ଶୂନ୍ୟପଥମାମୀ
ଶୂନ୍ୟପଥମାମୀ
କବିତା - ଶୂନ୍ୟପଥଗାମୀ
ରଚନା - ପଞ୍ଚାନନ ଜେନା
ତାରିଖ -୦୬-୦୨-୨୦୨୬
+++++++++++++++++
କାହା ଆଗରେ କହିବି
କୁଟା ଚାଳ ଉପରେ
ଡଙ୍କେଇ ଥିବା
ପାଣି କଖାରୁ ଡଙ୍କର ଅଗରେ
ହସୁଥିବା
ଡାଳିକଷିର ଖିଲି ଖିଲି ଆତୁରତା
କାହା ପାଖରେ କହିବି
ବାଢ଼ କଡ଼ରେ ଡେମ୍ଫ ମେଳେଇ ଥିବା
ସକାଳୁ ସକାଳୁ ମୁରୁକି ମୁରୁକି ହସୁଥିବା
ଦୁଦୁରା ଫୁଲର ସ୍ଵତସ୍ଫୁର୍ତ୍ତ ଆନ୍ତରିକତା
କାହା କାନରେ କହିବି
ନାଳ ଆରପାଖ ଶିଜୁ ବଣରେ
ହା ହା କରୁଥିବା
ମୁନିଆଁ କଣ୍ଟା ଭିତରେ
ବଂଚି ରହି ଖୁସି ବାଣ୍ଟୁଥିବା
ଶିଜୁ ଫୁଲର
ଶୁଭ୍ର ସୌରଭ ଆତ୍ମୀୟତା
କାହା ସହିତ ଗପିବି
ଦୁବ ଘାସର ନରମ ଗାଲିଚା ଉପରେ
କେଇ ଟୋପା କାକର ବିନ୍ଦୁ ଧରି
ସାଦରେ
ହୀରା ନୀଳା ପରି ଚମକି
ଉଠିଲାଣି ସୁନ୍ଦରତା
କାହା ସହିତ ବାଣ୍ଟିବି
ଛାର କେଇ ଟୋପା ଗାଈ କ୍ଷୀର ପାଇଁ
ନିଷ୍ପାପ ବାଛୁରିକୁ ଦଉଡିରେ ବାନ୍ଧି
ମାଆଠାରୁ ଛୁଆର ଖାଦ୍ୟକୁ
ଚୋରେଇ
ନେବାର ହୀନମନ୍ୟତା
କାହାକୁ ଆଉ ବୁଝେଇବି
ମହାଶୂନ୍ୟରେ ମିଶିବାକୁ ହେବ
ବିତୁଥିବା ବୟସ ମାନଙ୍କୁ ଗୋଇଠା ମାରି
ଜୀବନ ମାନଚିତ୍ରର ଅକ୍ଷାଂଶ ଦ୍ରାଘିମା ଭିତରେ ଘୁରି
ଗୋଟିଏ ବିନ୍ଧୁରେ କେନ୍ଦ୍ରିତ ହେଉ ହେଉ
ସଂସାର ତ୍ୟାଗୀ ଯୋଗୀ ପରି ମୋଷାପ୍ରାପ୍ତୀ ହେବ
ଜୀବନ ପ୍ରଦୀପ ଅଚିରେ ଶେଷରେ ଲିଭିଯିବ
ମହାଶୂନ୍ୟରେ ଅଲିଭା ଗାର ପରି ଚମକିବ
କାହାକୁ ଆଉ ବୁଝେଇ ପାରିବି
ଚକ୍ରପରି ଘୁରୁଥାଏ ଜୀବନ ଚକ୍ର
ଆରମ୍ଭ ଶୂନ୍ୟରୁ ପୁଣି ଶେଷ ମହାଶୂନ୍ୟ
ବୁଝୁ ବୁଝୁ ହେଜୁ ହେଜୁ
ସମୟ ସରଣୀ ଜନ ମାନବ ଶୂନ୍ୟ
