ଶ୍ରୀ ରାଧେ
ଶ୍ରୀ ରାଧେ
ହେ ରାଧେ !
ହୋଇପାରେ ମୁଁ
ପୁରୁଷପଣରେ ପୂର୍ଣ୍ଣମୟ ପ୍ରବାଦ ପୁରୁଷ ;
କିନ୍ତୁ ,
ତୁମେ ମୋର ପ୍ରେମ-ଭକ୍ତିର
ନୀଳାଭ ସ୍ଵାକ୍ଷର ।
ମାନୁଛି ମୁଁ ନଟବର
ରହସ୍ୟ ସ୍ବରୂପେ ନିରାକାର,
କିନ୍ତୁ ;
ତୁମେ ଅତି ସହଜରେ
ଭେଦ କରିପାର
ମୋ ଭିତରର ରହସ୍ୟମୟ ସତ୍ତା ।
ଆସ୍ଵାଦନ କରିପାର
ମୋ ଅନ୍ତଃକରଣରେ ,
ନିତ୍ୟ ପ୍ରବହମାନ ପ୍ରେମମୟ ଫଲଗୁର
ଆନନ୍ଦପ୍ରଦାୟୀ ଅମୃତ ରସ ।
ତୁମ ବିନା ଶୂନ୍ୟ ଶୂନ୍ୟ ଲାଗେ
କୃଷ୍ଣର କୃଷ୍ଣମୟ ଭାବ ,
ହୋଇପାରେ ମୁଁ ;
ପରମ କାରୁଣିକ ଆଦିପୁରୁଷ
କିନ୍ତୁ ତୁମେ ଯେ ମୋର
ସର୍ବଶକ୍ତିମୟୀ ପ୍ରକୃତି ।
ଥରେ କୁହ ତ
ପ୍ରକୃତି ବିନା ପୁରୁଷର
ସ୍ଥିତି କ'ଣ ସମ୍ଭବ !
ମୁଁ ହେଲେ ରହସ୍ୟ
ତୁମେ ମୋ ସମ୍ମୋହନ ,
ମୁଁ ଆତ୍ମା ହେଲେ
ତୁମେ ମୋର ଚେତନ ।
ହେ ରାଧେ !
ତୁମ ପ୍ରେମରେ
ଏ କୃଷ୍ଣ ଆଜି ଆତ୍ମ-ବିସ୍ମୃତ
ମୋର ପ୍ରତିଟି ନିଃଶ୍ଵାସରେ
କେବଳ ରାଧାମୟ ଭାବ ,
ତୁମେ ମୋ ଆତ୍ମ-ଚେତନର
ପୂର୍ଣ୍ଣମୟ ପ୍ରାରବ୍ଧ ,
ତୁମ ଶୁଭ୍ର ବିମଳ ଭକ୍ତିରସରେ
ମୋହିତ ଏ ମୋହନ ।
ହେ ରାଧେ !
ଜାବୁଡ଼ି ଧର ମୋତେ
ତୁମ ପବିତ୍ର ବାହୁ ବନ୍ଧନରେ ,
ରାଧା-ରାଧା ନାମେ
ଗାଇଉଠୁ ବଂଶୀ ।
ତୁମ ଐଶ୍ୱର୍ଯ୍ଯମୟ ପୂର୍ଣ୍ଣତାର ସ୍ପର୍ଶରେ
ପରିପୂର୍ଣ୍ଣ ହୋଇଉଠୁ
ଏ କୃଷ୍ଣର ମନ-ଦେହ ଓ ପ୍ରାଣ ।