ଶୁଭୁନାହିଁ ଆଉ କାହ୍ନାର ବଇଁଶୀ
ଶୁଭୁନାହିଁ ଆଉ କାହ୍ନାର ବଇଁଶୀ
ଶୁଭୁନାହିଁ ଆଉ କାହ୍ନାର ବଇଁଶୀ
ଯମୁନା କୂଳରେ ସଖୀ,
ଧାଉଁନାହିଁ ଆଉ ରାଧା ଗଉଡୁଣୀ
କାଖରେ କଳସୀ ଯାକି ।
ଶୁଭୁନାହିଁ ଆଉ କାହ୍ନାର ବଇଁଶୀ
କଦମ୍ବ ବନରେ ସଖୀ,
ଫୁଟୁନାହିଁ ଫୁଲ କଦମ୍ବ ଡାଳରେ
ବସୁ ନାହିଁ ମଧୁମକ୍ଷୀ।
ଶୁଭୁନାହିଁ ଆଉ କାହ୍ନାର ବଇଁଶୀ
କୁଞ୍ଜବନରେ ଲୋ ସଖୀ,
ନାଚୁନି ମୟୂର ହୋଇଣ ଅଧିର
ଗାଉନି ବି ଶୁକ ପକ୍ଷୀ।
ଶୁଭୁନାହିଁ ଆଉ କାହ୍ନାର ବଇଁଶୀ
ଗୋରୁଗୋଠରେ ଲୋ ସଖୀ,
କଅଁଳିଆ ଘାସ ଦିଶୁନାହିଁ ଆଉ
ସବୁ ତ ଯାଇଛି ସୁଖି।
ଶୁଭୁନାହିଁ ଆଉ କାହ୍ନାର ବଇଁଶୀ
ଗୋପପୁରରେ ଲୋ ସଖୀ,
ଭାଙ୍ଗୁ ନାହିଁ ଆଉଗୋପୀର କଳସୀ
ହଉ ନାହିଁ ନିରିମାଖି।
ଶୁଭୁନାହିଁ ଆଉ କାହ୍ନାର ବଇଁଶୀ
ଯଶୋଦା ଘରେ ଲୋ ସଖୀ,
ନନ୍ଦର ଘରଣୀ ରଖୁନି ଲହୁଣୀ
ଶିକାରେ ଘୋଡଣି ଢାଙ୍କି।
ଶୁଭୁନାହିଁ ଆଉ କାହ୍ନାର ବଇଁଶୀ
ଗୋପୀଗୋପାଳଙ୍କ କାନେ,
ଗୋପ ଛାଡି କାହ୍ନା ଯାଇଛି ମଥୁରା
ଫେରିବ କେବେ କେ ଜାଣେ।
ଶୁଭୁନାହିଁ ଆଉ କାହ୍ନାର ବଇଁଶୀ
ଗୋପ ଲାଗେ ଖାଆଁ ଖାଆଁ,
ଭାଗ୍ୟର ସତେକି ବିଡମ୍ବନା ଇଏ
ଉଜାଣି ବହୁଛି ବାଆ।