ଶୂନ୍ୟ ଲାଗେ ତୁମ ବିନା
ଶୂନ୍ୟ ଲାଗେ ତୁମ ବିନା
ମାଖିଅଛି ଯଦି ଦେହରେ ହଳଦୀ
ତୁମ ପ୍ରୀତି ହେତୁ ସାଥି
ଶରଧାରେ ଲାଗେ ପ୍ରେମ ଅନୁରାଗେ
ହାତେ ମୋର ମଞ୍ଜୁଆତି ।
ପ୍ରତି ସକାଳରେ ଶୋହଇ ଭାଲରେ
ଏ' ଯେଉଁ ସିନ୍ଦୂର ବିନ୍ଦୁ
ତୁମରି ଆଗ୍ରହେ ମୋ' ଶିରାରେ ବହେ
ଉତ୍ତାଳ ପ୍ରଣୟ-ସିନ୍ଧୁ ।
କୌଳିକ ପ୍ରଥାରେ ଚଢ଼ାଇ ମଥାରେ
ଓଢଣୀ ତୁମର ନାମେ
ନିଜ ପରିଚୟ କରିଛି ବିଲୟ
ଆଭୂଷିତ ସରଞ୍ଜାମେ ।
ମୋର ଏହି ବେକ ତୁମ ନାମେ ଦେଖ
ପିନ୍ଧିଛି ମଙ୍ଗଳସୂତ୍ର
ରକ୍ତ କ୍ଷୀର ଗର୍ଭ ସମର୍ପି ମୋ' ସର୍ବ
ଜନ୍ମାଇଛି ତୁମ ପୁତ୍ର ।
ତୁମ ନାମେ ଶଙ୍ଖା ପିନ୍ଧିବାରେ ଶଙ୍କା
ରଖିନାହିଁ କେବେ ତିଳେ
ଗୁରୁଭକ୍ତି ଶ୍ରଦ୍ଧା କରେ ବୋଲି ସଦା
'ସୁହାଗିନୀ' ବର ମିଳେ ।
ତୁମ ଇଷ୍ଟ ଗୋତ୍ର ଆପଣାଇ ସ୍ତୋତ୍ର
ଉଚ୍ଚାରଣ କରେ ନିତି
ତୁମ ଋଦ୍ଧି ସିଦ୍ଧି ପାଇଁ ପୂଜାବିଧି
କରି କାଳ ଯାଏ ବିତି ।
ତୁମ ବସାଘର ସଜାଇ ଜାଗର
ରହେ ଦିନରାତି ସିନା
ସର୍ବସ୍ବ ମୋ' ତେଜି ପାରିଲିଣି ହେଜି
ଶୂନ୍ୟ ଲାଗେ ତୁମ ବିନା ।