STORYMIRROR

Kshitish Jena

Abstract Action Inspirational

4  

Kshitish Jena

Abstract Action Inspirational

ଶ୍ରମିକ ହୃଦୟ ବ୍ୟଥା

ଶ୍ରମିକ ହୃଦୟ ବ୍ୟଥା

1 min
370

ଶ୍ରମକୁ କରିଛି ଜୀବିକା ମୋହର

ଶ୍ରମିକ ଅଟେ ମୋ ନାମ

ପେଟ ପାଇଁ ମୁହିଁ ସକାଳରୁ ସଞ୍ଜ

କରିଥାଏ ପରିଶ୍ରମ।


ଶ୍ରମ ତୁଳନାରେ ପାଏନି ମଜୁରି

ରହିଯାଏ କିଛି ବାକି

ମାଲିକ ଘରକୁ ବାକି ପାଇଁ ଧାଇଁ

ପଡ଼ି ଯାଏ ମୁହିଁ ଥକି ।


ନିର୍ଦ୍ଧିଷ୍ଟ ମଜୁରି ଦେବାକୁ କହି ସେ

ଦେଲାବେଳେ ଦିଏ କାଟି

ପ୍ରତିବାଦ କଲେ କାର୍ଯ୍ୟରୁ ମାଲିକ

ଦେଇ ଦିଏ ପୂରା ଛୁଟି ।


କାମ ସମୟରେ ମାଲିକ କାର୍ଯ୍ୟରେ

ନଦିଏ କେବ ମୁଁ ଢିଲା

ତଥାପି ମୋ କାର୍ଯ୍ୟ ତଦାରଖ କରେ

ମାଲିକ ଓ ତା'ର ପିଲା ।


କାମ ସାଥେ ସଦା ସମୟକୁ ଦେଖେ

ମାଲିକଟି ବାରମ୍ଵାର

ଶୀଘ୍ର ଗଲେ ସୁଦ୍ଧା ସମୟ ପୂର୍ବରୁ

ନଛାଡ଼େ ଘରକୁ ମୋର ।


ବରଷା କାଳରେ ପ୍ରବଳ ବରଷା

ଗ୍ରୀଷ୍ମ ଦିନେ ଖରା ତାତି

ଶୀତର କୋପକୁ ଖାତିର୍ ନକରି

କାମରେ ଯାଏ ମୁଁ ମାତି ।


କାମ ଦିନେ ହୋଇ ଅଟକ ହୁଅଇ

ଯଦି ଦୁଇ ତିନି ଦିନ

ବହୁ କଷ୍ଟେ ଚଳେ ମୋର ପରିବାର

ଧନ ପାଶେ ହୁଏ ଶୂନ।


ପିଲାଙ୍କୁ ମୋହର ଦେଇ ମୁଁ ପାରେନା

ଦି'ଓଳା ଦି'ମୁଠା ଦାନା

ଝାଟିମାଟି ନଡ଼ା ଘରେ ରହେ ମୁହିଁ

ନିଜେ ପିନ୍ଧେ ଛିଣ୍ଡା କନା ।


ଦୁନିଆ ଯାକର ସଭିଏଁ ନିଜର

କାହାକୁ ନ ଭାବେ ପର

ଖଟି ଖାଏ ମୁହିଁ ନକରେ କରଜ

ନଥାଏ କାହାକୁ ଡର ।


ମାଟି ମାଆ ପରି ହୃଦୟ ମୋହର

କପଟ ନଥାଏ ମନେ

ମାନବ ସେବା ହିଁ ମାଧବର ସେବା

କହେ ମୁଁ ଜାତିର କାନେ ।


ଅନ୍ତର ଦୁଃଖକୁ ଅନ୍ତରରେ ରଖି

କହଇ ମଧୁର କଥା

ଜଗତ କରତା ଏକା ସେ ଜାଣଇ

ଶ୍ରମିକ ହୃଦୟ ବ୍ୟଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract