ଶ୍ରୀକ୍ଷେତ୍ରେ ଶ୍ରୀରାମ ନବମୀ
ଶ୍ରୀକ୍ଷେତ୍ରେ ଶ୍ରୀରାମ ନବମୀ


ଜୟଜୟ ଜଗନ୍ନାଥ ଜଗତ ନାଥ
ଦିବ୍ୟ ଲିଳା ନୀଳାଚଳେ କଳା ସାଆନ୍ତ ।
ସ୍କନ୍ଦ ପୁରାଣରେ ପ୍ରଭୁ ଅଛି ବର୍ଣ୍ଣନ
ଜଗନ୍ନାଥ ଯେ ଶ୍ରୀରାମ ରଘୁନନ୍ଦନ।
ତ୍ରେତୟା କୁ ମହାପ୍ରଭୁ ମନେ ପକାନ୍ତି
ରାମଲୀଳା ଶ୍ରୀମନ୍ଦିରେ ସେ କରିଥାନ୍ତି।
ରାମ ଜନ୍ମ ଠାରୁ ଅଭିଷେକ ଉତ୍ସବ
ରାମନବମୀ ରୁ ହୁଏ ଲିଳା ପରବ ।
ରାମ ଲକ୍ଷ୍ମଣ ସୀତା ହନୁମାନ ମୂର୍ତ୍ତି
ମନ୍ଦିର ଦକ୍ଷିଣ ଘରେ ପୂଜା ହୁଅନ୍ତି ।
ରାମଲୀଳା ରେ ସେମାନେ ଭାଗ ନିଅନ୍ତି
ରତ୍ନବେଦୀ କୁ ଆସି ପୂଜା ହୁଅନ୍ତି।
ମହାପ୍ରଭୁଙ୍କର ଆଜ୍ଞାମାଳ ପାଆନ୍ତି
ଜଗନ୍ନାଥ ବଲ୍ଲଭ ମଠକୁ ଯାଆନ୍ତି।
ମଠରେ ପୂଜା ଅର୍ଚ୍ଚନା ହୁଏ ଆଳତି
ସାହିଯାତ ଦିଅଁ ମାନେ ତହିଁ ଦେଖନ୍ତି।
ଶ୍ରୀକ୍ଷେତ୍ରର ସାହିଯାତ ଜଗତ କ୍ଷାତ
ରାମାୟଣ ରାମ କଥା ହୁଏ ବର୍ଣ୍ଣିତ।
ତ୍ରେତୟା ଯୁଗର ସେହି ଅମୃତ ବାଣୀ
ରାମନବମୀ ର ଲିଳା ଯାଏ ବଖାଣି।
ଶ୍ରୀରାମ ନବମୀ ସେତ ଦିନ ମହାନ
ପ୍ରଭୁ ରାମଚନ୍ଦ୍ରଙ୍କର ଜନମ ଦିନ ।
ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ସେହି
ଜୟ ଶ୍ରୀ ରାମ ରାମ ଉଛୁଳେ ମହୀ।
ଉଛୁଳେ ବିଷ୍ଣୁ ମନ୍ଦିର ଉଛୁଳେ ମଠ
ବ୍ରତ ପାଳନ କରନ୍ତି ରାମ ଭକତ।
ଉପବାସେ ଶ୍ରୀ ରାମଙ୍କ ନାମ ଜପନ୍ତି
ମଠ ମନ୍ଦିରେ ପ୍ରଭୁଙ୍କ ପୂଜା କରନ୍ତି।
ରାମଲୀଳା ଆୟୋଜନ ଗାଁଆ ଗାଆଁ ରେ
ରାମାୟଣ କଥାମୃତ ଅଭିନୟ ରେ।
ରାମ ଚରିତ ମାନସ ପାରାୟଣ ରେ
ପ୍ରଭୁଙ୍କର ଗୁଣ ଗାନ ଭାବ ଭକ୍ତିରେ ।
ଯାଗ ଯଜ୍ଞ ଜ୍ଞାନ ଧ୍ୟାନ ମଙ୍ଗଳ ଗାନ
ରାମାୟଣ ପାଠ ରାମ ଗୁଣ କିର୍ତ୍ତନ।
ଭବ ଜଳୁ ପାଇବାକୁ ଶାନ୍ତି ମୁକତି
ଭାବେ ବ୍ରତଧାରୀ ରାମନାମ ଘୋଷନ୍ତି ।
ସ୍ଥାନେ ସ୍ଥାନେ ଶୋଭା ଯାତ୍ରା ବାହାରି ଥାନ୍ତି
ଭକତେ ରାମ ନାମ ପ୍ରଚାର କରନ୍ତି ।
ରାମ କଥା ରାମ ଗାଥା ଅମୃତ ବାଣୀ
ମନ ପ୍ରାଣ ଧନ୍ଯ ହୁଏ ସେ କଥା ଶୁଣି।
ସତ୍ୟ ପରେ ତ୍ରେତୟାରେ ଶ୍ରୀ ନାରାୟଣ
ଧର୍ମ ସସ୍ଥାପନ ପାଇଁ ଧରାଗମନ।
ଅତ୍ୟାଚାରୀ ରାବଣକୁ ମାରିବା ପାଇଁ
ରାମ ଅବତାରେ ପ୍ରଭୁ ଥିଲେ ଓହ୍ଲାଇ ।
ବିଶ୍ରବା ନନ୍ଦନ ବିଂଶ ପାଣି ରାବଣ
ଲଙ୍କା ଗଡ ରାଜା ଥିଲା ସେ ଦଶାନନ ।
ବ୍ରାହ୍ମଣ ସିନା, ରାକ୍ଷସ କୂଳରେ ଜାତ
ଭାରି ଅତ୍ୟାଚାରୀ ଥିଲା ସ୍ୱଭାବେ ସେତ ।
ଶଙ୍କରଙ୍କ ବରରେ ବଳିୟାନ ହୋଇ
ଧରାକୁ ତ ସାରା ମଣୁଥିଲା ଯେ ସେହି ।
କ୍ଷିତ୍ ଅପ୍ ତେଜ ଆଉ ବ୍ୟୋମ ମରୁତ
ପଞ୍ଚଭୂତ ତାର ନିୟନ୍ତ୍ରଣେ ଥିଲେ ତ ।
ସ୍ବର୍ଗ ପୁରେ କରୁଥିଲା ସେ ଅତ୍ୟାଚାର
ଦେବ କୂଳ ହେଉଥିଲେ ଭାରି ଅସ୍ଥିର ।
ବିଷ୍ଣୁ ଙ୍କ ପାଖରେ ଯାଇ ଗୁହାରି କଲେ
ରାବଣ ନିଧନ ପାଇଁ ଉପାୟ କଲେ ।
ରାବଣକୁ ମାରିବାକୁ ପ୍ରଭୁ ଶ୍ରୀରାମ
ସପ୍ତମ ଅବତାରରେ ହେଲେ ଜନମ।
ଅଟେ ବିଚିତ୍ର ତାଙ୍କର ଜନ୍ମ ବୃତ୍ତାନ୍ତ
ରାମାୟଣ ଆଦ୍ଯ ଭାଗେ ଅଛି ବର୍ଣ୍ଣିତ।
ରାଜା ଦଶରଥ ସେତ ଅଯୋଧ୍ୟାସାଇଁ
ସୁଖେ ପ୍ରଜା ପାଳନ କରୁଥିଲେ ସେହି ।
ଦାନ ଧର୍ମ ଜ୍ଞାନ ଧ୍ୟାନେ ସେ ପରିପୂର୍ଣ୍ଣ
ଦୁଃଖ ଗୋଟିଏ ତାଙ୍କ ନଥିଲେ ସନ୍ତାନ।
ପ୍ରାଚୁର୍ଯ୍ୟ ଥାଇବି କୁହ କିଲାଭ ହେବ
ରାଣୀ ଙ୍କର କୋଳ ଯଦି ଖାଲି ରହିବ !
କୌଶଲ୍ୟା କୈକେଇ ପୁଣି ରାଣୀ ସୁମିତ୍ରା
ତିନି ରାଣୀ ଙ୍କର କୋଳ ଶୂନ୍ୟ ପସରା ।
ବିହି ସତେ ମନ୍ଦ ହୋଇ କରଇ ବାଦ
ରାଜା ରାଣୀ ଙ୍କ ଆଖିରୁ ହଜଇ ନିଦ ।
ରାଜା ଦଶରଥଙ୍କର ଚିନ୍ତା ଅଶେଷ
ରଘୁକୂଳ ସତେ ଅବା ହେବ ନିର୍ବ°ଶ !
ପାଇବା ପାଇଁ ରାଜା ସନ୍ତାନ ସନ୍ତତି
କେତେ ପୂଜା ଅରଚନା ବ୍ରତ କରନ୍ତି ।
ରାଜ କୂଳଗୁରୁ ଗୁରୁ ଋଷି ବଶିଷ୍ଠ
ବୁଝିପାରିଲେ ରାଜାଙ୍କ ଅନ୍ତର କଷ୍ଟ ।
ଦଶରଥ ଙ୍କୁ ଗୁରୁ ଦେଲେ ପରାମର୍ଶ
ଭକ୍ତିରେ ପୁତ୍ରେଷ୍ଟି ଯଜ୍ଞ କର ନରେଶ।
ନିଶ୍ଚୟ ପୁତ୍ର ସନ୍ତାନ ଲାଭ ହୋଇବ
ଚିନ୍ତା ଅବସାଦ ସବୁ ଦୂରେଇ ଯିବ ।
ଗୁରୁ ଙ୍କର କଥା ପ୍ରତି ଦେଇ ସମ୍ମାନ
ଦଶରଥ କରିଲେ ଯଜ୍ଞ ଆୟୋଜନ ।
ମହାନ ଋଷି ଶ୍ରେଷ୍ଠ ଋଷି ଋଷ୍ବଶୃଙ୍ଗ
କରିଲେ ସେ ଆସି ସେହି ପୁତ୍ରେଷ୍ଟି ଯଜ୍ଞ ।
ରାଜା ରାଣୀ ମାନେ ଯଜ୍ଞ ବ୍ରତ ପାଳିଲେ
ସନ୍ତାନ ପ୍ରାପ୍ତି ନିମନ୍ତେ ପ୍ରାର୍ଥନା କଲେ ।
ଭକ୍ତି ଆଉ ନିଷ୍ଠା ରେ ଯଜ୍ଞ ଭଗବାନ
ରାଜା ରାଣୀ ଙ୍କ ଉପରେ ହେଲେ ପ୍ରସନ୍ନ।
ଚରୁ ଅନ୍ନ ହାଣ୍ଡି ପ୍ରଭୁ ହସ୍ତରେ ଧରି
ଅଗ୍ନି ର ଗରଭରୁ ଆସିଲେ ବାହାରି ।
ରାଜା ଦଶରଥଙ୍କର ହସ୍ତରେ ଦେଇ
କଥାଟି କହିଲେ ପ୍ରଭୁ ତାଙ୍କୁ ବୁଝାଇ ।
ରାଣୀମାନେ ଚରୁ ଅନ୍ନ କଲେ ସେବନ
ନିଶ୍ଚୟ ସେ
ପୁତ୍ରବତୀ ହୋଇବେ ଜାଣ ।
ରାଜା ଚରୁଅନ୍ନ କୁ ଦୁଇଭାଗ କଲେ
କୌଶଲ୍ୟା କୈକେଇ ଙ୍କ ହସ୍ତେ ସମର୍ପିଲେ ।
ଦୁଇରାଣୀ ପ୍ରସାଦକୁ ପ୍ରଣାମ କଲେ
ଦୁହିଁଙ୍କ ଭାଗକୁ ଦୁହେଁ ଭାଗ କରିଲେ ।
ସାନ ରାଣୀ ଶୁମିତ୍ରା ରହିଥିଲେ ଚାହିଁ
ଦୁଇରାଣୀ ଦେଲେ ତାଙ୍କୁ ପ୍ରସାଦ ନେଇ ।
ଚାହୁଁ ଚାହୁଁ ଦିନ ମାସ ହୋଇଲା ଗତ
ଯଜ୍ଞ ର ଫଳ ତହୁଁ ହୋଇଲା ପ୍ରାପତ ।
ସୌଭାଗ୍ୟ ବତୀ ରାଣୀ ହେଲେ ଗର୍ଭବତୀ
ରାଜ ଉଆସରେ ଗଲା କଥା ଚହଟି ।
ରାଣୀ ମାନଙ୍କର ସେବା ସୁଶୃଷା ପାଇଁ
ଦିନରାତି ଦାସୀମାନେ ଖଟିଲେ ଯାଇ ।
ଦଶମାସ ଦଶ ଦିନ ବିତିଯେ ଗଲା
ପ୍ରସବ ସମୟ ଆସି ଆଗତ ହେଲା ।
ଚୈତ୍ରମାସ ଶୁକ୍ଳ ପକ୍ଷ ନବମୀ ଦିନ
ଉଆସେ ଉଇଁଲେ ସତେ ପୂନେଇ ଜହ୍ନ ।
ନାରାୟଣ ନର ରୂପେ ହେଲେ ପ୍ରକାଶ
ମୁଖରିତ ହୋଇଲା ମାଟିରୁ ଆକାଶ।
ପ୍ରଥମେ ରାଣୀ କୌଶଲ୍ୟା ମାଆ ହୋଇଲେ
ରାମ ରୂପେ ପ୍ରଭୁ ତାଙ୍କ କୋଳ ମଣ୍ଡିଲେ ।
ତାପରେ ଭରତ ସେତ ଜନମ ନେଲେ
ରାଣୀ କଇକେଇ ମନେ ହରଷ ହେଲେ ।
ସୁମିତ୍ରାଙ୍କ କୋଳେ ଶୁଭିଲା କୁଆଁ କୁଆଁ
ଶେଷରେ ତ ସାନ ରାଣୀ ହୋଇଲେ ମାଆ ।
କୋଳରେ ରାଣୀଙ୍କର ଜମଜ ସନ୍ତାନ
ଜଣେ ଲକ୍ଷଣ ଜଣେ ଅନୁଜ ଶତୃଘ୍ନ ।
ବିଷ୍ଣୁଙ୍କର ଚାରି କଳା ସେ ଚାରିଭାଇ
ଅଯୋଧ୍ୟା ହୋଇଲା ଧନ୍ୟ ପ୍ରଭୁ ଙ୍କୁ ପାଇ ।
ଚନ୍ଦ୍ରକଳା ପରି ରାଜ କୁମାର ମାନେ
ବଡ଼ ହୋଇଲେ ଉଆସେ ଆଦର ଯତ୍ନେ।
ଗୁରୁ କୂଳେ ଯାଇ କଲେ ଶିକ୍ଷା ଅର୍ଜନ
ଅସ୍ତ୍ର ଶସ୍ତ୍ର ଶାସ୍ତ୍ର ସର୍ବ ଗୁଣ ସମ୍ପର୍ଣ୍ଣ।
ସ୍ବର୍ଗପୁରେ ଚାହିଁ ଥାନ୍ତି ଦେବତା ମାନେ
ରାବଣ ନିଧନ କଥା ଚିନ୍ତି ଯେ ମନେ।
ଶିବ ଧନୁ ଭାଙ୍ଗି ରାମ ସ୍ଵୟମ୍ବର ରେ
ସୀତାଙ୍କୁ କଲେ ବିବାହ ମିଥିଳା ପୁରେ।
ପିତୃସତ୍ୟ ପାଳି ରାମ ଚଳିଲେ ବନ
ସାଥିରେ ଗଲେ ସୀତା ଅନୁଜ ଲକ୍ଷ୍ମଣ।
ଚଉଦ ବରଷ କାଳ ବନେ ବୁଲିଲେ
କେତେ ଅସୁର ଙ୍କୁ ପଥେ ନିଧନ କଲେ ।
ମାୟାବୀ ରାବଣ କଲା ସୀତା ହରଣ
ଅଧୀର ହୋଇ ଖୋଜିଲେ ରାମ ଲକ୍ଷ୍ମଣ।
ହନୁମାନ ସୁଗ୍ରୀବ ଙ୍କୁ ପଥେ ଭେଟିଲେ
ସୁଗ୍ରୀବ ଙ୍କ ସହ ରାମ ମିତ ବସିଲେ ।
ବାଳି ସହ ଯୁଦ୍ଧ କରି ତାକୁ ମାରିଲେ
ସୁଗ୍ରୀବ ଙ୍କୁ କିଷ୍କିନ୍ଧ୍ୟାର ରାଜା କରିଲେ ।
ସାତ ସିନ୍ଧୁ ଡେଇଁ ହନୁମାନ ଯେ ଗଲେ
ଲଙ୍କା ରେ ମାତା ସୀତାଙ୍କ ସନ୍ଧାନ କଲେ ।
ବାନର ସେନାଙ୍କ ସାଥେ ପ୍ରଭୁ ଶ୍ରୀରାମ
ସେତୁବନ୍ଧ ବାନ୍ଧିବାକୁ ହେଲେ ସକ୍ଷମ।
ଦଳବଳ ଧରି ପ୍ରଭୁ ଲଙ୍କା କୁ ଗଲେ
ଲଙ୍କା ର ମାଟି ପାଣିକୁ ଥରାଇ ଦେଲେ ।
ରାବଣର ଭାଇ ବିଭୀଷଣ ଯେ ସେତ
ଦୈତ୍ୟ କୂଳେ ଜାତ ହେଲେ ବିଷ୍ଣୁ ଭକତ।
ରାବଣ ଶିବିରୁ ସେତ ତଡା ଖାଇଲେ
ରାମଚନ୍ଦ୍ରଙ୍କର ପାସେ ଶରଣ ଗଲେ ।
ରାମ ରାବଣ ଯୁଦ୍ଧ ହେଲା ପ୍ରବଳ
ଦୈତ୍ୟ କୂଳ ଦିନୁଦିନ ହେଲେ ଦୁର୍ବଳ।
ରାବଣର ରଥୀ ମହାରଥୀ ଯେ ଯେତେ
ସମସ୍ତେ ନିହତ ରାମ ସେନା ଙ୍କ ହାତେ ।
ଶେଷରେ ରାବଣ ଆସି ଯୁଦ୍ଧ କରିଲା
ରାମ ରାବଣ ଯୁଦ୍ଧ ଜଗତ ଥରିଲା ।
ପ୍ରଭୁଙ୍କର ସରାଘାତେ ସେ ଦଶାନନ
ଗରଜନ କରି ତାର ହାରିଲା ଜୀବନ।
ଜୟ ଶ୍ରୀରାମ ରାମ ଉଛୁଳି ପଡିଲା
ସରଗ ରାଇଜୁ ପୁଷ୍ପ ବରଷା ହେଲା ।
ଲଙ୍କା ରୁ ଅଯୋଧ୍ୟା କୁ ପ୍ରଭୁ ଫେରିଲେ
ରାଜସିଂହାସନେ ଅଭିଷିକ୍ତ ସେ ହେଲେ ।
ଜୟଜୟ ରାମଚନ୍ଦ୍ର ରଘୁନନ୍ଦନ
ଦ୍ବାପରେ କୃଷ୍ଣ କଳିରେ ଚକାନୟନ।
ଅଧର୍ମ ର ଭାର ଯେବେ ଯାଏ ବଳେଇ
ଧରାକୁ ତୁମେ ପ୍ରଭୁ ଆସ ଓହ୍ଲାଇ।
ଅଧର୍ମ ର ନାସ କର ଧର୍ମ ସ୍ଥାପନ
ହସେ ଜଗତ ହସେ ଜନ ଜୀବନ ।
ବେଦରୁ ପୁରାଣ ଯାଏ ତୁମରି କଥା
ଧର୍ମ ଧାରଣେ ଉଛୁଳେ ତୁମରି ଗାଥା ।
ଶ୍ରୀମନ୍ଦିରେ ରାମଜନ୍ମ ଗୁପତ ନୀତି
ରାମନବମୀରେ ପ୍ରଭୁ ଜନ୍ମ ହୁଅନ୍ତି।
ଦକ୍ଷିଣ ଘରୁ ରାମଙ୍କ ମୂର୍ତ୍ତି ଆସନ୍ତି
ନାଭିକଟା ସ୍ନାନ ଆଦି ତହିଁ ହୁଅନ୍ତି।
ରତ୍ନ ବେଦିରେ ପ୍ରଭୁ ଙ୍କ ହୁଏ ଆଳତି
ଶୀତଳ ଭୋଗ ଅର୍ପଣ ପଣ୍ଡା କରନ୍ତି।
ଦଶମୀ ରେ ଯଜ୍ଞ ରକ୍ଷା ଲିଳା ହୁଏଟି
ରାମ ଲକ୍ଷ୍ମଣ ମୂରତି ଭାଗ ନିଅନ୍ତି।
ସୀତା ବିବାହ ହୁଏ ଏକାଦଶୀ ଦିନ
ପୂଜିତ ମୂରତି ରାମ ସୀତା ଲକ୍ଷ୍ମଣ।
ଦ୍ବାଦଶୀ ରେ ରାମ ସୀତା ଆଉ ଲକ୍ଷ୍ମଣ
କରନ୍ତି ସେଦିନ ସେତ ବନ ଗମନ।
ଚତୁର୍ଦ୍ଦଶୀ ଦିନ ମୟା ମୃଗ ନିଧନ
ଚୈତ୍ର ପୂର୍ଣ୍ଣିମାରେ ଲଙ୍କା ପୋଡ଼ି ଯେ ଜାଣ।
ହନୁମାନ ଙ୍କର ଦିବ୍ୟ ଉତ୍ସବ ମୂର୍ତ୍ତି
ଦକ୍ଷିଣ ଘରୁ ଆସି ଏ ଲିଳା କରନ୍ତି।
ପବିତ୍ର ବଇଶାଖ କୃଷ୍ଣ ପ୍ରତିପଦ
ସେଦିନ ସାଗରେ ବନ୍ଧା ହୁଅଇ ବନ୍ଧ ।
ରାମ ଲକ୍ଷ୍ମଣ ହନୁମାନ ଙ୍କ ମୂରତି
ସେତୁବନ୍ଧ ଲୀଳାରେ ଯେ ଭାଗ ନିଅନ୍ତି।
ଦ୍ବିତୀୟାରେ ହୁଏ ରାମ ରାବଣ ଯୁଦ୍ଧ
ପ୍ରଭୁ ଙ୍କ ହତରେ ଦୈତ୍ୟ ହୁଅଇ ବଦ୍ଧ।
ରାମାଭିଷେକ ଲିଳା ରେ ଭାଗ ନିଅନ୍ତି
ରାମ ଲକ୍ଷ୍ମଣ ସୀତା ହନୁମାନ ମୂର୍ତ୍ତି।
ଶ୍ରୀମନ୍ଦିରରେ ଲିଳା ମଠେ ସାହିଯାତ
ରାମ ନାମ ଶ୍ରୀକ୍ଷେତ୍ରେ ହୁଏ ପ୍ରକମ୍ପିତ।