ଶ୍ରେଷ୍ଠ ଜୀବ ମଣିଷ
ଶ୍ରେଷ୍ଠ ଜୀବ ମଣିଷ
ଶ୍ରେଷ୍ଠ ଜୀବ ବୋଲି ବୋଲାଏ ମଣିଷ
କେତେ ବୁଦ୍ଧିମାନ ପୁଣି
ପରିସ୍ଥିତି ଏବେ କରୁଛି ତାତ୍ସଲ୍ୟ
ଦେଇ ତେରେଛା ଚାହାଣୀ ॥
କ୍ଷଣ ଭଙ୍ଗୁର ଏ ଜୀବନେ ମରଣ
ଅସହାୟତା ର' ପୀଡା
ପ୍ରିୟଜନଙ୍କର ବିଛେଦ କଷଣ
ପ୍ରତିଦିନ ହୁଏ ଛିଡା ॥
ଆଶା ଆଶଙ୍କାରେ ବିତେ ପ୍ରତିକ୍ଷଣ
ହୃଦୟଟା ଲାଗେ ଭାରି
ଛାତିରେ ପଥର ଲଦିବାକୁ ପଡେ
ମନଟାକୁ ଦେଇ ମାରି ॥
କେତେ ଯେ ସଂସାର ଉଜୁଡି ଗଲାଣି
ନିରାଶାର ଅନ୍ଧକାରେ
ଅକାଳ ମରଣ ଥରାଉଛି ଛାତି
ଅଳିକ ଏ ଜୀବନରେ ॥
ଚାରିଆଡେ ଏବେ ହରେଇବା ବ୍ଯଥା
ଶୋକାକୁଳ ପରିବେଶ
ଦୁଃଖ ଓ ଶୋକର ମଝିରେ ଜୀବନ
ସନ୍ଧିକ୍ଷଣରେ ବିବଶ ॥
ହୃଦ ବିଦାରକ ଏସବୁ ଘଟଣା
ଶୁଣି ବୁଦ୍ଧି ହୁଏ ବଣା
କାଲିଯିଏ ଥିଲେ ପରିବାର ସହ
ଆଜି ଅନାଥରେ ଗଣା ॥
ଛୁଇଁ ବାକୁ ମନା ନିଜର ଲୋକଙ୍କୁ
ଛାତିଫଟା ଏହି ଦୃଶ୍ୟ
କେମିତି ସହିବ ଏ ପାଷାଣ ଦେହ
କରି କି' ହେବ ପ୍ରକାଶ ॥
ଶ୍ମଶାନରେ ପୁଣି ମିଳୁନାହିଁ ଯାଗା
ଦରପୋଡାହୁଏ ଶବ
କେମିତି ନିଷ୍ଠୁର ହେଲୁ ତୁ' ଏମିତି
ହାୟରେ ତୁ'ହି ଦଇବ ॥
ଧନ ଜନ ସବୁ ହେଲା ମୂଲ୍ଯହୀନ
ଲାଗେ ଘରଦ୍ବାର ତୁଚ୍ଛ
ନିଶ୍ବାସକୁ କାହିଁ ବିଶ୍ବାସ ବି ନାହଁ
ମୁହୂର୍ତ୍ତକେ ହୁଏ ମିଛ ॥
କାଲି ସୂର୍ଯ୍ୟୋଦୟ କି'ଏବା ଦେଖିବ
କାହା ଭାଗ୍ଯରେ ବା ଅଛି
ନିରବିତ ମନେ ନିରୁତା ଭାଷାରେ
ପ୍ରଶ୍ନ ମନରେ ଆସୁଛି ॥