ଶୁଣ ଦାଦନର ଦୁଃଖ
ଶୁଣ ଦାଦନର ଦୁଃଖ
ଦାଦନଟିଏ ତ ନିଜ ପେଟ ପାଇଁ,
ଯାଉଛି ଦାଦନ ଖଟି ।
କିଏ ବା ବୁଝିବ ତା ମନର କଥା,
କିଏ ଦେବ ତାକୁ ରୁଟି ?
ଲୋଭ ନଥାଏ ତା ଅଧିକ ଧନରେ,
ନ ପାଞ୍ଚେ ଅନ୍ୟର ମନ୍ଦ ।
ସାମାଜିକ ସ୍ଥିତି କେବେ ସେ ନ ଖୋଜେ,
ଜାଣେନା କପଟ, ଛନ୍ଦ ।।
ନିଜ ପରିବାର ପ୍ରତିପୋଷଣକୁ,
କରିଥାଏ ତା'ର ଲକ୍ଷ୍ୟ ।
ତା' ଅସୁବିଧାରେ ନ ଆସନ୍ତି କେହି,
ନ ନିଅନ୍ତି ତା'ର ପକ୍ଷ ।।
ତଥାପି ଏକା ସେ ଲଢେ ଦୁନିଆରେ,
ଦାରିଦ୍ର୍ୟ କୁ କରି ସାଥୀ ।
ଦାରିଦ୍ର୍ୟ ରେ ବଞ୍ଚେ ଦାରିଦ୍ର୍ୟ ରେ ମରେ,
ସ୍ୱାଭିମାନ ତା'ର ନୀତି ।।
ମଣିଷ ପଣିଆ ହାରେନା କେବେ ସେ,
ଅଳ୍ପରେ ଲଭେ ସେ ସୁଖ ।
ସମାଜ ପାଇଁ ତା' ଦାନ ବହୁମୂଲ୍ୟ,
ଶୁଣ ଦାଦନର ଦୁଃଖ ।।