ସିଦ୍ଧାନ୍ତ ଦର୍ପଣ
ସିଦ୍ଧାନ୍ତ ଦର୍ପଣ
ନିଜ ସାଧନାରେ ସାଧକ ପ୍ରବର
ଚନ୍ଦ୍ରଶେଖର ସାମନ୍ତ
ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥିଲ
ତୁମରି ଜନମ ପୀଠ ।
ପିତା ଶ୍ୟାମବନ୍ଧୁ ଜ୍ୟୋତିଷ ଶାସ୍ତ୍ରରେ
ଥିଲେ ଯେ ଜ୍ଞାନୀ ପ୍ରବୀଣ
ଗଣିତ ଶାସ୍ତ୍ରରେ ଜ୍ଞାନୀ ଶ୍ୟାମବନ୍ଧୁ
ପୁତ୍ରେ ଦେଇ ଥିଲେ ଜ୍ଞାନ ।
ବାର ବରଷରେ ଆକାଶ ବୁକୁର
କଥା ତୁମେ ଭାବୁଥିଲା
ଗ୍ରହ ନକ୍ଷତ୍ରଙ୍କ ଗତି ବିଧି କଥା
ତୁମ ମସ୍ତିଷ୍କରେ ଥିଲା ।
ଇଶ୍ଵର ପ୍ରଦତ୍ତ ଧୀ ଶକ୍ତି ସମ୍ପନ୍ନ
କୃତିଦାସଙ୍କର ଶିଷ୍ୟ
ଖେଳିବା ବୟସେ ଆକାଶକୁ ଚାହିଁ
ଗଣନାରେ ଥିଲ ବ୍ୟସ୍ତ ।
ଅନନ୍ତ ଆକାଶ ଗ୍ରହ ଓ ନକ୍ଷତ୍ର
ଚଳମାନ ଲକ୍ଷ୍ୟ କରି
ଯାହା ଦେଖୁଥିଲ ତାହା ଲେଖୁଥିଲ
ତାଳପତ୍ର ପୋଥି ଧରି ।
ପ୍ରଭୁ ଦତ୍ତ ଶକ୍ତି ଧୀମତ୍ତା ଲଗାଇ
ବାଉଁଶ ନଳୀ ତିଆରି
ନିଜ ହାତେ ଗଢ଼ା ସାଧାରଣ ଯନ୍ତ୍ରେ
ଜାଣୁ ଥିଲ ମନ ଭରି ।
ଜାଣୁ ଥିଲ ପୁଣି ଗଣୁଥିଲ ତୁମେ
ପରୀକ୍ଷା ବି କରୁଥିଲ
ସିଦ୍ଧାନ୍ତେ ପହଞ୍ଚି ତାଳପତ୍ର ବୁକେ
ଲିଖନ ଯେ କରୁଥିଲ ।
ଜ୍ୟୋତି ବିଜ୍ଞାନର ପାଠକୁ ସାମନ୍ତେ
ହୃଦସ୍ଥ ଯେ କରିଥିଲ
ନିଜ ହାତେ ଗଢ଼ା କ୍ଷୁଦ୍ର ଯନ୍ତ୍ରଟିରେ
ସବୁ ଜାଣି ପାରୁଥିଲ ।
ନିଜ ଚିନ୍ତାଶକ୍ତି ଲକ୍ଷ୍ୟ ସୁନିଶ୍ଚିତ
କରିଥିଲ ଛୋଟ ବେଳୁ
ବାଧାବିଘ୍ନ ଯେତେ ଆସିଛି ତହିଁରେ
ହଟି ନାହଁ ଲକ୍ଷ୍ୟ ସ୍ଥଳୁ ।
ଅସୀମତା ଥିଲା ଆତ୍ମବଳ ତବ
କେବେ ଦୁର୍ବଳ ହୋଇନ
ଧୀ- ଶକ୍ତି ବଳରେ ଏ ସାରା ବିଶ୍ଵରେ
ଦେଇଛ ବଡ଼ ପ୍ରମାଣ ।
ସବୁ ନାହିଁ ମଧ୍ୟେ ପଠାଣି ସାମନ୍ତ
ନିଜ ସାଧନା ବଳରେ
' ସିଦ୍ଧାନ୍ତ ଦର୍ପଣ ' ପୁସ୍ତକେ ଯା' ବେଳେ
ବିରଳ ଏ ଦୁନିଆରେ ।
'ସିଦ୍ଧାନ୍ତ ଦର୍ପଣ ' ପ୍ରତିଟି ଫର୍ଦ୍ଧରେ
ସିଦ୍ଧାନ୍ତ ର କଥା ଲେଖା
ବୁଦ୍ଧିଜୀବୀ ମାନେ ଆଶ୍ଚର୍ଯ୍ୟ ହୁଅନ୍ତି
ଏହା ବି ବିଜ୍ଞାନ କଥା ।
ମହାମହୋପାଧ୍ୟାୟ ଉପାଧୀରେ ତୁମେ
ଭୂଷିତ ଯେ ହୋଇଥିଲ
ଧନ୍ୟ ହେ ପଠାଣୀ ଶେଷ ନିଶ୍ଵାସ ଯେ
ଶ୍ରୀକ୍ଷେତ୍ର ରେ ଛାଡ଼ି ଥିଲ ।
ହେ ସାଧନା ବୀର ଉଜ୍ଜ୍ଵଳ ପ୍ରତିଭା
ଉତ୍କଳ ଗର୍ବ ଗୌରବ
ନମନ କରୁଛି ଚରଣରେ ତବ
ହେ ଆମ ଦେଶ ସୌରଭ ।
