ଶ୍ରୀ କାଳରାତ୍ରୀ
ଶ୍ରୀ କାଳରାତ୍ରୀ
ନମଃ ଶୁଭଙ୍କରୀ ନମଃ ଭୟଙ୍କରୀ
ନମଃ ନମଃ କାଳରାତ୍ରୀ
ଗଦର୍ଭ ବାହିନୀ ତ୍ରିନେତ୍ର ଧାରିଣୀ
ଘନକୃଷ୍ଣ ଅଙ୍ଗ କାନ୍ତି ।
ମାତା ଦିଗମ୍ବରୀ ଖଡ଼ଗ ଧାରିଣୀ
କୁଲିଶ ଧରିଛ କରେ
ବିଧୂଷିତ କେଶ ବିକ୍ଷିପ୍ତ ଉଡ୍ଡୀୟ
ବିଦ୍ୟୁତ୍ ସମ ପ୍ରଭା କରେ ।
ଅଭୟ ଦାୟିନୀ ବରଦ ମୁଦ୍ରାରେ
ଭକ୍ତଙ୍କୁ ଦିଅ ଅଭୟ
ଦୁଷ୍ଟ ମନେ ଭୟ ଉଦ୍ରେକ କାରେଣୀ
ଜୟ କାଳରାତ୍ରୀ ଜୟ ।
ମଧୁକୈଟଭ ଦଳିନୀ ଦନୁଜ ନାଶିନୀ
ଶୁମ୍ଭନିଃଶୁମ୍ଭ ମର୍ଦ୍ଦିନୀ
ରକ୍ତବୀଜ ଦର୍ପ ବିନାଶିନୀ ଦେବୀ
ସର୍ବବିଘ୍ନ ବିନାଶିନୀ ।
ଖର ଆସୀନା ମା ଖଳବୁଦ୍ଧି ନାଶ
କରେ ଲୌହ କରବାଳ
ରବିସୂତ କ୍ଲେଶ ବିନାଶ କାରେଣୀ
କଟୀ ତଟେ ବ୍ୟାଘ୍ରାମ୍ବର ।
ମୁଣ୍ଡମାଳା ତୁମ୍ଭ ହୃଦେ ସୁଶୋଭିତ
ରକ୍ତପୁଷ୍ପ ମାଳା କଣ୍ଠେ
ସର୍ବ ଶୁଭମୟୀ ଜଗତ ଜନନୀ
ଜ୍ୱାଳାମୁଖୀ ରୂପ ସତେ ।
ସହସ୍ରାର ଚକ୍ରେ ମନ କୁ ଲଗାଇ
ସପ୍ତମ ଦିବସେ ଧ୍ୟାନ
ସର୍ବ ସିଦ୍ଧି ମିଳେ ସାଧକ କୁ ମାତା
ସ୍ମରିଲେ ତୁମ୍ଭର ନାମ ।
ଶତ୍ରୁ ରୋଗ ଶୋକ ନାଶ ହୋଇଯାଏ
ମିଳେ ସୌଭାଗ୍ୟ ବୈରାଗ୍ୟ
ଜାଗ୍ରତ ହୁଅଇ ଭାନୁ ଚକ୍ର ଗୋଟି
ଉଦୟ ହୁଅଇ ଭାଗ୍ୟ ।
କାଳରାତ୍ରୀ ମାତା ନୁହଁ କା'ର କାଳ
ଦୁଷ୍ଟ ଦନୁଜ ନାଶିନୀ
ମାରଣ ତାରଣ ଭକତ ପାଳନ
ଅଭୟ ବର ଦାୟିନୀ ।
ଆହେ ଶକ୍ତିମୟୀ ହେ ବିଶ୍ଵଜନନୀ
ମୁଁ ତ ଅଟେ ଦୀନ ହୀନ
କିପରି ପୂଜିବି କେଉଁ ପରକାରେ
ଜାଣିନି ମୁହିଁ ଅଜ୍ଞାନ ।
ମାଗୋ କ୍ଷମାମୟୀ ବାଳୁତ ସ୍ୱଭାବେ
ଯଦି କରିଥାଏ ଦୋଷ
ମାଆ ପଣେ ମୋତେ କରିଦେବ କ୍ଷମା
ନବହି ମନରେ ରୋଷ ।

