ଶୂନ୍ୟବ୍ରହ୍ମ- ପୁଣ୍ୟ ବ୍ରହ୍ମ
ଶୂନ୍ୟବ୍ରହ୍ମ- ପୁଣ୍ୟ ବ୍ରହ୍ମ
ଏମିତି ଯୁଗ ଯୁଗାନ୍ତର ଧରି ବସିଛ ନା ତୁମ ଏଠି
ଅନ୍ତର୍ଯ୍ୟାମୀ ବୋଲି
ସବୁ କାଳେ ଜାଣି ଆସିଛି ସବୁରି ଅନ୍ତର
ଅଥଚ ତୁମେ ନିଜେ
ସମସ୍ତଙ୍କ ପାଇଁ ଅଜଣା ରହିଛ
ସବୁରି ନିକଟ ପୁଣି ତୁମେ ସବୁଠାରୁ ଦୂର
ସଭିଙ୍କର ଅପରିଚିତ ପୁଣି ଅତି ଆପଣାର ।
ତୁମେ ଏବେ ଏଇ ଠାରେ
ଅନେକ ପାଚେରୀ ଡେଇଁ ଗମ୍ଭୀରା ଭିତରେ
ପୁଣି ଏଇ ମୂହୁର୍ତ୍ତରେ
ଆସ୍ଥାନ ପାତିଛ ପ୍ରତି ହୃଦୟରେ
ତୁମେ କେବେ ମହାଶୂନ୍ୟ
ପୁଣି କେବେ ପ୍ରତୀକ୍ଷିତ କଳ୍ପନାର
ପୁଣ୍ୟତମ ପୂର୍ଣ୍ଣ ରୂପାୟନ ।
କାହା ପାଇଁ ଶୂନ୍ୟର ସ୍ୱରୂପ
ଅଣାକାର ଶୂନ୍ୟ ବ୍ରହ୍ମ
କାହା ଲାଗି ନୟନାଭିରାମ
କୋଟିଏ ପ୍ରାଣର ପୂର୍ଣ୍ଣତମ ପୂର୍ଣ୍ଣମୟ ପୂର୍ଣ୍ଣବ୍ରହ୍ମ ।
ନାହିଁ କିନ୍ତୁ ମୋର କିଛି ହିଁ ଜିଜ୍ଞାସା
ନାହିଁ ଲୋଡ଼ା ବୁଝିବାକୁ କିଛି
ତର୍କରେ ବି ମନ ନାହିଁ
ଏତିକି ଜାଣିଛି
ତୁମେ ମୋର ସବୁ ଶୂନ୍ୟତାର ପୂର୍ଣ୍ଣ
ହଜେଇବାରେ ଶେଷ ଚିହ୍ନ
ଖୋଜିବାର ଅନ୍ତିମ ବିରାମ
ତୁମଠାରେ ହୃଦୟର କଳ୍ପିତ ବିଶ୍ରାମ ।