"ଶୁଖୁଆ ମାଛର ବାସ୍ନା"
"ଶୁଖୁଆ ମାଛର ବାସ୍ନା"
ପୃଥିବୀରେ....
ମଣିଷ ବଞ୍ଚିବାଟା କଷ୍ଟକର
ପ୍ରତି ମୁହୂର୍ତ୍ତରେ ମୃତ୍ୟୁର ଆଶଙ୍କା,
କଠିନ,
ପୁଣି ନାରୀଟିଏ ହୋଇ ବଞ୍ଚିବା
ପ୍ରତି ମୁହୂର୍ତ୍ତରେ ଅସୁରକ୍ଷିତ,ନିଷ୍ପେସିତ ।
ଅନ୍ଧକାର କୋଠରୀ ମଧ୍ୟରେ
କ୍ଷୟଶୀଳ ତା'ର ଜୀବନ
ଟିକିଏ ଇଚ୍ଛା ବାହାରିଲେ
ଆଲୋକ ଦେଖିବାକୁ
ଶୁଭେ ସ୍ନାନରବ ମଣିଷର କୋଳାହଳ ।
ରାତି,
ସତେ ଯେମିତି ତା' ପାଇଁ
କାଳରାତ୍ରି ଠାରୁ ଭୟଙ୍କର
ପୁଣି ଆସେ ବର୍ଷା ରାତି,
ପ୍ରଥମ ବର୍ଷାରେ ମାଟିର ବାସ୍ନା ଠାରୁ
ମହକି ଉଠେ ତା' ଦେହର ବାସ୍ନା
ଟାଣି ନିଏ ପବନରେ କେଉଁ ଉପବନକୁ ।
ଭୂମିରେ ପଡ଼ି,
ଚାହିଁ ରହିଥାଏ ନିରୀହ ପକ୍ଷୀପରି
ଶୋଇରହେ ନୀରବେ,
ପାରେନା ଡାକି କାହାକୁ
କାଳେ ଭାଙ୍ଗିଯିବ ସ୍ବପ୍ନ
ସେ ରାକ୍ଷସ ମଣିଷର... ।
ଯନ୍ତ୍ରଣାରେ ସିଝି ସିଝି
ସମଗ୍ର ଜୀବନ ତା'ର ପାଲଟିଛି
ସମୁଦ୍ରର ଲୁଣି ଶୁଖୁଆ,
ତଥାପି,
ଶାନ୍ତି ନାହିଁ ତା' ଜୀବନରେ
ମୃତ ଶରୀରରେ..... |
ପୁଣି ଜଳେ,
ମଣିଷର କାମନା ଜ୍ବାଳାରେ
ଦେହର ବିଚିତ୍ର ସୁଗନ୍ଧରେ,
ଓଲଟ ପାଲଟ କରି ଝୁଣି ଖାଇ
ସାର୍ଥକ କରେ ମଣିଷ
ତା ମଣିଷତ୍ବକୁ....।
