରୁଣ୍ଡ

କିଏ ଟାଣୁଥିଲା ଜମା କଲର

ପୁଣି କିଏ ଭିଡ଼ୁଥିଲା, ବାଳ ସହ ମୋ ମୁଣ୍ଡ

ବାଳ ସହ ମୋ ମୁଣ୍ଡ ।।

ଆଖିକୁ ବୁଲେଇ ଥରେ ମୁଁ ଦେଖିଲି

ଯେତେ ଲୋକ ହେଉଥିଲେ ସେଠି ଲଣ୍ଡପଣ୍ଡ

କାହା ହାତରେ ଭୁଜାଲି,କଟୁରି

ପୁଣି କିଏ ଧରି ଅଛି ମୁନିଆ ତୀରକୁ କାଣ୍ଡ

ମୁନିଆ ତୀର ସହ କାଣ୍ଡ ।।

ଭାବିଲି, ମୋ ବୋଉ ତ ଦ୍ଵତୀୟା ପୂଜିନି

ତେଣୁ ଆଉ ବଞ୍ଚିବାର ନାହିଁ

ତଥାପି ;

ଶେଷ ଥର ଭଗବାନଙ୍କୁ ଡାକି ଥାଇ !

ହେ ସଙ୍କଟମୋଚନ, ଜୟ ହନୁମାନ

ରକ୍ଷା କର ରକ୍ଷା କର

ଏ ବିପଦ ବେଳୁ ମତେ ଉଦ୍ଧାର

ଆହେ! ବାନର ଶ୍ରେଷ୍ଠ, କପି କୂଳମଣି କପିବର

ଉଦ୍ଧାର ମତେ, ରକ୍ଷା କର, ରକ୍ଷା କର

ଏ ବିଷମକାଳୁ ବର୍ତ୍ତି ଗଲେ ମୁଁ

ଆଗେ ଗାଡ଼ି ଚଳାଇବି ଧୀର

ପଛରେ ପୁଣି ଫଳକେ ଲେଖିବି

ମୁଁ ଫେରିଲେ ତୁମର, ମୁଁ ଫେରିଲେ ତୁମର

ଆଉ ଯଦି କେବେ ନ ଫେରିଲି ମୁହିଁ

ଭାବିନେବ,

କେଉଁ ଏକ ଦୁର୍ଘଟଣାରେ ହୋଇଯାଇଥିବି ଶିକାର

ହୋଇଯାଇଥିବି ଶିକାର

ରକ୍ଷା କର ରକ୍ଷା କର, ଆହେ କପି ଶ୍ରେଷ୍ଠ କପିବର ।।

ସହସା ବୋଧେ ମୋ ଡାକ ମଞ୍ଜୁର୍ ହୋଇଲା

୩ଫୁଟ୍ ଚଉଡ଼ା, ୬ଫୁଟ୍ ଲମ୍ବର କାଳିଆଭୁଆଁ ଲୋକଟେ

ଭିଡ଼ ଭିତରକୁ, ଠେଲିପେଲି ପଶି ଅଇଲା

ମୁହଁକୁ ମୋଡ଼ି,ଦାନ୍ତ ନେଫଡ଼ି,

ପାଟିସ୍ଥ ଧୂଆଁ ମୋ ମୁହେଁ ଛାଡ଼ି

ଭାସିଲେ ବଦନୁ, ସିଗାରେଟ୍ ଫୋପାଡ଼ି;

ରୁହ ! ରୁହ ! ଟିକିଏ ଥୟ ଧର

ତା' କଥା ମୁଁ ବୁଝୁଛି, ମୋତେ କର ହସ୍ତାନ୍ତର

ତାକୁ ମୋତେ କର ହସ୍ତାନ୍ତର ।।

ହୋଇ ହୋ ବାବୁ !

ଏଠୁ କେମିତି କହ ତୁ ଖସିବୁ

କଥା ଯଦି ମୋ ରଖିବୁ

ଆମ୍ଭେ କିଛି ନା କିଛି ଗୋଟାଏ କରିବୁ ।

ହସ୍ତ ଯୋଡ଼ି କହିଲି, ଆଜ୍ଞା !

କିଛି ତ ଗୋଟେ କରନ୍ତୁ

ଯେନ ତେନ ପ୍ରକାରଣେ

ଏଠୁ ପାରି କରାନ୍ତୁ , ଏଠୁ ପାରି କରାନ୍ତୁ !

ଦେଖ ହୋ ବାବୁ !

ଭିଡ଼ର କହିବା କଥା ଯାହା

କହୁଛି, ଶୁନ୍ ! ତୁ ତାହା

ଯଦି ଗଞ୍ଜାଟା ବଞ୍ଚିଥାନ୍ତା

ଜୀବନ କାଳରେ କେତେ ସେ ଅଣ୍ଡା ଦିଅନ୍ତା

ଦିନ କେଇଟାରେ ବାପା ବାପା କେତେ ଶୁଣନ୍ତା

ତା' ହସ ଖୁସିର ସଂସାର ଦେଖି, ମୋ ମନ କେତେ ନାଚନ୍ତା

ଆଉ ଏବେ ତ ସେ ଆସିବ ନି ଫେରି

ତୁ ତ ଗାଡ଼ି ଚପେଇ,ଦେଇଛୁ ତାକୁ ମାରି

ତେଣୁ କହ ! ଏସବୁ ଆଉ କେଉଁଠୁ ପାଇବି

ତା' ଦୁଃଖ ଭୁଲିବାକୁ ସାତ ହଜାର ମୁଁ ନେବି ।।

କ୍ଷତି ପୂରଣ ପାଇଁ ୭୦୦୦ ତାଙ୍କର ଦାବି

ତେଣୁ ଟଙ୍କାଟା ଜଲଦି ଗଣନ୍ତୁ,

ଆଉ କିଛି ନ ଭାବି;

୭୦୦୦ଟା ନୁହେଁ ଏତେ କିଛି ବେଶି

ଝାମେଲାକୁ ବଢ଼ାନ୍ତୁ ନାହିଁ, ଟଙ୍କା ଦେଇ

ଶୀଘ୍ର ଆପଣ ଏଠୁ ଯାଆନ୍ତୁ ଖସି ।।

ଟଙ୍କା ନେଲେ ସେଥିପାଇଁ ନୁହେଁ

କୁକୁଡ଼ାବି ନେଲେ ସେଥିପାଇଁ ଦୁଃଖୀ ବେଶି

କୁକୁଡ଼ାଟା ମିଳିଥିଲେ, ଖାଇଥାନ୍ତି ବର୍ଷା ପାଗରେ କଷି

ଟଙ୍କାର ଦୁଃଖଟା ! ଟଙ୍କାର ଦୁଃଖଟା !

ତା' ନାଲି ଝୋଳରେ ସହଜେ ଯାଆନ୍ତା ମିଶି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy