ଶୁଖିଲା ପତ୍ର..
ଶୁଖିଲା ପତ୍ର..
ଏଇତ
ବସଂତ ଆସୁଛି..
ଫୁଲ ଫଗୁଣର ମହକର ଅପୂର୍ବ ସମ୍ଭାର ନେଇ,
ପୁରୁଣାକୁ ପରିହାର କରି ନୂଆକୁ ଆପଣେଇବାର
ଅସମ୍ଭବ ସମ୍ଭାବନାରେ, ବିଛୁଡ଼ି ହୋଇ ପଡ଼ିବାର
ଅଫୁରନ୍ତ ମୋହରେ, କାହିଁ କେଉଁ
ଆବହମାନ କାଳରୁ ଏଇ ଝରି ପଡ଼ିବାର ଉନ୍ମାଦନା
ଯେ ସ୍ବର୍ଗୀୟ, ନୈସର୍ଗିକ, ଏହା ଅନସ୍ବୀକାର୍ଯ୍ୟ...,
ସେ ବସଂତ ମୋହରେ..,
କି ମହକ ଅଛି କେ ଜାଣି..?
ସବୁ ନୂଆକୁ ନିଜର କରି ନେବାର
ଅଦ୍ଭୁତ ବିଭୋର ପଣରେ,
ସମସ୍ତଙ୍କୁ ମସଗୁଲ କରି ଦେବାର ଦୁର୍ବାର
ପ୍ରତିଶୃତି ନେଇ ଆସୁଛି ସବୁ ସମୟାନ୍ତରରେ,
ଏ ଋତୁ ରାଣୀର କି ଆକର୍ଷଣ କେ ଜାଣି..,
ତାର କୋମଳ ସ୍ପର୍ଶରେ ବିଭୋର ହୋଇ ଉଠନ୍ତି,
ଏଇ ନଦ, ନଦୀ, ସମୁଦ୍ର,ଝରଣା, ଆକାଶ,
ସଜେଇ ହୋଇ ଯାଆନ୍ତି, ଏଇ ଧରଣୀ,
ବଣ, ପାହାଡ଼, ଜଙ୍ଗଲ, ଗଛ,ପତ୍ର, ତରୁ, ଲତା,
କେଉଁ ଅଜଣା ପୁଲକରେ,
ସଜେଇ ହୋଇ ଉଠନ୍ତି କେଉଁ ନୂଆ ଆବେଗରେ,
କିଚିରି ମିଚିରି ଶବ୍ଦରେ ଚିହିଁକି ଉଠନ୍ତି,
ଚଢେଇ, ଜୀବ ଜନ୍ତୁ ଆଦି ବିସ୍ମୃତ ଆନନ୍ଦରେ,
ନୂଆ ସକାଳର ପହିଲି କିରଣ ଛୁଆଁରେ,
ଋତୁବି ବଦଳି ଯାଏ ଏଇ ନୂଆ ସମ୍ଭାବନାରେ,
ଆକାଶଟା ବି ସଜେଇ ହୁଏ,
ମାଳ ମାଳ ତାରା ଫୁଲରେ,
ଆଉ ସେଇ ଜହ୍ନ..,ସେ ବି ତ କୁରୁଳି ଉଠେ,
ଶିହରି ଉଠେ କେଉଁ ଏକ ଅଭିଭୂତ
ଭାବାବେଗରେ, ବିମୋହିତ ଅବବୋଧରେ,
ନୂତନ ସମ୍ଭାବନାର ଅନୁ ସନ୍ଧାନରେ !
ଗଛରେ ନୂଆ ନୂଆ ପତ୍ର କଅଁଳେ,
ଡାଳରେ ନୂଆ ନୂଆ କଢି ବି ଗଜରେ,
କଢ଼ିରୁ ଫୁଲ, ଫୁଲରୁ ଫଳ,
ନବ ଉନ୍ମେଷର ସମୟ ବି ପାଖେଇ ଆସେ,
ଜଙ୍ଗଲି ଗଛ ମାନଙ୍କରେ ଅସରନ୍ତି ସବୁଜିମା,
ଫୁଲ ଫୁଟେ, ଫଳ ବି ସଞ୍ଚରେ,
ଆନମନା ଝରଣା ବି କୁଳ କୁଳ ହୋଇ,
ଝରି ଯାଆନ୍ତି ସମୁଦ୍ର ଆଡେ,
ଆକାଶର ସୂର୍ଯ୍ୟ ବି ସଜେଇ ହୋଇ ଉଠେ,
ନୂଆ ସକାଳର ପହିଲି କିରଣରେ..,
ନବ ଉନ୍ମାଦନାର ନୂଆ ବର୍ଣାଳିରେ,
ପକ୍ଷୀ ମାନଙ୍କର କଳରବ ଗୁଞ୍ଜରି ଉଠେ
ନୂଆ ନୂଆ ଶିହରଣରେ.. !
ହେଲେ କିଏ ଜାଣିଛ କି କେବେ,
ଏ ନୂତନ ସୃଷ୍ଟିର ଆଦି ପର୍ବର କଥା,
ସବୁ ନୂତନ ସୃଷ୍ଟିର ଆଧାର କଣ..?
କି ଅସହ୍ୟ ବେଦନା ବୋଧରେ ଥାଆନ୍ତି
ସେହି ପୁରୁଣା ପରିଚିତ ପୃଷ୍ଠ ପୋଷକ ମାନେ,
କେହି କେବେ ପଚାରି ବୁଝିଛନ୍ତି କି,
ସେ ଆପଣା ଜନର ଅଦୃଶ୍ୟ ଯନ୍ତ୍ରଣାର କଥା,
ଗଛକୁ ପଚାର..., ସେ କଣ କେବେ ପଚାରି ବୁଝିଛି କି,
ତାର ପ୍ରିୟ ପରିଚିତ ନିଜ ପତ୍ରର କଥା,
ଯିଏ ଦିନେ ଏ ବସଂତର ଆଗମନୀ ପୂର୍ବରୁ
ଗୋଟା ପଣେ ନିଜର ଥିଲା,
ସେ କଣ କେବେ ମାପିଛି କି,
ଗଛ ଓ ତାର ପତ୍ର ମଧ୍ୟରେ ଥିବା
ସମ୍ପର୍କର ଗଭୀର ନିବିଡ଼ତାର ଗହନ କଥା,
ଫୁଲକୁ ପଚାର, ସେ କଣ କେବେ
ତା'ର ସବା ତଳ ପାହାଚ ଡାଳର ଗୋପନ ଗାଥା,
ତା'ର ପୂର୍ବ ସହଚରୀ ସମୟର ସାଥି,
ଯିଏ ସବୁ ବେଳେ ତାକୁ ସୁରକ୍ଷା ଦେବ ବୋଲି
ପ୍ରତିଶୃତି ଦେଇଥିଲା, ଅତୀବ ଅତ୍ମୀୟତାରେ..!
ନା..,ଏହା ହିଁ ତ ବାସ୍ତବତା,
ସକଳ ସୃଷ୍ଟିର ଅବଧାରିତ ସତ୍ୟ,
ପ୍ରତ୍ୟେକ ନୂତନତ୍ୱକୁ ଆପଣେଇ ନେବା ହେଉଛି
ଏ ପ୍ରକୃତିର ଧର୍ମ, ସକଳ ସୃଷ୍ଟିର ଆଧାର ତ
ପୁରୁଣାକୁ ପଦାଘାତ କରି ନୂତନ କୁ କୋଳାଗ୍ରତ କରିବା,
ପଶ୍ଚାଦ୍ପଦ ସୃଷ୍ଟିର ବିଲକ୍ଷଣ ମାତ୍ର..,
କିଂତୁ... କି ଦୋଷ ଥିଲା ସେଇ ପତ୍ରଟିର,
ଯିଏ ଏଇ ନୂତନ ପାର୍ବଣର ଅୟମାରମ୍ଭରେ
ନିଜ ଅସ୍ତିତ୍ୱ ଠୁଁ ଦୁରେଇ ଯାଇଛି,
ଅପରିଚିତ ହୋଇଛି, ତାର ପରିଜନ ଠାରୁ
ଅପନ୍ତରା ହେଇ, ସବୁ ଦିନ ପାଇଁ..!
ସେ ସମ୍ପର୍କର ମଧୁ ଚନ୍ଦ୍ରିକାକୁ କିଏ
ପରଖି ପାରିଛନ୍ତି କି କେବେ, ଅନୁସନ୍ଧିସ୍ଛାରେ,
ଯିଏ ତିଳ ତିଳ ଜଳି ତାର ପ୍ରତିଟି
ଚିର ହରିତ ଶିରା ପ୍ରଶିରା ମାଧ୍ୟମରେ
ଯେତେ ସବୁ ଅବଶୋଷିତ ରଶ୍ମୀ ନେଇ
ଅହରହ ଯୋଗାଉ ଥିଲା ଆବଶ୍ୟକ ପୋଷକ ତତ୍ତ୍ୱ,
ତାର ଆତ୍ମୀୟକୁ ଦୃଢ ଅଂଗୀକାରରେ..!
ତାର ପ୍ରିୟ ଆତ୍ମଜାର ଦୁର୍ବାର ଲିପ୍ଶାକୁ
ଚରିତାର୍ଥ କରିବାରେ ସେ କେବେ କୁଣ୍ଠିତ ହେଇଛି କି,
ଫୁଲଟିଏ ଫୁଟିବାରେ ଯେତିକି ଆନନ୍ଦ ଥିଲା
ସେ ଗଛର, ତା ଠାରୁ କିଛି ବି କମ
ଥିଲା କି ସେ ପତ୍ରର ଏଇ ନୂତନ ସଂଚାରରେ,
ତାର ଅଫୁରନ୍ତ ଆନନ୍ଦ ବୋଧରେ,
କାହିଁ କେବେବି ତ ସେ ଫୁଲକୁ ତା ଠାରୁ ପର ବୋଲି
ଭାବି ନଥିଲା ଅନ୍ତରରେ, ତା ପ୍ରତି ଥିବା ଭଲ ପାଇବା
କଣ କେବେ କମ କରି ଥିଲା କି.?
କେବେ କଣ ତା ଆପଣା ସମ୍ବନ୍ଧି ପ୍ରତି ଥିବା,
ଆନ୍ତରିକତା,ନିଷ୍ଠା, କର୍ତ୍ତବ୍ୟ କମ କରିଛି କି..?
କମ କରିଛି କି ତାର ନିଜର ପଣିଆରୁ..,
ସଦା ସର୍ବତଃ ଦେଇଛି ତାର ଅସରନ୍ତି ଦ୍ରବଣ,
ଅଯାଚିତ ଭାବରେ, ଅକୁଣ୍ଠିତ ଚିତ୍ତରେ.. !
ଆଉ ଆଜି ସେ ବୃନ୍ତ ଚ୍ୟୁତ,
ବିଚ୍ୟୁତ, ପ୍ରିୟ ପୁରୁଷ ଗଛ ଠାରୁ,
ଶୁଖିଲା ମନ ନେଇ, ତତଲା ପ୍ରାଣ ନେଇ
ବିବର୍ଣ୍ଣ ବେପଥୁ ରୂପ ନେଇ,ସମୟର ସୁଅରେ
ହଜି ଯିବା ପାଇଁ, ସବୁ ଦିନ ପାଇଁ,
ଚିର ନିଦ୍ରାରେ.., ଶୁଷ୍କ ମନୋବାଞ୍ଛାରେ,
ନିରାଟ ଜୈବିକ ପ୍ରକ୍ରିୟା ସଂପାଦନରେ,
ପ୍ରକୃତିର ବିଲକ୍ଷଣ ନିୟମରେ ସେ
ନିହାତି ଗୋଟେ ଆବଶ୍ୟକ ଶୃଙ୍ଖଳ..!
ତଥାପି.., ତୁମେ ଯଦି ପଚାର,
କଣ ତୁମର ପରିଚୟ..?
ସେ ନିଶ୍ଚିତ ଉତ୍ତର ଦେବ..,
ତାର ସମ୍ପୂର୍ଣ୍ଣ ବିବରଣୀ ନିର୍ଦ୍ୱନ୍ଦରେ..!
ତାର ପ୍ରିୟ ଆତ୍ମୀୟ ବଂଶଜର କଥା,
ସ୍ୱ ଜାତି କୁଟୁମ୍ବର ବେଦନାର ଗାଥା,
କିଂତୁ, ଏ ଜୀବ ଶ୍ରେଷ୍ଠ ମଣିଷ..??
ସେ ଅଦ୍ଭୁତ ଖୋଳପାରୁ ଅପସରି ଆସୁଥିବା
ଅକୃତଜ୍ଞ ଅଶରୀର ମାନଙ୍କ କଥା ବେଶ
ପ୍ରପଞ୍ଚ ବେଦନା ଦାୟକ, ପରଶ୍ରୀ କାତରତାରେ
ଆଗକୁ ଯିବରେ ବ୍ୟସ୍ତ, ବିବ୍ରତ.. !
ସମ୍ପର୍କର ଗଣ୍ଡି ଭିତରୁ ଟିକିଏ ନିସ୍ତାର ପାଇଲେ,
ସେ ପାସୋରି ଯାଏ ନିଜର ଅସ୍ତିତ୍ୱକୁ..,
ଟିକିଏ ପାଣି ପାଗର ପରିବର୍ତ୍ତନରେ ସେ ରୂପ
ବଦଳେଇବାରେ ମାହିର ଏ ଯୁଗ ଶ୍ରେଷ୍ଠ ମାନବ..,
ବିବର୍ତ୍ତନର ରଂଗରେ ରଂଗ ପରିବର୍ତ୍ତନରେ ବେଶ
ଧୁରନ୍ଧର ସେ ଅତି ମାନବ ସ୍ୱପ୍ନରେ, ସେ ଭୁଲୁଛି,
ମାଟିକୁ, ପାଣିକୁ, ପବନକୁ ଆକାଶକୁ,
ଆପନରକୁ, ଆପଣା ପଣକୁ, ନିଜକୁ, ଅସ୍ତିତ୍ୱକୁ,
ସର୍ବୋପରି ସେ ବଞ୍ଚୁ ଥିବା ତାର ନିଶ୍ୱାସକୁ,
ଆଉ ବିଶ୍ୱାସକୁ ମଧ୍ୟ, ଘୋର ସଂକୀର୍ଣ୍ଣତାରେ,
ଆଗକୁ ଆଗେଇଯିବାର ଏଇ ଅଣ ନିଶ୍ୱାସୀ
ପ୍ରକିୟାରେ ସେ ନିଜର ସତ୍ତାକୁ ବି ହଜେଇବାକୁ
ତିଳେ ହେଲେ ପଶ୍ଚାଦ ପଦ ହୁଏ ନାହିଁ..!
ବାସ.. !ମୁଁ ମାନୁଛି.., ପରିବର୍ତ୍ତନ ସମାଜର
ଅପରିହାର୍ଯ୍ୟ ନିୟମ, ଗତାନୁଗତିକ ଧାରା,
ମୁଁ ଜାଣିଛି ଏ କ୍ଷଣ ଭଙ୍ଗୁର ପୃଥିବୀରେ
ପରିବର୍ତ୍ତନ ଏକ ସ୍ୱତଃସ୍ଫୁର୍ତ୍ତ ପ୍ରକ୍ରିୟା..,
ଅନ୍ତଃର୍ନିହିତ ସ୍ୱର.., ଅବଧାରିତ ସତ୍ୟ,
କିଂତୁ, ଏଇ ପରିବର୍ତ୍ତନ ଦ୍ୱାହିରେ ନିଜକୁ ଭୁଲିବା
କ'ଣ ନିହାତି ଅବଶ୍ୟମ୍ଭବୀ..?
ଏହା ବିଚାର ସାପେକ୍ଷ୍ୟ..!
ସେ ଶୁଖିଲା ପତ୍ର ଠୁଁ ଶିଖିବା ଶ୍ରେୟସ୍କର..!
ସେ କେବେ ତା ଧର୍ମ, ସ୍ଵଭାଵ ପରିବର୍ତ୍ତନ କରେ କି..?
କେବେ ବି ନୁହେଁ.., ତେବେ ଆମେ..?
ଆମ ଚିନ୍ତା ଚେତନା ଏତେ ଭୁଲୁଣ୍ଠିତ ଯେ..,
ଭୂଗୋଳର ପରିବର୍ତ୍ତନରେ ଇତିହାସକୁ ବିକୃତ
କରିବା ଏକ ସମ୍ବେଦନଶୀଳ ବିଷୟ ନୁହେଁ କି..?
ଏହା କଣ କାପୁରୁଷତା ନୁହେଁ କି..?
ଏହା ହିଁ ପ୍ରଶ୍ନ ବାଚୀ..???
