ଶୁଆଇ ଦିଏନି ସ୍ମୃତି !
ଶୁଆଇ ଦିଏନି ସ୍ମୃତି !
ମନେ ଅଛି ପ୍ରିୟ ସେହି ପରିଚୟ
କେତେ ସପନ ସମ୍ଭାର ,
ସେହି ସମୁଦ୍ରର ବେଳାଭୂମିପର
କେତେ ସ୍ମୃତି ମିଳନର । (୧)
ସମୁଦ୍ର ଲହଡି ପରା ଉଠି ପଡି
ଆମ ମନେ କେତେ ଭାବ ,
କେତେ ଉଠିଆସେ ଶୀତଳ ପରଶେ
କେତେ ଚିନ୍ତା ଅଭିନବ ! (୨)
ଜାଗୁ ଥିଲା ସିନା ଆଶା ଉଦ୍ଦିପନା
ପ୍ରଣୟ ବିଶ୍ୱାସ ନେଇ ,
ଖେଳରେ ବି ମାତି ଦୁହେଁ ତ ସେମିତି
ହଜୁଥିଲେ ରହି ରହି ! (୩)
ସ୍ମୃତି ପଟରେ ମୋ ଚିତ୍ର ସେହି ତୁମ
ମନରେ ରହିଛି ପ୍ରିୟ ,
ଆମ ଭୁଲ କାହିଁ କି ଔଚିତ୍ୟ ନାହିଁ
ଡରେ କି କେବେ ପ୍ରଣୟ ? (୪)
ନୀତି ନିୟମର ଘେର ପରିସର
ମାନି ବାନ୍ଧି ହୋଇ ଗଲ ,
ଆଜନମ ପାଇଁ ବୀରହିଣୀ ମୁହିଁ
କିମ୍ପା ବଞ୍ଚା ଶବ କଲ ? (୫)
ମୋହର ଭରସା ଭାଙ୍ଗିଲ ସହସା
ପ୍ରେମରେ ଲେଖିଲ ଇତି ,
ଆଖିର ଲୁହରେ ରାତି ବି ଜାଗରେ
ଶୁଆଇ ଦିଏନି ସ୍ମୃତି ! (୬)
କିଛି ପଥ ଚାଲି ଥିଲି ପ୍ରେମେ ବୋଲି
କ୍ଷତାକ୍ତ ନିଶ୍ଚୟ ହେଲି ,
ଲେଖନୀ ଉଠାଇ ସେ ପ୍ରଣୟେ ଗାଇ
ତଥାପି ମର୍ଯ୍ୟାଦା ଦେଲି ! (୭)
ରହିଛ କିପରି ତୁମେ ମୋତେ ଛାଡି
ହୃଦେ କି ନାହିଁ ଆଘାତ ,
ନିଷ୍ଠୁର ସମାଜ ଆମ ପ୍ରେମେ ଆଜ
ଆଣିଦେଲା ଝଞ୍ଜାବାତ ।(୮)
ଥାଇ ମୋ ଠୁ ଦୂର ନ ରହି ଅସ୍ଥିର
ସୁଖରେ ରହିଛ ଯେବେ ,
ସେ ସୁଖକୁ କାହିଁ ତୁଟାଇବି ମୁହିଁ
ପ୍ରେମେ ମୋ ନିଷ୍ଠା କି ତେବେ ? (୯)
ପ୍ରେମର ତାଡନା ହେଉ ମୋ ଗହଣା
ହେଉ ଏ ଭାବର ଧନ ,
ଏହିଠି ମୁଁ ସୁଖି ମୋ ପ୍ରେମକୁ ଲେଖି
ଗଢେ କବିତା ମୋ ମନ ! (୧୦)