ଶ୍ରୀମନ୍ଦିରରେ ସୋମନାଥ ବ୍ରତ
ଶ୍ରୀମନ୍ଦିରରେ ସୋମନାଥ ବ୍ରତ


ଶିବ ଶମ୍ଭୁ ଭୋଳାନାଥ ସୋମ ଶେଖର
ସୋମନାଥ ଶିବଙ୍କର ନାମ ସୁନ୍ଦର।
ନାଥ ସେତ ସୋମନାଥ ଶିବ ସ୍ବରୂପ
ଅନାଥର ନାଥ ପ୍ରଭୁ ପ୍ରମଥାଧିପ।
ଜଗନ୍ନାଥ ମହାପ୍ରଭୁ ଶିବ ସେ ଶାକ୍ତ
ତେଣୁ ଶ୍ରୀମନ୍ଦିରେ ସୋମନାଥ ପୂଜିତ।
ଶ୍ରୀମନ୍ଦିର ଉତ୍ତର ଦିଗରେ ସୁନ୍ଦର
ବେଢ଼ା ମଧ୍ୟରେ ସୋମନାଥଙ୍କ ମନ୍ଦିର।
ସୋମବାର ଦିନ ପୀଠ ପଡେ ଉଛୁଳି
ଶିବ ଭକ୍ତ ମାନଙ୍କର ହୁଏ ଗହଳି।
ଚନ୍ଦ୍ର ଦୋଷ ଯୋଗୁ ଜିଏ ଦୁଃଖ ଭୋଗନ୍ତି
ସୋମନାଥ ଙ୍କୁତ ସିଏ ପୂଜା କରନ୍ତି।
ସୋମନାଥ କଲେ ଦୟା ହଟେ ବିପଦ
ଦୂର ହୁଏ ଅଶାନ୍ତି ଚିନ୍ତା ଅବସାଦ ।
ସେ ଲାଗି ସୋମନାଥ ବ୍ରତ ଅନନ୍ୟ
ବ୍ରତ ପାଳି ଭକ୍ତ ମାନେ ହୁଅନ୍ତି ଧନ୍ୟ।
ସୋମନାଥ ବ୍ରତ ଯେଉଁମାନେ କରନ୍ତି
ପ୍ରଭୁଙ୍କ ପାଦେ ମନ ସମର୍ପି ଦିଅନ୍ତି।
ନିଷ୍ଠା ର ସହିତ ବ୍ରତୀ ବ୍ରତ ପାଳନ୍ତି
ଦିବାରାତି ସୋମନାଥ ନାମ ଘୋଷନ୍ତି।
ସୋମନାଥ ବ୍ରତ ପ୍ରଭୁ ଶିବଙ୍କ ପୂଜା
ମୁକତି ର ପଥ ଉଡେ ମଙ୍ଗଳ ଧ୍ବଜା।
ନିଷ୍ଠା ରେ ଯେଉଁମାନେ ବ୍ରତ ପାଳନ୍ତି
ଶିବଙ୍କ ଦୟାରୁ ଭବୁ ପାରି ହୁଅନ୍ତି।
ଆଶୁତୋଷ ପାର୍ବତୀ ଙ୍କୁ ବୁଝାଇଥିଲେ
କିଲାଭ ମିଳେ ଏହି ବ୍ରତ କରିଲେ ।
ତେତ୍ରିଶ କୋଟି ଦେବତା ଦେବୀ ସକଳ
କୈଳାଶରେ ହୋଇଥିଲେ ସେଦିନ ଠୁଳ ।
କରୁଥିଲେ ଶିବଙ୍କର ସରବେ ସ୍ତୁତି
ଜୟଜୟ ଶିବ ଶମ୍ଭୁ ପାର୍ବତୀ ପତି ।
ଏକାଳେ ମାତା ପାର୍ବତୀ ଶିବ ଙ୍କୁ ଚାହିଁ
ପଚାରନ୍ତି କଥାଟିଏ କୁହ ହେ ସାଇଁ ।
ତୁମ ପୂଜା ଉପାସନା ବ୍ରତ ଅନେକ
ଜୟ ଗାନ କରେ ସାରା ବିଶ୍ବ ମୂଲକ ।
ଏତେ ବ୍ରତ ମଧ୍ୟେ କେଉଁ ବ୍ରତଟି ସାର
ସହସା ବ୍ରତୀ କୁ ମିଳେ ଫଳ ତାହାର।
ଆଶୁତୋଷ ତୋଷ ହୋଇ କରୁଣା ଢାଳି
ଦୁଃଖ ଦୁର୍ଦ୍ଦଶାକୁ ସବୁ ଦିଅନ୍ତି ଟାଳି ।
ପାର୍ବତୀ ଙ୍କ କଥା ଶୁଣି ଭୋଳା ଶଙ୍କର
ହସିହସି ଦେଲେ ପ୍ରଶ୍ନ ଉତ୍ତର ସାର ।
ବ୍ରତ ମଧ୍ୟରେ ସାର ସୋମନାଥ ବ୍ରତ
ଭକ୍ତିରେ ପାଳିଲେ ହୁଏ ଫଳ ପ୍ରାପତ।
ପ୍ରଭୁଙ୍କର ଉତ୍ତର ରେ ମାତା ପାର୍ବତୀ
ତୋଷ ହୋଇ ପୁଣି ଏକ ପ୍ରଶ୍ନ କରନ୍ତି।
କାହାକୁ ହୋଇଛି ବ୍ରତ ସୁଫଳ ପ୍ରାପ୍ତି
ବୁଝାଇ କୁହହେ ମୋତେ ଜଗତ ପତି।
ଶଙ୍କର କହିଲେ ଆଗୋ ଶୁଣ ଭବାନୀ
ସୋମନାଥ ବ୍ରତ ଗାଥା କଥା କାହାଣୀ।
ଗୋଟି ଗୋଟି ବଖାଣିଲେ ବିଶ୍ଵ ନିଅନ୍ତା
ମନ ଦେଇ ଶୁଣୁଥିଲେ ଜଗତ ମାତା ।
ନଦୀ ମଧ୍ୟେ ସାର ଗଙ୍ଗା ନଦୀ ଯେପରି
ବ୍ରତ ମଧ୍ୟେ ସୋମନାଥ ବ୍ରତ ସେପରି।
ଏ ବ୍ରତ କରିଲେ ହୁଏ ଭାଗ୍ୟ ଉଦୟ
ଅପୁତ୍ରିକ ପୁତ୍ରବତୀ ହୁଏ ନିଶ୍ଚୟ।
ବନ୍ଧ୍ୟା ଦୋଷ ଦୂର ହୁଏ ଏ ବ୍ରତ କଲେ
ଦୁଃଖ ଦୁର୍ଦ୍ଦଶା ରୁ ନିଶ୍ଚେ ମୁକତି ମିଳେ ।
ଅମା ରାତି ପାହିଯାଏ ସକାଳ ହସେ
ଧନ ରତ୍ନ ପ୍ରାପ୍ତି ହୁଏ ସୁଦିନ ଆସେ ।
ବଈରୀ ଗଞ୍ଜନ ହୁଏ ବିପଦୁ ମୁକ୍ତ
ରୋଗ ବ୍ୟାଧି ହୁଏ ଭଲ କଲେ ଏ ବ୍ରତ।
ଏ ବ୍ରତ କୁ ଯେଉଁମାନେ ନିନ୍ଦା କରନ୍ତି
ଅତି ଦୁଃଖେ ସେହିମାନେ କାଳ କାଟନ୍ତି।
ଏମିତି ଘଟଣା ଏକ ମର୍ତ୍ତ୍ୟେ ଘଟିଲା
ବ୍ରତ ନିନ୍ଦୁକଙ୍କୁ କାଳ କାଳ ହୋଇଲା ।
ଆଶୁରୋଷ କଲେ ରୋଷ ହେଲା ବିନାଶ
ସୁଖ ସମ୍ପଦ ନିମିଷେ ହୋଇଲା ଧ୍ବଂସ।
କାହିଁ କେତେ ଯୁଗର ସେ କଥା କାହାଣୀ
ବ୍ରତର ମାହାତ୍ମ୍ୟ ଆଜି ଯାଏ ବଖାଣୀ।
ମାଳବ ଦେଶରେ ଥିଲା ପାଟଳୀ ନଗ୍ର
ବୀର ବିକ୍ରମ ରାଜା ଥିଲେ ଟି ତାର ।
ବଡ ଦୟାଳୁ ସେ ରାଜା ପ୍ରଜା ବତ୍ସଳ
ସବୁରି ହିତ ରେ ବ୍ରତୀ ପ୍ରଜା ମଙ୍ଗଳ ।
ପ୍ରତି ଘରେ ସ୍ଥାପି ସୁନା କଳସ, ନେତ
ନଗର କୁ କରିଥିଲେ ସେତ ଶୋଭିତ।
ବାଉନ କୋଟି ଭଣ୍ଡାର ବିଭବ ଭରା
ସ୍ନେହ ଶ୍ରଦ୍ଧା ଭାବ ଯହିଁ ଉଛୁଳେ ପରା ।
ଅଶ୍ୱ ଗଜ ପଦାତିକ ସୈନିକ ଦଳ
ବଖାଣନ୍ତି ରାଜାଙ୍କର ବଳ କୌଶଳ।
ପ୍ରଜାଙ୍କର ହିତ ପାଇଁ ବୀର ରାଜନ
ବସାଇତ ଥିଲେ କେତେ ହାଟ ସେ ଜାଣ ।
ଦାନ ଧର୍ମେ ଦେଉଥିଲେ ସଦା ସେ ମନ
ଅତିଥି ଚର୍ଚ୍ଚା ରେ ଥିଲେ ସେତ ମହାନ ।
ପଶ୍ଚିମ ଉପକୂଳ ରେ ପ୍ରଭାସ ତୀର୍ଥ
କ୍ଷେତ୍ର ଅଧିଶ୍ବର ପ୍ରଭୁ ଶ୍ରୀ ସୋମନାଥ।
ଯୁଗ ଆରମ୍ଭ ରୁ ପ୍ରଭୁ ବିରାଜିଛନ୍ତି
ଜ୍ୟୋତିର୍ଲିଙ୍ଗ ଭାବେ ସେତ ପୂଜା ପାଆନ୍ତି ।
ସୋମନାଥଙ୍କୁ ଦର୍ଶନା କରିବା ପାଇଁ
କାପୁଡିଆ ସନ୍ୟାସୀ ଯେ ଥିଲେ ତ ଯାଇ।
ପ୍ରଭାସ ତୀର୍ଥ ରେ କଲେ ଶିବ ଦର୍ଶନ
ସୋମନାଥ ଦୟାକଲେ ଜୀବନ ଧନ୍ୟ।
ଫେରିବାବା ବାଟରେ ସେହି ସାଧୁ ସନ୍ୟାସୀ
ପାଟଳୀ ନଗରରେ ଅଟକିଲେ ଆସି ।
ଅତିଥି ମାନଙ୍କୁ ରାଜା ସ୍ବାଗତ କଲେ
ଖାଦ୍ୟପେୟ କଥା ସବୁ ନିଜେ ବୁଝିଲେ ।
ଅତିଥି ସତ୍କାରେ ସାଧୁ ହୋଇଲେ ପ୍ରିତ
ଜୟ ବୀର ବିକ୍ରମ ଗାନ କଲେ ସେତ ।
ରାଜାଙ୍କ ହିତ ପାଇଁ କାପୁଡିଆ ସେହି
କହିଲେ ରାଜନ ଶୁଣ କଥାଟି ଏହି ।
ପ୍ରତିବର୍ଷ ସୋମନାଥ ବ୍ରତ ଯେ କର
ନିଶ୍ଚୟ ସୁଫଳ ପ୍ରାପ୍ତି ହେବ ତୁମର ।
ବ୍ରତ ପାଳନର ଯେତେ ବିଧି ବିଧାନ
ରାଜାଙ୍କୁ ବୁଝାଇଲେ ସନ୍ୟାସୀ ଗଣ ।
ମାତ୍ର ମାଣେ ଚାଉଳରେ ବ୍ରତ ହୁଅଇ
କଥାଟି ଶୁଣି ହସିଲେ ପାଟଳୀ ସାଇଁ।
କାପୁଡିଆ ମାନଙ୍କୁ ସେ ଉତ୍ତର ଦେଲେ
ମାଣେ ଚାଉଳରେ ମୁଁ ତ ବ୍ରତ ପାଳିଲେ,
ହସିବେ ମୋ ମନ୍ତ୍ରୀ ରାଜ ପାରିଷଦ ତ
କହିବେ ରାଜା ପାଳନ୍ତି ଇଏକି ବ୍ରତ !
ବାଉନ କୋଟି ଭଣ୍ଡାର ରତନ ଭରା
ମାଣେ ଚାଉଳରେ ବ୍ରତ କରନ୍ତି ପରା ।
ଶୁଣି ବିକ୍ରମ ଙ୍କର ଏପରି ବଚନ
କାପୁଡିଆଙ୍କର ମୁଖ ହେଲା ମଳିନ ।
ବ୍ରତ ର ଅପମାନ ଅସହ୍ୟ ହୋଇଲା
ଆଶୁରୋଷ ଙ୍କର ରୋଷ ବଳେଇ ଗଲା ।
ରାଜାଙ୍କର ଅହଙ୍କାର କାଳ ହୋଇଲା
କୁଷ୍ଠ ରୋଗ ରାଜାଙ୍କୁତ ଗ୍ରାସ କରିଲା ।
ସଭିଏଁ ଦେଖି ତାଙ୍କୁ ଘୃଣା କରିଲେ
ବାଟ ଭାଙ୍ଗି ତାଙ୍କ ଠାରୁ ଦୂରେଇ ଗଲେ ।
ମାନସିକ ଚାପ ରେ ତ ବୀର ବିକ୍ରମ
ଅବସାଦ ଭରିଦେଲା ଲଜ୍ୟା ସରମ ।
ସିଂହାସନେ ବସିବାକୁ ଲାଗିଲା ଡର
ବଳେଇ ପଡ଼ିଲା ତା
ଙ୍କ ଦୁଃଖ ର ଭାର ।
ମନ୍ତ୍ରୀ ସମୀଗ୍ରହ ଙ୍କୁ ତ ରାଜା ଡାକିଲେ
ରାଜ୍ୟ ଭାର ତାଙ୍କ ହାତେ ଦେଇ କହିଲେ,
ରାଜ୍ୟ ଆଉ ପ୍ରଜାଙ୍କର କଥା ବୁଝିବ
ରାଣୀ ରାଜକନ୍ୟା ଙ୍କୁ ତ ସୁରକ୍ଷା ଦେବ।
ପୁତ୍ର ସହ ଯାଉଅଛି ଦେଶାନ୍ତର କୁ
ସୁସ୍ଥ ହେଲେ ଫେରିବି ମୁଁ ପୁଣି ରାଜ୍ୟ କୁ ।
ଏହା କହି ମାଟିକୁ ସେ ପ୍ରଣାମ କଲେ
ପୁତ୍ର ସହ ଉଆସ ରୁ ବାହାର ହେଲେ ।
ଦୂର ରାଇଜରେ ରାଜା ଚଳିବା ପାଇଁ
ସାଥେ ଧନରତ୍ନ ଘେନି ଥିଲେ ତ ସେହି ।
ଭାଗ୍ୟ ପୁଣି ପଥ ରେ ତ କରିଲା ବାଦ
ଡ଼କାୟତ ଝାମ୍ପିନେଲେ ଧନ ସମ୍ପଦ।
ବିଚାରା ତ ରାଜା ରାଜ କୁମାର ସେହି
ଭିକ୍ଷା ବୃତ୍ତି କଲେ ପେଟ ପୋଷିବା ପାଇଁ।
କ୍ଷାଦ୍ଯ ଅଭାବରୁ ବିକ୍ରମ ଙ୍କ ଶରୀର
ଦିନୁଦିନ ରୋଗ ପାଇଁ ହେଲା ଅସ୍ଥିର ।
ହାତ ଗୋଡ଼ ଧୀରେ ଧୀରେ ପଙ୍ଗୁ ହୋଇଲା
ରାଜାଙ୍କର ଦୁଃଖ ତହୁଁ ବଳେଇଗଲା।
ମନ୍ତ୍ରୀ ସମୀଗ୍ରହଙ୍କର ଡଗର ଜଣେ
ରାଜାଙ୍କର ଅବସ୍ଥାକୁ ଦେଖିଲା ଏଣେ ।
ମନ୍ତ୍ରୀ ଙ୍କୁ ସେ ଜଣାଇଲା ଖବର ଏହି
ଖୁସିରେ ନାଚିଲେ ମନ୍ତ୍ରୀ ଖବର ପାଇ ।
ରାଣୀ ରାଜକନ୍ୟା ଙ୍କୁ ସେ ତଡି ଯେ ଦେଲା
ଉଆସରେ ଯାଇ ମନ୍ତ୍ରୀ ନିଜେ ରହିଲା ।
ଚଳିବା ପାଇଁକି ରାଣୀ ସୂତା କାଟିଲେ
ରାଜକନ୍ୟା ପରଘରେ ଧାନ କୁଟିଲେ।
ଏ ଭିତରେ ବର୍ଷଟିଏ ଗଲାଯେ ବିତି
ରାଜ ପରିବାର ଦୁଃଖେ ହୁଅନ୍ତି ଘାଣ୍ଟି।
ପୁଣି କାପୁଡିଆ ମାନେ ପ୍ରଭାସ ତୀର୍ଥେ
ସୋମନାଥ ଦର୍ଶନ ରୁ ଫେରିବା ପଥେ,
ପାଟଳୀ ନଗ୍ରରେ ଆସି ଯେବେ ମିଳିଲେ
ରାଜାଙ୍କର ଦୁଃଖ କଥା ସେତ ଶୁଣିଲେ।
ବ୍ରତକୁ ଅନ୍ୟଥା କଲେ ବୋଲି ରାଜନ
ହେଉ ଅଛନ୍ତି ଆଜି ସେତ ହୀନିମାନ।
କାପୁଡିଆ ମାନେ ଯେବେ ତହିଁ ରହିଲେ
ବ୍ରାହ୍ମଣୀ ମାନେ ଯାଇ ତାଙ୍କୁ ଭେଟିଲେ ।
ସୋମନାଥ ବ୍ରତ ର ତ ବିଧି ବିଧାନ
ତାଙ୍କଠୁ ବ୍ରାହ୍ମଣୀ ମାନେ ବୁଝିଲେ ଜାଣ।
ବ୍ରତ ର ମହିମା କଥା ପୁଣି ଜାଣିଲେ
ବ୍ରତ ପାଳିବାକୁ ମନେ ସ୍ଥିର କରିଲେ ।
ସେହି ପଥେ ଆସୁଥିଲେ ରାଜ ଦୁଲଣୀ
ଶୁଣିଲେ ସେଠାରେ ସେତ ବ୍ରତ କାହାଣୀ।
ରାଣୀ ଙ୍କୁ କହିଲେ ଆସି ସବୁ ବୁଝାଇ
ବ୍ରତ ପାଇଁ ସଜବାଜ ହେଲେ ତ ସେହି।
ବ୍ରାହ୍ମଣୀ ମାନଙ୍କ ଠାରୁ ସାହାଯ୍ୟ ଆଣି
ସୋମନାଥ ବ୍ରତ କଲେ ରାଇଜ ରାଣୀ ।
ଆଶ୍ୱିନ ଶୁକ୍ଳ ଷଷ୍ଠୀ ରେ ଆରମ୍ଭ ବ୍ରତ
ଦଶମୀ ରେ କଲେ ଶେଷ ନିଷ୍ଠାରେ ସେତ ।
ରାଣୀଙ୍କର ଶ୍ରଦ୍ଧା ଭକ୍ତି ନିଷ୍ଠା ଅପୁର୍ବ
ତୋଷ ହେଲେ ଆଶୁତୋଷ ଶଙ୍କର ଶିବ ।
ରାଜାଙ୍କର ଦୋଶାଦୋଷ କ୍ଷମା କରିଲେ
ପୂର୍ବ ଗଉରବ ରାଜା ଫେରି ପାଇଲେ ।
ପ୍ରଭୁଙ୍କ ଦୟାରୁ ରାଜା ସୁସ୍ଥ ହୋଇଲେ
ରାଇଜକୁ ତାଙ୍କ ପୁଣି ଫେରି ଆସିଲେ।
ପ୍ରଜାମାନେ ଦେଖି ତାଙ୍କୁ କଲେ ସ୍ବାଗତ
ରାଜ ପାରିଷଦ ସବୁ ହେଲେ ଆଶ୍ବସ୍ତ।
ସପରିବାରେ ରାଜା ଉଆସକୁ ଗଲେ
ତଡା ଖାଇ ମନ୍ତ୍ରୀ ତହୁଁ ଦଣ୍ତ ଭୋଗିଲେ।
ସାହାଯ୍ୟ ତ କରିଥିଲେ ଯେଉଁ ବ୍ରାହ୍ମଣୀ
ଧନ ରତ୍ନ ତ ଭରି ଦେଲେ ରାଜା ରାଣୀ।
ପାଟଳୀ ନଗର ପୁଣି ହସି ଉଠିଲା
ସୋମନାଥ ବ୍ରତ କଥା ଚହଟି ଗଲା।
ରାଜା ପ୍ରଜା ସମସ୍ତେ ଏ ବ୍ରତ କରିଲେ
ଶିବଙ୍କ ଦୟାରୁ ସୁଖେ କାଳ କାଟିଲେ ।
ମନ ଦେଇ ଶୁଣୁଥିଲେ ମାତା ପାର୍ବତୀ
କହି ଚାଲିଥାନ୍ତି ପ୍ରଭୁ କୈଳାଶ ପତି ।
ମାତା ପଚାରିଲେ ଏବେ କୁହ ହେ ନାଥ
କିପରି ପାଳିବେ ଭକ୍ତ ତୁମ ଏ ବ୍ରତ ।
ଶିବଙ୍କ ଉତ୍ତର ବ୍ରତ ବିଧି ବିଧାନ
ବ୍ରତ ମାହାତ୍ମ୍ୟ ରେ ହୋଇ ଅଛି ବର୍ଣ୍ଣନ।
ଭାଦ୍ରମାସ ଶୁକ୍ଳ ଷଷ୍ଠୀ ପବିତ୍ର ତିଥି
ବ୍ରତଧାରୀ ପ୍ରତ୍ୟୁଷରୁ ଶଯ୍ୟା ଛାଡନ୍ତି।
ଅପାମାରଙ୍ଗ ଦାନ୍ତକାଠିରେ ସେଦିନ
ଦାନ୍ତ ଘଷିଥାନ୍ତି ବ୍ରତଧାରୀ ଯେ ଜାଣ ।
ମେଥି ଅବା ହଳଦୀ ସେ ଯତନେ ବାଟି
ଦେହରେ ଲଗାଇ ସେତ ସ୍ନାନ କରନ୍ତି ।
ଶୁକ୍ଳ ବସ୍ତ୍ର ପରିଧାନ କରନ୍ତି ବ୍ରତୀ
ଭକ୍ତି ଚିତ୍ତେ ପୂଜା ଆୟୋଜନ କରନ୍ତି।
ଲିପା ପୋଛା କରି ସେତ ପୂଜା ସ୍ଥାନ ଟି
ରଙ୍ଗ ମୁରୁଜ ପକାଇ ଝୋଟି ଆଙ୍କନ୍ତି।
ମୁରୁଜ ଉପରେ କାଠ ପିଢ଼ା ପକାନ୍ତି
ଅରୁଆ ଚାଉଳ ଦୁବ ତହିଁ ରଖନ୍ତି ।
ଦଶ ଖିଅ ସୂତାରେ ତ ବ୍ରତ କରିଣ
ପିଢ଼ା ଉପରେ ସେ କରିଥାନ୍ତି ସ୍ଥାପନ।
ଦଶ ପ୍ରକାର ର ଫୁଲ ଫଳ ରଖନ୍ତି
ଭକତି ଅନ୍ତରେ ଶିବ ନାମ ଜପନ୍ତି।
ସୋମନାଥ ଗଙ୍ଗାଧର ଚନ୍ଦ୍ରଶେଖର
ବୀରୁପାକ୍ଷ ନୀଳକଣ୍ଠ ଶିବ ଶଙ୍କର,
ବୃଷଧ୍ବଜ ତ୍ରିଲୋଚନ ଉଗ୍ର ମୂରତୀ
ଭକ୍ତିରେ ଶିବଙ୍କ ନାମ ବ୍ରତୀ ଘୋଷନ୍ତି ।
ଆଶ୍ୱିନ ମାସ ଶୁକ୍ଳ ଦଶମୀ ଯାଏତ
ବ୍ରତଧାରୀ ପାଳିଥାନ୍ତି ନିଷ୍ଠା ରେ ବ୍ରତ।
ନିଷ୍ଠା ରେ କରିଲେ ଏହି ବ୍ରତ ପାଳନ
ସୁଖ ଶାନ୍ତି ରେ କଟଇ ସାରା ଜୀବନ।
ଅଭାବ କଷଣ ସବୁ ଯାଏ ଦୂରେଇ
ରୋଗ ଯାତନା ପାଖ ପସଇ ନାହିଁ।
ବ୍ରତ କଥା ଶୁଣି ମାତା ଦେବୀ ପାର୍ବତୀ
ଶିବଙ୍କ ପାଦରେ ଢାଳି ଭକ୍ତି ପ୍ରଣତି,
ବ୍ରତ ପାଳନ ରେ ଦେଲେ ଦେବୀ ଧିଆନ
ଜଗତକୁ ଦେଲେ ଶୁଭ ବାରତା ଜାଣ ।
ସେହିଦିନୁ ଗ୍ରାମ ରୁ ସହର ନଗର
ସୋମନାଥ ବ୍ରତ କଥା ହେଲା ପ୍ରସାର।
ଶିବ ଭକ୍ତ ମାନେ ଏହି ବ୍ରତ କରନ୍ତି
ରାତି ଦିନ ନିଷ୍ଠାରେ ସେ ବ୍ରତ ପାଳନ୍ତି।
ମନେମନେ ପ୍ରଭୁଙ୍କୁ କରନ୍ତି ସ୍ମରଣ
ଶିବ ପଞ୍ଚାକ୍ଷର ସେ କରନ୍ତି ଭଜନ ।
ଜୟଜୟ ଜୟ ପ୍ରଭୁ ହେ ଆଦି ନାଥ
ଶମ୍ଭୁରିଶ ପଶୁପତି ଶ୍ରୀ ସୋମନାଥ।
କାଳ ପୂଜ୍ୟ କାଳେଶ୍ବର ହେ ମହାକାଳ
ଭକ୍ତ ବନ୍ଧୁ ଭକ୍ତ ପ୍ରିୟ ଭକ୍ତ ବତ୍ସଳ।
ଦୟାକର ଦୟାମୟ ହେ ବିଶ୍ବ ନାଥ
ଗତି ମୁକ୍ତି ଦାତା ପ୍ରଭୁ ଅନାଥ ନାଥ ।
ତୁମରି ଚରଣେ ପ୍ରଭୁ ଶତ ପ୍ରଣତି
ଅନାଥର ନାଥ ପ୍ରଭୁ ଗତି ଅଗତି।
ଦୟାମୟ ଦୟାକର ହସୁ ଜଗତ
ଦୂର କରିଦିଅ ସବୁ ଦୁଃଖ ଦୂରିତ।
ଆନନ୍ଦମୟ ହେଉ ଏ ତୁମରି ସୃଷ୍ଟି
ତୁମରି ଆଶିଷ ହେଉ ସବୁଠି ବୃଷ୍ଟି।
ସ୍ନେହ ଶ୍ରଦ୍ଧା ବାଣ୍ଟି ବାଣ୍ଟି ଯାଉ ଜୀବନ
ନ ଭୋଗୁ କେହି ପ୍ରଭୁ ଦୁଃଖ କଷଣ।